ନ୍ୟୁୟର୍କ: ମହାକାଶରେ ୬୦୮ ଦିନ ବିତାଇ ଇତିହାସ ରଚିଥିବା ଭାରତୀୟ ବଂଶୋଦଭବ ମହାକାଶଚାରୀ ସୁନୀତା ୱିଲିୟମସଙ୍କୁ ୧୦୭ତମ ନ୍ୟୁୟର୍କ ସିଟି ଭେଟେରାନ୍ସ ଡେ ପରେଡରେ ଗ୍ରାଣ୍ଡମାର୍ଶଲ ଭାବେ ସମ୍ମାନୀତ କରାଯାଇଛି। ଆମେରିକୀୟ ନୌସେନାରେ କ୍ୟାପ୍ଟେନ ପଦବୀରେ ସେବା ଦେଇଥିବା ସୁନୀତା ମେନହଟନର ଫିପଥ୍ ଏଭେନ୍ୟୁରେ ଅନୁଷ୍ଠିତ ପରେଡର ନେତୃତ୍ୱ ନେଇଛନ୍ତି। ଏହି ପରେଡରେ ଶହଶହ ପୂର୍ବତନ ସୈନିକ, ସେନା କର୍ମଚାରୀ, ମାର୍ଚିଂ ବ୍ୟାଣ୍ଡ ଓ ଅନ୍ୟ ପ୍ରତିଭାଗୀମାନେ ଅଂଶଗ୍ରହଣ କରିଥିଲେ।

ନ୍ୟୁୟର୍କର ଭାରତୀୟ ବଂଶୋଦଭବ ମେୟର ଜୋହରାନ ମମଦାନୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ସୁନୀତା କହିଛନ୍ତି ଯେ ଗ୍ରାଣ୍ଡ ମାର୍ଶଲ ଦାୟିତ୍ୱ ତୁଲାଇବା ମୋ ଲାଗି ଏକ ସମ୍ମାନଜନକ କାର୍ଯ୍ୟ। ସେ ନୌସେନାରେ କାର୍ଯ୍ୟକରିଥିବା ସମୟକୁ ମନେ ପକାଇ କହିଛନ୍ତି ଯେ ସେନାରେ ମିଳିଥିବା ଅଭିଜ୍ଞତା ସାହସ, ସମ୍ମାନ ଓ ସଂକଳ୍ପର ଗୁରୁତ୍ୱ ଶିଖାଇଛି, ଯାହା ତାଙ୍କୁ ଜୀବନର ସବୁ ଆହ୍ୱାନପୂର୍ଣ୍ଣ ସମୟରେ ମାର୍ଗଦର୍ଶନ କରିଛି।

ସେ କହିଛନ୍ତି ଯେ ମହାକାଶରେ ବିଶ୍ୱର ଅଲଗା ଅଲଗା ଦେଶର ଲୋକଙ୍କ ସହ କାମ କରିବା ଓ ରହିବାର ଅନୁଭବ ଅତ୍ୟନ୍ତ ଖାସ ଥିଲା। ସୁନୀତା କହିଛନ୍ତି ଯେ ସେନାରୁ ମିଳିଥିବା ଶିକ୍ଷାକୁ ସେ ଆଗାମୀ ପିଢୀ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତା ମାଗଣାରେ ମିଳିନଥାଏ ଓ ସୈନିକଙ୍କ ଲାଗି ବଳିଦାନକୁ କେବେ ଭୁଲି ହୁଏନା। ଆମେରିକୀୟ ମହାକାଶ ସଂସ୍ଥାନ ନାସା ସୁନୀତା ୱିଲିୟମସଙ୍କୁ ୧୯୯୮ ମସିହାରେ ମହାକାଶଚାରୀ ଭାବେ ବାଛିଥିଲା। ସେ ୩ ଥର ମହାକାଶ ଯାତ୍ରା କରିଛନ୍ତି। ସେ ମହାକାଶରେ ମୋଟ ୬୦୮ ଦିନ ବିତାଇ ପୃଥିବୀକୁ ଫେରିଛନ୍ତି। ଏହି ସମୟରେ ସେ ୬୨ଘଣ୍ଟା ୬ ମିନିଟ୍ ସ୍ପେସ୍ ୱାକ୍ କରିଛନ୍ତି।