ଭୋପାଳ: ମଧ୍ୟପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ରସଗୋଲା କହି ଜଣେ ଯୁବକଙ୍କୁ ବୋମା ଦିଆଯାଇଥିବା ଅଭିଯୋଗ ହୋଇଛି । ଯୁବକ ମଧ୍ୟ ମିଠା ଭାବି ପାଟିରେ ପୂରାଇବା ପରେ ବିସ୍ଫୋରଣ ଘଟିଥିଲା । ଏଥିରେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲ୍ଲାରେ ଏହି ଘଟଣା ଘଟିଛି । ମୃତକଙ୍କ ନାମ ରାଜେନ୍ଦ୍ର ବରୋଟିୟା । ନଭେମ୍ବର ୧୦ ତାରିଖ ମଙ୍ଗଳବାର ରାତିରେ କୋତୱାଲି ଥାନା ଅନ୍ତର୍ଗତ ପଡାରିୟା ଗାଁରେ ଏହି ଘଟଣା ଘଟିଥିଲା । ସୂଚନା ଅନୁସାରେ, ରାଜେନ୍ଦ୍ର ନିଜ ଘରେ ବସିଥିବା ସମୟରେ ରାମ ଭଗତ ବରୋଟିୟା ନାମକ ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ରାମ ଭଗତ ତାଙ୍କୁ ଏକ ଦେଶୀ ବୋମା ଦେଇଥିଲେ । ସେ ଏହାକୁ ରସଗୋଲା ବୋଲି କହିଥିବା ଅଭିଯୋଗ ହୋଇଛି । ତେବେ ରାଜେନ୍ଦ୍ର ଏହାକୁ ମିଠା ଭାବି ପାଟିରେ ରଖିବା କ୍ଷଣି ସେଥିରେ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ସେ ଗୁରୁତର ହୋଇପଡ଼ିଥିଲେ ।

Also Read: ଅସହ୍ୟ ହେଲା ପ୍ରେମିକର ବ୍ଲାକମେଲ୍ ଓ ନିର୍ଯାତନା, ଜୀବନ ହାରିଦେଲେ ଯୁବତୀ !

ରାଜେନ୍ଦ୍ରଙ୍କ ପତ୍ନୀ ସୁଶୀଳା ବାଇ କହିଛନ୍ତି, ଏହା ଜୀବଜନ୍ତୁଙ୍କୁ ମାରିବା ପାଇଁ ବ୍ୟବହୃତ ବୋମା ଥିଲା । ବିସ୍ଫୋରଣ ଶବ୍ଦ ଶୁଣିବା ପରେ ସେମାନେ ପଡ଼ୋଶୀଙ୍କ ସହାୟତା ନେଇ ରାଜେନ୍ଦ୍ରଙ୍କୁ ଏକ ଅଟୋରିକ୍ସାରେ ହସ୍ପିଟାଲ ନେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚିଥିଲା । କୋତୱାଲି ଥାନା ଅଧିକାରୀ ଦୁର୍ଗା ପ୍ରସାଦ ନାଗପୁରେଙ୍କ କହିବା ଅନୁସାରେ, ଅଭିଯୁକ୍ତ ରାମ ଭଗତଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯାଇଛି । ପୋଲିସର କହିବା ଅନୁସାରେ, ଅନ୍ଧାର ଥିବାରୁ ରାଜେନ୍ଦ୍ର ବୋମା କି ରସଗୋଲା ତାହା ଠିକରେ ଚିହ୍ନିପାରି ନଥିଲେ । ଅନ୍ୟପଟେ ଏହି ଘଟଣା ପଛରେ ବ୍ୟକ୍ତିଗତ ଶତ୍ରୁତା ରହିଛି କି ନାହିଁ, ସେନେଇ ମଧ୍ୟ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି ।