ବେଙ୍ଗାଲୁରୁ: ସନ୍ତାନ ନ ହେବାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଲାଗି ରହିଥିଲା ଅଶାନ୍ତି। ଏହାକୁ ନେଇ ବାରମ୍ବାର ଝଗଡ଼ା ମଧ୍ୟ ହେଉଥିଲା। ଶେଷରେ ଏହି ପାରିବାରିକ କଳହ ନେଇଛି ଭୟଙ୍କର ରୂପ। ଅଭିଯୋଗ ଅନୁସାରେ, ସ୍ଵାମୀଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ସ୍ତ୍ରୀ। କର୍ଣ୍ଣାଟକର ବେଙ୍ଗାଲୁରୁରେ ଘଟିଥିବା ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି। ମୃତକ ହେଉଛନ୍ତି ୪୪ ବର୍ଷୀୟ ରାଜଶେଖର। ସେ ଏକ ବ୍ୟାଙ୍କରେ ଲୋନ ବିଭାଗରେ କାମ କରୁଥିଲେ। ସନ୍ତାନ ନ ହେବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତଭେଦ ରହିଥିବା କୁହାଯାଉଛି।

ସନ୍ତାନ ନ ହେବାକୁ ନେଇ ଘରେ ଲାଗି ରହୁଥିଲା ଝଗଡ଼ା

ସୂଚନା ଅନୁସାରେ, ବେଙ୍ଗାଲୁରୁର କେମ୍ପେଗୌଡ଼ା ନଗର ଥାନା ଅନ୍ତର୍ଗତ ଲକ୍ଷ୍ମୀପୁରା ଅଞ୍ଚଳରେ ଏହି ଘଟଣା ଘଟିଛି। ରାଜଶେଖର ଓ ମାଲାଶ୍ରୀଙ୍କ ବିବାହକୁ ପ୍ରାୟ ୫ ବର୍ଷ ହୋଇଥିଲା। କିନ୍ତୁ ସେମାନଙ୍କର କୌଣସି ସନ୍ତାନ ନଥିଲା। ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗି ରହୁଥିବା ଅଭିଯୋଗ ହୋଇଛି।

Also Read: ବିବାହ ପାଇଁ ରାଜି ହେଲେନି: ପ୍ରେମିକା ସାମ୍ନାରେ ମଲ୍‌ରୁ ଡେଇଁପଡ଼ିଲେ ଯୁବକ

ଅଭିଯୋଗ ଅନୁସାରେ, ରାଜଶେଖର ରାତିରେ ମଦ୍ୟପାନ କରି ଘରକୁ ଫେରିବା ପରେ ସ୍ତ୍ରୀଙ୍କ ସହ ଝଗଡ଼ା କରୁଥିଲେ। ସନ୍ତାନ ନ ଥିବା କଥାକୁ ନେଇ ତାଙ୍କୁ ତାତ୍ସଲ୍ୟ କରୁଥିବା ମଧ୍ୟ କୁହାଯାଉଛି। ତେବେ ଦିନବେଳେ ସେ ସ୍ତ୍ରୀଙ୍କ ସହ ଭଲ ବ୍ୟବହାର କରୁଥିଲେ ମଧ୍ୟ ରାତିରେ ମଦ ପିଇ ଫେରିବା ପରେ ବିବାଦ ଆରମ୍ଭ ହେଉଥିଲା।

ଝଗଡ଼ା ବେଳେ ଛୁରିରେ ଆକ୍ରମଣ

ଘଟଣା ଦିନ ମଧ୍ୟ ରାଜଶେଖର ମଦ୍ୟପାନ କରି ଘରକୁ ଫେରିଥିବା କୁହାଯାଉଛି। ଏହାପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଝଗଡ଼ା ଆରମ୍ଭ ହୋଇଥିଲା। ବିବାଦ ଉଗ୍ର ରୂପ ନେବା ପରେ ମାଲାଶ୍ରୀ ଏକ ଛୁରିରେ ସ୍ୱାମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ରାଜଶେଖର ଗୁରୁତର ଆହତ ହୋଇଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।

Also Read: ହତ୍ୟା ପରେ ୫ ସହର ବୁଲି ଲୁଚିଥିଲା, ଶେଷରେ ପୋଲିସ ହାତରେ ଧରାପଡ଼ିଲା କିଲର କେୟାର ଟେକର

NIMHANSରେ ଚାଲିଥିଲା ଚିକିତ୍ସା

ଏହି ଘଟଣାକୁ ନେଇ ଆଉ କିଛି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ମାଲାଶ୍ରୀ ପୂର୍ବରୁ ମାନସିକ ଅବସାଦର ଶିକାର ହୋଇଥିଲେ। ଏଥିପାଇଁ ସେ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ ହେଲଥ ଆଣ୍ଡ ନ୍ୟୁରୋସାଇନ୍ସେସ୍ (NIMHANS)ରେ ପ୍ରାୟ ୩ ମାସ ଧରି ଚିକିତ୍ସିତ ହୋଇଥିବା କୁହାଯାଉଛି। ଘଟଣାର ପ୍ରାୟ ୪ ମାସ ପୂର୍ବରୁ ସେ ହସ୍ପିଟାଲରୁ ଘରକୁ ଫେରିଥିଲେ।

ଅନ୍ୟପଟେ, ମାଲାଶ୍ରୀ ଦୁଇ ମାସର ଗର୍ଭବତୀ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ତାଙ୍କ ଗର୍ଭଧାରଣ ନେଇ ସ୍ପଷ୍ଟୀକରଣ ମିଳିନାହିଁ। ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କ'ଣ ଏବଂ ଘଟଣା ସମୟରେ କେଉଁ ପରିସ୍ଥିତି ଉପୁଜିଥିଲା, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।