ପାଟନା: ଏ ମଣିଷ କେତେ ରାକ୍ଷସ ହୋଇପାରେ ? ବିଚ୍ ରାସ୍ତାରେ ଲଜ୍ଜା । ଭୁଲିଗଲା ହିତାହତ ଜ୍ଞାନ । ବିହାରର ଜମୁଇ ଜିଲ୍ଲାରୁ ସାମ୍ନାକୁ ଆସିଥିବା ଏକ ଅତ୍ୟନ୍ତ ଲଜ୍ଜାଜନକ, ଏବଂ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଜନଗହଳିପୂର୍ଣ୍ଣ ରାସ୍ତାରେ ପୁଅ ଝିଅଙ୍କୁ ଅଟକାଇ ଅମାନବୀୟ ଅସଦାଚରଣ ଏବଂ ପରେ ସେହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା କେବଳ ଏକ ଅପରାଧ ନୁହେଁ, ବରଂ ଆମ ସାମାଜିକ ବ୍ୟବସ୍ଥା ପାଇଁ କଳଙ୍କ ।

ବିହାରର ଜମୁଇ ଜିଲ୍ଲାରୁ ସାମ୍ନାକୁ ଆସିଥିବା ଏକ ଅତ୍ୟନ୍ତ ନୃଶଂସ ଓ ମର୍ମନ୍ତୁଦ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାସ୍ତାରେ ସୁରକ୍ଷା ଏବଂ ଆଇନଶୃଙ୍ଖଳାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିନର ଆଲୋକରେ, ଜନସମକ୍ଷରେ ଜଣେ ନାବାଳିକାଙ୍କୁ ଅଟକାଇ ଅମାନବୀୟ ଅସଦାଚରଣ, ପୋଷାକ ଚିରିବା ଏବଂ ପରେ ସେହି ଅନ୍ତରଙ୍ଗ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଜଘନ୍ୟ ଅପରାଧର ସମସ୍ତ ସୀମା ଲଙ୍ଘି ଯାଇଛି ।

ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟା । କୋଚିଂ ସେଣ୍ଟରରୁ ଫେରୁଥିଲେ ଦୁଇ ଜଣ । ଜଣେ ନାବାଳକ ଓ ତାଙ୍କ ମହିଳା ବନ୍ଧୁ, ଯିଏ ଜଣେ ନାବାଳିକା । ସ୍କୁଟିରେ ଯାଇ ରାସ୍ତାକଡ଼ରେ ଫଟୋ ଉଠାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ନାବାଳିକାଙ୍କ ସହ ଜୋରଜବରଦସ୍ତି କରିଥିଲେ । ଅସଦାଚରଣ କରିଥିଲେ। ଏମିତିକି ପୋଷାକ ଚିରିବା ସହ ନାବାଳିକାଙ୍କୁ ଟେକି ନେଇଥିଲେ । ପୀଡ଼ିତା ଜଣକ କେତେ ଯେ କାକୁତିମିନତୀ ହୋଇଥିଲେ କିନ୍ତୁ କାହା ମନରେ ବି ଦୟା ଆସିନଥିଲା। ଏହି ବର୍ବରତାର ଭିଡିଓ ନିଜେ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। କାଳେ ଧରାପଡ଼ିଯିବେ, ସେଥିପାଇଁ ଜଣେ ମୁହଁରେ ଗାମୁଛା ପିନ୍ଧିଥିଲା।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡ୍କୁ ଆସିଥିଲା ପୋଲିସ୍ । ପୋଲିସ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଟ ୭ ଜଣଙ୍କ ବିରୋଧରେ ପୋକ୍ସୋ ଆଇନ୍ ଅନ୍ତର୍ଗତ ମାମଲା ରୁଜୁ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ପୋଲିସ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ହେଲେ ମିଥିଳେଶ କୁମାର, ପ୍ରମୋଦ କୁମାର ଓ ଗୋଲୁ କୁମାର । ତିନିଜଣ ଯାକ ଜମୁଇ ଜିଲ୍ଲାର ମରୱା ଗାଁର ବାସିନ୍ଦା । ସେମାନଙ୍କ ବୟସ ପ୍ରାୟ ୨୫ରୁ ୨୬ ବର୍ଷ ମଧ୍ୟରେ ବୋଲି ପୋଲିସ କହିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନନ୍ଦନ ଯାଦବକୁ ବି ପୋଲିସ ଏନକାଉଣ୍ଟର କରିଛି । ତା ଗୋଡ଼ରେ ଗୁଳି ବାଜିଛି । ବର୍ତ୍ତମାନ ଏସଡିପିଓ ଦୀପ୍ତି ମୋନାଲିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର SIT ଗଠନ କରାଯାଇ ଛାନଭିନ୍ ଜାରି ରହିଛି । ଘଟଣାକୁ ତିନି ଦିନ ହୋଇସାରିଥିଲେ ବି ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବା ବର୍ତ୍ତମାନ ଏକ ବଡ଼ ଚାଲେଞ୍ଜ ପାଲଟିଛି ।

also read- ନିଜ ନାଁର ସିମ୍ ଅନ୍ୟକୁ ଦେଲେ ଫସିବେ! ଜରିମାନା ସହ ଜେଲ୍ ଯିବେ

ଭିଡିଓ ଭାଇରାଲ କରିଥିବା ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରାଯାଇଛି। ପୋଲିସର ତଥ୍ୟ ଅନୁଯାୟୀ, ୧୩ଟି ଫେସବୁକ୍, ୧୨ଟି ଇନଷ୍ଟାଗ୍ରାମ ଏବଂ ୭ଟି ଟ୍ୱିଟର୍ ଆକାଉଣ୍ଟ୍ ମାଧ୍ୟମରେ ଏହା ପ୍ରସାରିତ ହୋଇଥିଲା, ଯେଉଁମାନଙ୍କ ବିରୁଦ୍ଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବିହାର ରାଜ୍ୟ ମହିଳା ଆୟୋଗ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛି। ଦୋଷୀଙ୍କ ବିରୋଧରେ କୌଣସି ପ୍ରକାର ସାଲିସ ନକରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଲଜ୍ଜାଜନକ ଘଟଣା ପରେ ବିହାରର ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ଏକ୍ସ (X) ପୋଷ୍ଟ ମାଧ୍ୟମରେ ବିହାରର ଆଇନଶୃଙ୍ଖଳାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଏବଂ ପୋଲିସର ତତ୍ପରତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଆର୍ଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ସରକାରଙ୍କୁ ଜମୁଇ କାଣ୍ଡରେ ଜବାବ ମାଗିଛନ୍ତି।

ଏଭଳି ଜଘନ୍ୟ ଅପରାଧରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଯେପରି ଶୀଘ୍ର କଠିନରୁ କଠିନତର ଦଣ୍ଡ ମିଳିବ, ସେନେଇ ସାଧାରଣରେ ଦାବି ଜୋର ଧରିଛି। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି ଏବଂ ପ୍ରଶ୍ନ କରିଛି—ଆମେ ଆଜି କେଉଁ ଅନ୍ଧାର ଯୁଗରେ ବଞ୍ଚୁଛୁ?