ଭୁବନେଶ୍ୱର ୦୫।୧୧ : ବନ୍ୟା ଯୋଗୁଁ ଗଞ୍ଜାମର ୧୪ଟି ବ୍ଲକ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ରୋକିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଝାଡ଼ାବାନ୍ତି ରୋକିବା ସହ ସାପ କାମୁଡ଼ା ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ପରିମାଣର ଆଣ୍ଟି ସ୍ନେକ୍ ଭେନମ୍ ପଠାଯାଇଛି । ଆସିକାରେ ଦୁଇଟି ଅସ୍ଥାୟୀ ହସ୍ପିଟାଲ ସହ ୨୦ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ମୁତୟନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବନ୍ୟା ପରେ ବଢ଼ିଥାଏ ବିଭିନ୍ନ ସଂକ୍ରାମକ ରୋଗର ଆଶଙ୍କା । ବିଶେଷକରି ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପିବାର ଭୟ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସହ ଆବଶ୍ୟକ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ପଠାଯାଇଛି । ସାପ କାମୁଡ଼ା ଘଟଣାର ମୁକାବିଲା ପାଇଁ ଯଥେଷ୍ଟ ପରିମାଣର ଆଣ୍ଟି ସ୍ନେକ୍ ଭେନମ୍ ମହଜୁଦ ରଖାଯାଇଛି ।

Also Read:-ପାର୍ବଣ ପୂର୍ବରୁ ବାଣ ମାଫିଆଙ୍କ ଉପରେ ଆକ୍ସନ, ବିପୁଳ ବାଣ ଜବତ ସହ ଜଣେ ଗିରଫ

ବନ୍ୟା ସମୟରେ ଅନେକ ସ୍ଥାନରେ ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ଏଭଳି ସ୍ଥିତିରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀମାନେ ନିଜ ଦାୟିତ୍ୱରୁ ଓହରି ନଥିଲେ। ଏପରିକି ଜଣେ ଗର୍ଭବତୀଙ୍କୁ ଛାତ ଉପରେ ପ୍ରସବ କରାଇ ସୁରକ୍ଷିତ ଭାବେ ଶିଶୁ ଜନ୍ମରେ ସହାୟତା କରିଥିଲେ ସ୍ୱାସ୍ଥ୍ୟକର୍ମୀ । ବନ୍ୟାଞ୍ଚଳରେ ଚିକିତ୍ସା ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆସିକାରେ ଦୁଇଟି ଅସ୍ଥାୟୀ ହସ୍ପିଟାଲ ଖୋଲାଯାଇଛି । ଏହାସହ ୨୦ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ପଠାଯାଇଛି ।

ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ବେସରକାରୀ ହସ୍ପିଟାଲଗୁଡ଼ିକ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ବିଭିନ୍ନ ହସ୍ପିଟାଲ ପକ୍ଷରୁ ଗାଡ଼ି ଯୋଗାଇ ଦିଆଯାଇଥିବା ବେଳେ ସମ୍ ହସ୍ପିଟାଲର ସହଯୋଗକୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ନିଜେ ମଧ୍ୟ ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରିଥିବା କହିଛନ୍ତି ।

ତେବେ ଏହି ବନ୍ୟା ସମୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । ବନ୍ୟାଞ୍ଚଳ ବୁଲିବା ସମୟରେ ଜଣେ ୧୬ ବର୍ଷୀୟା ଝିଅ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ରିଲିଫ୍ ସାମଗ୍ରୀରେ ସାନିଟାରୀ ନ୍ୟାପକିନ୍ କାହିଁକି ଦିଆଯାଉନାହିଁ? ଝିଅଟିର ଏହି ପ୍ରଶ୍ନକୁ ଗୁରୁତ୍ୱର ସହ ନେଇଥିଲେ ମନ୍ତ୍ରୀ । ତାଙ୍କ ନିର୍ଦ୍ଦେଶ ପରେ ପ୍ରଥମଥର ପାଇଁ ରିଲିଫ୍ ସାମଗ୍ରୀରେ ସାନିଟାରୀ ନ୍ୟାପକିନ୍ ସାମିଲ କରାଯାଇଥିବା ସୂଚନା ଦେଇଛନ୍ତି । ବନ୍ୟା ସମୟରେ ମହିଳା ଓ କିଶୋରୀଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ମଧ୍ୟ ଯେତିକି ଜରୁରୀ, ସେତିକି ଗୁରୁତ୍ୱପୂର୍ଣ୍ଣ । ଜଣେ କିଶୋରୀଙ୍କ ପ୍ରଶ୍ନକୁ ଆଧାର କରି ରିଲିଫ୍ ବ୍ୟବସ୍ଥାରେ ଏହି ସାମଗ୍ରୀ ସାମିଲ ହେବା ଏବେ ଚର୍ଚ୍ଚାର ବିଷୟ ।