ଦେବଗଡ଼: ବିଷାକ୍ତ ସାପ କାମୁଡ଼ାରେ ଦୁଇ ମାସର ଶିଶୁ ପୁତ୍ର ମୃତ, ବାପ ଗୁରୁତର। ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକ ଝରାଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ତିଳେଇମାଳ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସାପ କାମୁଡ଼ାରେ ଗ୍ରାମର ରାମଚନ୍ଦ୍ର କିଶାନଙ୍କ ଦୁଇ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ, ସେ ନିଜେ ଗୁରୁତର ଆହତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ରାମଚନ୍ଦ୍ର ସକାଳେ ନିଜର ନିତ୍ୟକର୍ମ ସାରି ଘରକୁ ଫେରିଥିଲେ। ହେଲେ ଘରେ ହିଁ ଏକ ସାପ କାମୁଡ଼ି ଦେଇଥିଲା। ଏହା ପରେ ସେ ଭୟରେ ଘରେ ଥିବା ତାଙ୍କ ଶିଶୁ ପୁତ୍ରକୁ ଉଠାଇବାକୁ ଯାଇଥିଲେ ମାତ୍ର ସେତେବେଳକୁ ସାପ କାମୁଡ଼ାରେ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇସାରିଥିଲା। ତେବେ ବଡ଼ କଥା ହେଲା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚିକିତ୍ସା ପରିବର୍ତ୍ତେ ରାମଚନ୍ଦ୍ର ଝଡ଼ାଫୁଙ୍କାର ସାହାଯ୍ଯ ନେଇଥିଲେ। ଆଉ ତା’ପରେ ଶିଶୁପୁତ୍ରର ଅନ୍ତିମ ସଂସ୍କାର କରିଥିଲେ। ହେଲେ ଏହା ପରେ ବି ତାଙ୍କ ସ୍ବାସ୍ଥ୍ୟ ଭଲ ହୋଇଥିଲା। ଶେଷରେ ଗ୍ରାମର କିଛି ଯୁବକ ବୁଝାସୁଝା କରି ତାଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Also Read: ଅନ୍ଧବିଶ୍ୱାସର ଭୟଙ୍କର ପରିଣତି ; ନାଗକୁ କାମୁଡ଼ିଲେ, ଏବେ ହସ୍ପିଟାଲରେ ଭର୍ତ୍ତି