ସୁରଟ୍‌: ଗୁଜରାଟର ସୁରଟ ସହର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ମହାରାଷ୍ଟ୍ରର ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ । ଦୁର୍ଘଟଣାରେ ଗୋଟିଏ ବସ ଭାଙ୍ଗିରୁଜି ଯାଇଥିବା ବେଳେ ଅନ୍ୟ ବସିରେ ନିଆଁ ଲାଗିଯାଇଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି।

କେମିତି ଓ କେଉଁଠି ଘଟିଲା ଦୁର୍ଘଟଣା?
ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସୁରଟର ବାର୍ଡୋଲି ଅଞ୍ଚଳରେ ଥିବା ଉବା ଗାଁ ନିକଟରେ ଘଟିଛି। ମହାରାଷ୍ଟ୍ର ଗାଡ଼ି ନମ୍ବର ଥିବା ଦୁଇଟି ବସ୍ ସାମ୍ନାସାମ୍ନି ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଗାଡ଼ି ଦୁଇଟିର ବେଗ ଅଧିକ ଥିବାରୁ ଦୁର୍ଘଟଣା ପରେ ଗୋଟିଏ ବସ ଭାଙ୍ଗିରୁଜି ଚୂରମାର ହୋଇଯାଇଛି। ଧକ୍କା ହେବା ପରେ ଅନ୍ୟ ବସଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା ଏବଂ ଏଥିରେ ନିଆଁ ଲାଗିଯାଇଛି ।

 ଯାତ୍ରୀମାନଙ୍କୁ ବାହାର କରିବାକୁ ଏବଂ ନିଆଁ ଲିଭାଇବା ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ କରିଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି ଏବଂ କେତେକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ବାର୍ଡୋଲି ସହରର ପୋଲିସ ଟିମ୍ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ ବାହିନୀର ଗାଡ଼ିଗୁଡ଼ିକ ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି।

ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇବା ସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ବ୍ୟବସ୍ଥା କରୁଛି। ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ଚାଲିଛି।