କୁଚିଣ୍ଡା ୧୦।୮: ସାପ କାମୁଡ଼ିଲେ ଲୋକେ ସାପଠାରୁ ଦୂରେଇ ଯାଆନ୍ତି । ହେଲେ ଏଠାରେ ଘଟିଛି ଏହାର ସମ୍ପୂର୍ଣ୍ଣ ବିପରୀତ । ନାଗ ସାପ ଉପରେ ଗୋଡ଼ ପଡ଼ିଯିବା ପରେ ଭୟରେ ସାପଟିକୁ ହାତରେ ଧରି ତା ଫଣାକୁ ଦାନ୍ତରେ ଚୋବାଇ ଛିଣ୍ଡାଇ ଦେଇଥିବା ଜଣେ ବ୍ୟକ୍ତି ଏବେ ଡାକ୍ତରଖାନାରେ । ଏଭଳି ଘଟଣା ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ପାକେଲପଡ଼ା ନିକଟ କର୍ମାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କର୍ମାପଡ଼ାର ଧରମ ସିଂ ଖଡ଼ିଆ ରବିବାର ସନ୍ଧ୍ୟାରେ ନିଜ କ୍ଷେତକୁ ଯାଉଥିଲେ । ରାସ୍ତାରେ ହଠାତ୍ ତାଙ୍କ ଗୋଡ଼ ଏକ ନାଗ ସାପ ଉପରେ ପଡ଼ିଯାଇଥିଲା । ଫଳରେ ସାପଟି ଫଣା ଟେକି ଛିଡ଼ା ହୋଇଯିବାରୁ ସେ ଭୟଭୀତ ହୋଇପଡ଼ିଥିଲେ । ଧରମ ସିଂଙ୍କ କହିବା ଅନୁସାରେ, ପୂର୍ବରୁ ଜଣେ ଗୁଣିଆ ତାଙ୍କୁ କହିଥିଲେ ଯେ, କୌଣସି ସାପ କାମୁଡ଼ିଲେ ସାପକୁ ମଧ୍ୟ କାମୁଡ଼ିଦେଲେ ବିଷ ଲାଗେ ନାହିଁ । ଏହି କଥାକୁ ବିଶ୍ୱାସ କରି ସେ ଭୟରେ ନାଗ ସାପଟିକୁ ହାତରେ ଧରି ତା ଫଣାକୁ ଦାନ୍ତରେ ଚୋବାଇ ଛିଣ୍ଡାଇ ଦେଇଥିବା ଜଣାପଡ଼ିଛି । ଫଳରେ ସାପଟି ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମରିଯାଇଥିଲା । ଅନ୍ୟପଟେ ଘଟଣା ପରେ ଧରମ ସିଂ ମଧ୍ୟ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ପ୍ରଭୁପାଦ ମିଶ୍ର ଓ କୈଳାଶ ପ୍ରଧାନ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରୀକ୍ଷା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଥିଲେ ମଧ୍ୟ ସତର୍କତାମୂଳକ ଭାବେ ତାଙ୍କୁ ୨୪ ଘଣ୍ଟା ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି ।

Also Read:- ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କହିଲେ- ଆମ ପାଇଁ ସବୁଠୁ ବଡ଼ ଶତ୍ରୁ ଦୁର୍ନୀତି

ତେବେ “ସାପ କାମୁଡ଼ିଲେ ସାପକୁ କାମୁଡ଼ିଦେଲେ ବିଷ ଲାଗେ ନାହିଁ” ଏଭଳି ଧାରଣା ସମ୍ପୂର୍ଣ୍ଣ ଭ୍ରାନ୍ତିକର ଓ ଏହାକୁ ବିଶ୍ୱାସ କରିବା ଅତ୍ୟନ୍ତ ବିପଜ୍ଜନକ ବୋଲି ବିଶେଷଜ୍ଞ ମାନେ ସତର୍କ କରିଛନ୍ତି । ସାପକୁ କାମୁଡ଼ିବା କିମ୍ବା ହାତରେ ଧରିବା ଦ୍ୱାରା ସାପ ବିଷର ପ୍ରଭାବରୁ ମଣିଷ ସୁରକ୍ଷିତ ହୋଇପାରେ ନାହିଁ । ବିଶେଷଜ୍ଞଙ୍କ ମତରେ, ବିଷଧର ସାପ କାମୁଡ଼ିଲେ ଘରୋଇ ଉପଚାର, ଗୁଣିଆ କିମ୍ବା ଅନ୍ଧବିଶ୍ୱାସ ଉପରେ ନିର୍ଭର ନକରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେବା ହିଁ ସବୁଠାରୁ ଜରୁରୀ । ଏହି ଘଟଣା ଏକ ପଟେ ଯେତିକି ଆଶ୍ଚର୍ଯ୍ୟ ସୃଷ୍ଟି କରିଛି, ଅନ୍ୟପଟେ ସାପ କାମୁଡ଼ାକୁ ନେଇ ସମାଜରେ ରହିଥିବା ଅନ୍ଧବିଶ୍ୱାସ କେତେ ବିପଜ୍ଜନକ ହୋଇପାରେ, ତାହାର ଏକ ଚେତାବନୀ ମଧ୍ୟ ଦେଇଛି ।

Watch Video: