ଛତ୍ରପୁର ୦୫।୧୧ : ପାର୍ବଣ ଋତୁ ପୂର୍ବରୁ ବେଆଇନ ବାଣ କାରବାର ଉପରେ ପୋଲିସର ଚଢ଼ାଉ । ଛତ୍ରପୁର ପୋଲିସ ପକ୍ଷରୁ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

ଛତ୍ରପୁର ପୋଲିସର ଚଢ଼ାଉ । ବେଆଇନ ବାଣ ଗଚ୍ଛିତ ରଖିବା ଅଭିଯୋଗରେ ଜଣେ ଗିରଫ । ଛତ୍ରପୁର ଥାନା ଅନ୍ତର୍ଗତ କେଉଟପଲ୍ଲୀ ଗ୍ରାମର ବିଭୂତି ଭୂଷଣ ବେହେରାଙ୍କ ଘରେ ବିନା ବୈଧ ଅନୁମତିରେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖାଯାଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସ ଟିମ୍ ଉକ୍ତ ଘରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ କରାଯାଇଥିଲା । ଏହାସହ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି ପୋଲିସ ।

Also Read:-ଶିଶୁପାଳଗଡ଼ ମର୍ଡରରେ ଖୋଲୁଛି ଗୁମର, ଅଭିଯୁକ୍ତଙ୍କଠାରୁ ମାଉଜର ଜବତ

ବିନା ଅନୁମତିରେ ବାଣ ଗଚ୍ଛିତ ରଖିବା ଦ୍ୱାରା ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ଦୁର୍ଘଟଣାର ଆଶଙ୍କା ରହିଥାଏ । ତେଣୁ ବେଆଇନ ବାଣ କାରବାର ରୋକିବା ପାଇଁ ପୋଲିସ ପକ୍ଷରୁ ଯାଞ୍ଚ ଓ ଚଢ଼ାଉକୁ ଜୋରଦାର କରାଯାଉଛି । ଆଗାମୀ ଦିନରେ ମଧ୍ୟ ଏଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।