ଯାଜପୁର ୨୦।୦୭ : ଡରାଇଲାଣି ବ୍ରାହ୍ମଣୀ । ଯାଜପୁର ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ। ବରି ବ୍ଲକ କିମ୍ଭିରିଆପାଳ ବାଙ୍କସାହି ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ସେହିପରି ଚନ୍ଦନପୁର ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି।

ସେପଟେ ବିପଦ ସଙ୍କେତ ଉପରେ ରହିଛି ବୈତରଣୀ । ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଏକାଧିକ ଗାଁରେ ପଶିଛି ବନ୍ୟା ପାଣି। ବନ୍ୟାରେ ଜିଲ୍ଲାର ୩ଟି ବ୍ଲକ ର ୨୮ ପଞ୍ଚାୟତର ୮୪ ଟି ଗାଁ ପ୍ରଭାବିତ ହୋଇଛି। ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ବନ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ ଅଙ୍ଗନ ବାଡ଼ି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ।

Also Read:-Flood Review: ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ କଥାହେଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଗସ୍ତ କରିବେ ବନ୍ୟା ପ୍ରଭାବିତ ଅଞ୍ଚଳ

ଅନ୍ୟପଟେ ବୈତରଣୀର ଜଳସ୍ତର ବୃଦ୍ଧି ଯୋଗୁ ବୁଢ଼ା ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ଯାହା ଦ୍ଵାରା ଅନେକ ଗାଁ ଜଳ ମଗ୍ନ ହୋଇଛି। ତେବେ ଗତକାଲି ବୁଢ଼ା ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଦୁଇଜଣ ଚାଷୀ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରୁଛନ୍ତି । ସେହିପରି ସିମିଳିଆ ପଞ୍ଚାୟତର ଭୀମ ଜେନାଙ୍କ ପୁଅ ମନୋଜ ଅଙ୍କୁରା ଘାଇ ଘୋଷରା ପାର ହେଉଥିବା ବେଳେ ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇ ଯାଇଛନ୍ତି।