ୱାଶିଂଟନ: ହ୍ୱାଇଟ୍ ହାଉସ୍ ପକ୍ଷରୁ CNNକୁ ପ୍ରେସ୍ ପୁଲ୍ ଦାୟିତ୍ୱରୁ ବ୍ୟାନ କରାଯିବା ଏକ ଐତିହାସିକ ଏକତା ପ୍ରଦର୍ଶନ କରି ପ୍ରମୁଖ ଟିଭି ନେଟୱାର୍କଗୁଡ଼ିକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମିଳିତ କଭରେଜକୁ ସ୍ଥଗିତ ରଖିଛନ୍ତି । ହ୍ୱାଇଟ୍ ହାଉସ୍ ସୋମବାର CNNକୁ 'ପୁଲ୍ ରିପୋର୍ଟର' ଭୂମିକା ନିର୍ବାହ କରିବାରୁ ବଞ୍ଚିତ କରିବା ପରେ ମିଡିଆ ଏବଂ ପ୍ରଶାସନ ମଧ୍ୟରେ ଏହି ବିବାଦ ତୀବ୍ର ରୂପ ନେଇଛି ।

ଏହାର ଜବାବରେ, ଫକ୍ସ ନ୍ୟୁଜର ୱାଶିଂଟନ୍ ବ୍ୟୁରୋ ଚିଫ୍ ତଥାଟେଲିଭିଜନ୍ ପୁଲ୍ କନସୋର୍ଟିୟମର କାର୍ଯ୍ୟକାରୀ ଅଧ୍ୟକ୍ଷ ବ୍ରାୟନ୍ ବୋଟନ୍ ସଦସ୍ୟମାନଙ୍କ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମର ପ୍ରଚାରକୁ ଟିଭି ପୁଲ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବ ।

ସୂଚନାଯୋଗ୍ୟ ଯେ, ABC, CBS, CNN, Fox News ଏବଂ NBCକୁ ନେଇ ଗଠିତ ଏହି ନେଟୱାର୍କ ପୁଲର ସଦସ୍ୟମାନେ ପର୍ଯ୍ୟାୟକ୍ରମେ ଦାୟିତ୍ୱ ନେଇ ଲାଇଭ୍ ଭିଡିଓ ଫୁଟେଜ୍ ସମସ୍ତ ସାମ୍ବାଦିକ ଗ୍ରୁପକୁ ବାଣ୍ଟିଥାନ୍ତି । ତେବେ ଜାତିସଂଘ ସାଧାରଣ ସଭା ପାଇଁ ଟ୍ରମ୍ପଙ୍କ ନ୍ୟୁୟର୍କ ଗସ୍ତ ବେଳେ ଅନ୍ୟ କୌଣସି ବିକଳ୍ପ ପୁଲ୍ ବ୍ୟବସ୍ଥା କରିବାକୁ ଏହି ନେଟୱାର୍କଗୁଡ଼ିକ ମନା କରିଦେଇଛନ୍ତି ।

ରାଷ୍ଟ୍ରପତି ଟ୍ରମ୍ପ ଗତ ଶୁକ୍ରବାର CNN, MS NOW ଏବଂ Politicoକୁ ହ୍ୱାଇଟ୍ ହାଉସ୍ ପରିସରରୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବା ପରେ ଏହି ସ୍ଥିତି ଉପୁଜିଛି । ଶନିବାର ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ଏହି ତିନୋଟି ସଂସ୍ଥାର ହ୍ୱାଇଟ୍ ହାଉସ୍ ସାମ୍ବାଦିକମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ମନା କରିବା ସହ ସେମାନଙ୍କର ପ୍ରେସ୍ ପାସ୍ ଜବତ କରିନେଇଥିଲେ ।

CNN's Betsy Klein, holding up an empty credential holde
(CNN's Betsy Klein, holding up an empty credential holder)

ଏହାର ପ୍ରତିବାଦରେ, ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସୋମବାର ଟ୍ରମ୍ପ ପ୍ରଶାସନ ବିରୋଧରେ ମିଳିତ ଭାବେ ଫେଡେରାଲ୍ କୋର୍ଟରେ ମାମଲା ଦାୟର କରିଛନ୍ତି । ଏହି ବ୍ୟାନ୍ ସମ୍ବିଧାନ ବିରୋଧୀ ଏବଂ ପ୍ରଥମ ସଂଶୋଧନର ସିଧାସଳଖ ଉଲ୍ଲଂଘନ ବୋଲି ମାମଲାରେ ଦର୍ଶାଯାଇଛି ।

ଏକ ମିଳିତ ବିବୃତ୍ତିରେ ସଂସ୍ଥାଗୁଡ଼ିକ କହିଛନ୍ତି ଯେ, "ଆମେ ଆମର ପ୍ରଥମ ସଂଶୋଧନ ଅଧିକାରର ସୁରକ୍ଷା ପାଇଁ ଏବଂ ଗଣମାଧ୍ୟମ କ’ଣ ରିପୋର୍ଟ କିମ୍ବା ପ୍ରକାଶ କରିବ ତାହା ସରକାର ସ୍ଥିର କରିପାରିବେ ନାହିଁ ନୀତିର ରକ୍ଷା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ ।"

ଅନ୍ୟପଟେ, ଟ୍ରମ୍ପ ସୋସିଆଲ୍ ମିଡିଆରେ ନିଜ ନିଷ୍ପତ୍ତିର ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, "ହ୍ୱାଇଟ୍ ହାଉସ୍ ମୁକ୍ତ ସମ୍ବାଦପତ୍ର ଉପରେ କୌଣସି ଆକ୍ରମଣ କରୁନାହିଁ, ଯାହାକୁ ମୁଁ ବହୁତ ସମ୍ମାନ କରେ ।" ସେ ପୂର୍ବରୁ କହିଥିଲେ ଯେ, ଯଦି ଏହି ସଂସ୍ଥାଗୁଡ଼ିକ ନକାରାତ୍ମକ ଖବର ଲେଖିବାକୁ ଚାହାନ୍ତି, "ତେବେ ମୁଁ ସେମାନଙ୍କୁ ଜନସାଧାରଣଙ୍କ ଘର (ହ୍ୱାଇଟ୍ ହାଉସ୍) ଭିତରକୁ ପଶିବା ପାଇଁ ଅନୁମତି ଦେବାକୁ ବାଧ୍ୟ ନୁହେଁ ।"