ବାରିପଦା ୧୨।୫: ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ଅଭିଯୁକ୍ତଙ୍କୁ ଜେଲ୍ ଦଣ୍ଡ । ମୟୂରଭଞ୍ଜ ପୋକ୍ସୋ କୋର୍ଟରେ ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ପରେ ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଏବଂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାରେ ବାରିପଦା ସ୍ଥିତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ମଙ୍ଗଳବାର ଦିନ ବିଚାରପତି ସନ୍ତୋଷ କୁମାର ନାୟକ ଏହି ମାମଲାର ବିଚାର କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ ୫ ବର୍ଷ ଲେଖାଏଁ କାରାଦଣ୍ଡ ଓ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଏବଂ ଅନାଦେୟ ୨ ବର୍ଷ ଲେଖାଏଁ ଅଧିକ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ ୨ ଜଣ ହେଲେ ବାଲେଶ୍ୱର ଜିଲ୍ଲା କୁଣ୍ଡିଆ ଗ୍ରାମର ଦିନେଶ କୁମାର ପାତ୍ର ଏବଂ ଅନ୍ୟ ଜଣେ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ଜଡ଼ିଦା ଅଞ୍ଚଳର ଜୟକୃଷ୍ଣ ବେହେରା ।

Also Read:-ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଆସନ୍ତା ୧୪ରେ ଡିଜିଙ୍କ କାର୍ଯ୍ୟାଳୟ ଘେରିବ ବିଜେଡି

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୧ ମସିହାରେ ଜଣେ ନାବାଳିକାଙ୍କ ସହିତ ଅନୈତିକ ସମ୍ପର୍କ ସହ ତାଙ୍କ ଅଶ୍ଳୀଳ ଫଟୋ, ଭିଡିଓ ଭାଇରାଲ କରିବା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୈଶିଙ୍ଗା ଥାନା ପୋଲିସ । ଉକ୍ତ ମାମଲାରେ ୨୦ ଜଣ ସାକ୍ଷୀଙ୍କ ବୟାନ ସହିତ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଏହି ରାୟ ଶୁଣାଇଛନ୍ତି । ଏହି ମାମଲାକୁ ପି.ପି. ପ୍ରଭାତ କୁମାର ବେହେରା ପରିଚାଳନା କରୁଥିଲେ ।