ନୂଆଦିଲ୍ଲୀ ୨୨।୦୯; ଜଙ୍ଗଲ ଜଳୁଥିଲା। ନିଆଁକୁ ଆୟତ୍ତ କରିବାକୁ ଆକାଶରୁ ପାଣି ବର୍ଷାଉଥିଲା ହେଲିକପ୍ଟର। ହେଲେ ହଠାତ୍ ଘଟିଲା ଭୟଙ୍କର ଦୁର୍ଘଟଣା! ନିଆଁ ଲିଭାଇବାକୁ ଯାଇ ଖସିପଡ଼ିଲା ହେଲିକପ୍ଟର। ଆଉ ଆଖି ପିଛୁଳାକେ ଚାଲିଗଲା ଦୁଇ ଜୀବନ। ଆମେରିକାର କାଲିଫର୍ଣ୍ଣିଆର ୟୋସେମାଇଟ୍ ଜାତୀୟ ଉଦ୍ୟାନରୁ ଆସିଛି ଏହି ଦୁଃଖଦ ଖବର।ଜଙ୍ଗଲ ନିଆଁ ସହ ଲଢ଼ୁଥିବା ଦୁଇ ପାଇଲଟ୍ ହେଲେ ମୃତ୍ୟୁର ଶିକାର।

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ‘ସୁପର୍ ପୁମା’ ଥିବା ସୂଚନା ମିଳିଛି। ଅଗ୍ନି ଲିଭା ପାଇଁ ଏହା ଏକ ବଡ଼ ପାଣି ବାଲ୍ଟି ବ୍ୟବହାର କରୁଥିଲା। ହେଲେ ହ୍ରଦ ନିକଟରେ ପାଣି ଭରି ନିଆଁ ଆଡ଼କୁ ଯାଉଥିବା ସମୟରେ ଘଟିଗଲା ଦୁର୍ଘଟଣା। ଦୁର୍ଘଟଣାର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ। ଘଟଣାର ତଦନ୍ତ କରିବ ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ଏବଂ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ।

ମୃତ ଦୁଇ ପାଇଲଟ୍ଙ୍କ ମଧ୍ୟରୁ ଜଣଙ୍କ ପରିଚୟ ଗ୍ରେଗ୍ କିଙ୍ଗ୍ ବୋଲି ଜଣାପଡ଼ିଛି। ‘ପ୍ରିସିଜନ୍’ ନାମକ ଚୁକ୍ତିଭିତ୍ତିକ ବିମାନ ସେବା କମ୍ପାନୀ ପାଇଁ ସେ କାମ କରୁଥିଲେ। ଏହା ପୂର୍ବରୁ ଆଲାସ୍କାର ବନ ବିଭାଗ ଓ ଅଗ୍ନି ନିରାପତ୍ତା ବିଭାଗ ସହ ଜଡ଼ିତ ଥିଲେ କିଙ୍ଗ୍। ଜଙ୍ଗଲ ନିଆଁ ଲିଭାଇବାର ଅନେକ ଅଭିଯାନରେ ମଧ୍ୟ ସେ ସାମିଲ ହୋଇଥିଲେ। ଦ୍ୱିତୀୟ ପାଇଲଟ୍ଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ। ଚଳିତ ବର୍ଷ ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟରେ ଆମେରିକାରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।