ନୂଆଦିଲ୍ଲୀ ୨୮।୦୮; ନେପାଳରେ ଆସି ଥିବା ବିନାଶକାରୀ ବନ୍ୟା ସମସ୍ତଙ୍କ ହୃଦୟ ଥରାଇ ଦେଇଛି । ଆଉ ଏହାଠାରୁ ଖୁବ୍ ହୃଦୟ ବିଦାରକ ସାଜିଛି ସଦ୍ୟ ଏକ ଘଟଣା । ବନ୍ୟା ଜଳରେ ଭାସି ଆସି ଥିବା ମୃତଦେହରୁ ଅଳଙ୍କାର ଚୋରି ହେଉ ଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଥିଲା । ଏହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବକ ନେପାଳ ପୁଲିସ ,ଏଭଳି ଅମାନବୀୟ କାର୍ଯ୍ୟ କରୁଥିବା ଲୋକଙ୍କୁ କଷ୍ଟଡିକୁ ନେଇଛି । ନେପାଳ ପୁଲିସ ହେଡକ୍ୱାର୍ଟର ପକ୍ଷରୁ ' ଏକ୍ସ' ରେ ପୋଷ୍ଟ କରି ଏହି ବିଷୟରେ ସୂଚନା ଦିଆଯାଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦୁଇଜଣ ଯୁବକ ବନ୍ୟା ପାଣିରେ ଭାସି ଆସି ଥିବା ଜଣେ ମୃତ ମହିଳାଙ୍କ ମୃତଦେହରୁ ଅଳଙ୍କାର କାଢ଼ୁ ଥିବାର ଦେଖିବାକୁ ମିଳି ଥିଲା । ଏହି ଘଟଣାକୁ ନେଇ ଲୋକେ କଡ଼ା ନିନ୍ଦା କରିବା ସହ ଏହାକୁ ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ଭାବେ ଦର୍ଶାଇଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି

ଭାଇରାଲ୍ ଭିଡିଓରେ ଦେଖା ଯାଉଛି ଯେ , ନେପାଳ ପ୍ରଳୟ ପରେ ଜଣେ ମହିଳାଙ୍କ ମୃତଦେହ ଭାସି ଆସି କୂଳରେ ଲାଗିଛି। ଦୁଇଜଣ ଯୁବକ ଶବ ପାଖରେ ଛିଡ଼ା ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବାଉଁଶ ସାହାଯ୍ୟରେ ମୃତଦେହକୁ ଉପରକୁ ଉଠାଉ ଥିବା ବେଳେ ଅନ୍ୟ ଯୁବକ ଜଣକ ମହିଳାଙ୍କ କାନରୁ ଗହଣା କାଢ଼ୁଛି। ଏହି ସମୟରେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁ ନାହାନ୍ତି। ଏପରିକି ମୃତଦେହଟିକୁ ପାଣିରୁ ବାହାର କରିବାକୁ ବି କେହି ଉଦ୍ୟମ କରୁ ନାହାନ୍ତି । ମୃତଦେହ ସମ୍ପର୍କରେ କେହି ପ୍ରଶାସନକୁ ସୂଚନା ଦେଇ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଭିଡିଓ ଭାଇରାଲ୍ ହେବା କ୍ଷଣି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଚାଲିଛି ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ :

ସୂଚନା ଯେ, ନେପାଳରେ ବୁଧବାର ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୩୫୯କୁ ବୃଦ୍ଧି ପାଇଛି। ଉଦ୍ଧାରକାରୀ ଦଳ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ଆହୁରି ଅନେକ ମୃତଦେହ ଉଦ୍ଧାର କରିବା ପରେ ଏହି ସଂଖ୍ୟା ବଢ଼ି ଥିବା ପୁଲିସ ଗୁରୁବାର ସ୍ପଷ୍ଟ କରିଛି। ତିବ୍ଦତରୁ ହଠାତ୍ ଆସି ଥିବା ଏହି ଭୀଷଣ ବନ୍ୟା ମଧ୍ୟ-ନେପାଳର ଏକାଧିକ ସହର ଓ ଗାଁରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି କରିଛି। ପାଣିର ପ୍ରବଳ ସ୍ରୋତରେ ଗୁରୁତ୍ୱପୂର୍ଣ୍ଣ ପୋଲ ଗୁଡ଼ିକ ଭାସି ଯାଇଛି ଏବଂ ପ୍ରାୟ ଗୋଟିଏ ଡଜନ୍ ଜଳବିଦ୍ୟୁତ୍ ପ୍ରକଳ୍ପ ଠପ୍ ହୋଇ ଯାଇଛି। ନେପାଳ ସେନା ଓ ଅନ୍ୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ଯଥାକ୍ରମେ ରସୁୱା, ଧାଦିଂ, ନୁୱାକୋଟ୍ ଏବଂ ଚିତୱାନ୍ ଭଳି ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ବ୍ୟାପକ ସର୍ଚ୍ଚ ଓ ରେସକ୍ୟୁ ଅପରେସନ୍ ଜାରି ରଖିଛନ୍ତି।