ନୂଆଦିଲ୍ଲୀ: ଆମେରିକାର ହ୍ୱାଇଟ୍ ହାଉସ୍ ନିକଟରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ଲୋଗାନ୍ ସର୍କଲ୍ ଅଞ୍ଚଳରେ ଗୁରୁବାର ସକାଳେ ୫ ଜଣଙ୍କୁ ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ହ୍ୱାଇଟ୍ ହାଉସ୍ ଠାରୁ ମାତ୍ର ୧.୬ କିଲୋମିଟର ଦୂରରେ ଏହି ଘଟଣା ଘଟିଛି । ଗୁଳିକାଣ୍ଡ ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୋଲିସର ସୂଚନା ଅନୁସାରେ, ୧୫ତମ ଷ୍ଟ୍ରିଟ୍ର ୧୫୦୦ ବ୍ଲକ୍ ଅଞ୍ଚଳରେ ଏକାଧିକ ସ୍ଥାନରେ ଗୁଳିକାଣ୍ଡ ଘଟିଛି । ଏହି ଅଞ୍ଚଳରେ ଥିବା ଫିଟନେସ୍ ସେଣ୍ଟର ନିକଟରେ ମଧ୍ୟ ଗୁଳିମାଡ଼ ହୋଇଥିଲା । ଘଟଣା ସମୟରେ ଜିମରେ ପ୍ରାୟ ୫୦ ଜଣ ଥିଲେ । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଜିମ୍ ଭିତରେ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତେବେ ଅନ୍ୟ ଆହତଙ୍କ ସ୍ଥିତି ସମ୍ପର୍କରେ ସୂଚନା ମିଳିପାରିନାହିଁ ।

 

ଅନ୍ୟପଟେ ଗୁଳିକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ବ୍ୟକ୍ତି ନିକଟସ୍ଥ ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ଲୁଚି ରହିଥିବା ସୂଚନା ମିଳିଛି । ପୋଲିସର ସ୍ୱାଟ୍ ଟିମ୍ ଏବଂ ଅନ୍ୟ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଓ ସୁରକ୍ଷା ଅଭିଯାନ ଚଳାଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳ ନିକଟରେ ଥିବା ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି । ନିକଟସ୍ଥ ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି । ଏହି ଘଟଣାର ତଦନ୍ତରେ ଆମେରିକାର ଏଫବିଆଇ ଏବଂ ଏଟିଏଫ୍ ସ୍ଥାନୀୟ ପୋଲିସକୁ ସହଯୋଗ କରୁଛନ୍ତି । ତେବେ ଗୁଳିକାଣ୍ଡ ପଛର କାରଣ କ'ଣ ଏବଂ ସନ୍ଦିଗ୍ଧଙ୍କ ପରିଚୟ କ'ଣ, ସେନେଇ ତଦନ୍ତ ଜାରି ରହିଛି ।