ନୂଆଦିଲ୍ଲୀ ୦୪।୦୯; ଏ ବର୍ଷ ସାରା ବିଶ୍ୱରେ ପାଣିପାଗର ମିଜାଜ ବଦଳିବାରେ ଲାଗିଛି। ଭାରତୀୟ ପାଣିପାଗ ଠାରୁ ଆରମ୍ଭ କରି ବିଶ୍ୱର ବଡ଼ ବଡ଼ ସଂସ୍ଥାମାନେ ପୂର୍ବରୁ ଏନେଇ ସତର୍କ କରାଇଥିବାବେଳେ, ଏବେ ଆଉ ଏକ ବଡ଼ ଏବଂ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଜାତିସଂଘର ଅଧୀନସ୍ଥ 'ବିଶ୍ୱ ପାଣିପାଗ ସଂଗଠନ' ବା WMO ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଜାରି କରି ସ୍ପଷ୍ଟ କରିଛି ଯେ, ବିଶ୍ୱବ୍ୟାପୀ 'ଏଲ୍ ନିନୋ' ବର୍ତ୍ତମାନ ନିଜକୁ ଶକ୍ତିଶାଳି କରିସାରିଛି। ଆଗାମୀ ମାସଗୁଡ଼ିକରେ ଏହା ଆହୁରି ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି। ଯାହା ବିଶ୍ୱର ବର୍ଷା ଓ ତାପମାତ୍ରାର ସମସ୍ତ ଢାଞ୍ଚାକୁ ଓଲଟପାଲଟ କରିଦେବ। ଏହା ପ୍ରଭାବରେ କେଉଁଠି ଭୟଙ୍କର ମରୁଡ଼ି ତ ପୁଣି କେଉଁଠି ପ୍ରଳୟଙ୍କରୀ ବନ୍ୟା ଏବଂ ଅସହ୍ୟ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆସନ୍ତୁ ଜାଣିବା ଏହି ପାଣିପାଗର ପରିବର୍ତ୍ତନ ସମ୍ପର୍କରେ ଅଧିକ ବିସ୍ତୃତ ତଥ୍ୟ।

ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ଅନୁଯାୟୀ ଚଳିତ ବର୍ଷ ଶେଷ ଆଡ଼କୁ ଏହା ଶୀର୍ଷ ସ୍ତରରେ ପହଞ୍ଚିବ। ଏଲ୍ ନିନୋ ପ୍ରଭାବରେ ବିଶ୍ୱର ବିଭିନ୍ନ ଅଂଚଳରେ ବୃଷ୍ଟିପାତ ଏବଂ ତାପମାତ୍ରା ଶୈଳୀରେ ବ୍ୟାପକ ପରିବର୍ତ୍ତନ ଦେଖାଯିବ। ଏହା ଦ୍ୱାରା ବନ୍ୟା, ମରୁଡ଼ି ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭଳି ଜଟିଳ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ସମୁଦ୍ର ପୃଷ୍ଠର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସମଗ୍ର ବିଶ୍ୱ ବର୍ତ୍ତମାନ ଚରମ ପାଣିପାଗର ବିପଦ ଜୋନ୍ରେ ରହିଛି। ସାଧାରଣତଃ ଏଲ୍ ନିନୋ ବର୍ଷର ଶେଷ ଭାଗରେ ଶୀର୍ଷକୁ ଛୁଇଁଥାଏ। ମାତ୍ର ମହାସାଗରରୁ ଉତ୍ତାପ ବାୟୁମଣ୍ଡଳକୁ ଧୀରେ ଧୀରେ ମୁକ୍ତ ହେଉଥିବାରୁ ଏହାର ପରବର୍ତ୍ତୀ ବର୍ଷ ଅର୍ଥାତ ୨୦୨୭ରେ ବିଶ୍ୱର ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବ। ପୂର୍ବ ଏଲ୍ ନିନୋ ପ୍ରଭାବ ଯୋଗୁଁ ୨୦୨୪ ବର୍ଷଟି ଇତିହାସର ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ ହୋଇଥିଲା ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।

ଡବ୍ଲ୍ୟୁଏମଓ ମୁଖ୍ୟ ସେଲେଷ୍ଟେ ସାଉଲୋ କହିଛନ୍ତି ଯେ, ଏହି ଅସାଧାରଣ ଏଲ୍ ନିନୋ ସମଗ୍ର ବିଶ୍ୱର ଅର୍ଥନୀତି ଏବଂ ସମୁଦାୟକୁ ଗଭୀର ଆଘାତ ଦେବାର କ୍ଷମତା ରଖିଛି। କୃଷି, ସ୍ୱାସ୍ଥ୍ୟ, ଶକ୍ତି ଏବଂ ଜଳ ଭଳି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି। ପ୍ରଶାନ୍ତ ମହାସାଗରର କେନ୍ଦ୍ରୀୟ ଏବଂ ପୂର୍ବ ବିଷୁବରେଖା ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୨.୨ରୁ ୨.୬ ଡିଗ୍ରି ସେଲସିୟସ ଅଧିକ ରହିଛି। ଏହି ପ୍ରଭାବ ଯୋଗୁଁ ଆମାଜନ, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆର କେତେକ ଭାଗରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ। ଏହାସହ ଭାରତରେ ମଧ୍ୟ ମୌସୁମୀ ବାୟୁ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବ ବୋଲି ଜାତିସଂଘ ପାଣିପାଗ ସଂସ୍ଥା ସ୍ପଷ୍ଟ କରିଛି।