ନୂଆଦିଲ୍ଲୀ: କ୍ରିଫ୍ଟୋ କରେନ୍ସୀ ଦୁନିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ବିଶ୍ୱର ସର୍ବ ବୃହତ୍ତ କ୍ରିପ୍ଟୋ ଏକ୍ସଚେଞ୍ଜ ବାଇନାନ୍ସ ଉପରେ ଏ ପର୍ଯ୍ୟନ୍ତର ସବୁଠୁ ବଡ଼ ସାଇବର ଆକ୍ରମଣ ହୋଇଛି ,ଏଥିରେ ପାଖାପାଖି ୫୦ ହଜାର କୋଟି ଟଙ୍କାରୁ ଅଧିକ ରାଶି ଲୁଟ ହୋଇଯାଇଛି। ବ୍ଲାକଚେନ୍ ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ଏହା ଇତିହାସର ସବୁଠୁ ବଡ଼ ଭର୍ଚୁଆଲ କରେନ୍ସୀ ଚୋରି। ଏହି ବଡ଼ ଧରଣର ଲୁଟ ପଛରେ ଉତ୍ତରକୋରିଆର କୁଖ୍ୟାତ ହ୍ୟାକର ଗୋଷ୍ଠୀଙ୍କ ହାତ ଥିବାର ଆଶଙ୍କା କରାଯାଉଛି।

ଆମେରିକୀୟ ବ୍ଲାକଚେନ୍ ତଦନ୍ତ ଫାର୍ମ ଟିଆରଏମ ଲ୍ୟାବସ୍ ଅନୁଯାୟୀ ଆକ୍ରମଣକାରୀମାନେ ଅତ୍ୟନ୍ତ ଚତୁରତାର ସହ ମାତ୍ର ୨୦ ମିନିଟ୍ ରେ ବିନାନ୍ସ ୱାଲେଟ୍ ରୁ ୧୦ଟି ଭିନ୍ନ ଭିନ୍ନ ବ୍ଲକଚେନକୁ ୬.୩୬ ବିଲିୟନ ଡଲାର ଟ୍ରାନ୍ସଫର କରିଛନ୍ତି। ମାମଲାରେ ଟିଆରଏମ ଲ୍ୟାବସ୍ ତାଙ୍କ ପାଖରେ ଏହି ଲୁଟର ମଜଭୁତ ଡିଜିଟାଲ ପ୍ରମାଣ ଥିବା ଦାବି କରୁଛନ୍ତି ଓ ଏହି ଆଧାରରେ ପୁରା ଭରସାର ସହ ଲୁଟ ପଛରେ ଉତ୍ତରକୋରିଆର ‘ଟ୍ରେଡରଟ୍ରେଟର’ ନାମକ ହ୍ୟାକିଂ ଗ୍ରୁପ ହାତ ଥିବା ଅଭିଯୋଗ କରୁଛନ୍ତି। ବ୍ଲାକ୍ ଚେନ୍ କମ୍ପାନୀ ଚାଇନାଲିସିସ୍ ର ସହ ସଂସ୍ଥାପକ ଜୋନାଥନ ଲେଭିନ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ସନ୍ଦେହ ବ୍ୟକ୍ତ କରିଛନ୍ତି ଯେ ୬.୪ ବିଲିୟନ ଡଲାରର କ୍ରିପ୍ଟୋ ଚୋରି ପଛରେ ଉତ୍ତର କୋରିଆ ଗୋଷ୍ଠୀର ହାତ ରହିଛି। କାରଣ ଏହାର ପଦ୍ଧତୀ ପୂର୍ବର ଆକ୍ରମଣ ମାନଙ୍କ ସହ ମେଳ ଖାଉଛି।

ତେବେ ବିଶ୍ୱର ସବୁଠୁ ବଡ଼ କ୍ରିପ୍ଟୋ ଏକ୍ସଚେଞ୍ଜ ବାଇନାନ୍ସ ଏହି ଲୁଟକୁ ଏକ ଜଟିଳ ଘଟଣା ବୋଲି କହିଛି। ଏଣୁ କମ୍ପାନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ସହିତ ନିଜ ବ୍ଲକଚେନ ପାର୍ଟନରଙ୍କ ସହ ମିଶି ପାଖାପାଖି ୩ ବିଲିୟନ ଡଲାରର ପ୍ରଭାବିତ ଫଣ୍ଡକୁ ଫ୍ରିଜ କରିଦେଇଛି। ମାମଲାରେ ବାଇନାନ୍ସ ନିର୍ଭର ପ୍ରତିଶ୍ରୁତି ଦେଉଛି ଯେ ୟୁଜରଙ୍କ ବୁଡି ଯାଉଥିବା ପଇସାକୁ ଫେରସ୍ତ ଆଣିବା ଲାଗି ଆଇନ ପ୍ରଣୟନକାରୀ ଏଜେନ୍ସୀ ଓ ଇଣ୍ଡଷ୍ଟ୍ରିର ଦିଗ୍ଗଜଙ୍କ ସହ ମିଶି କାମ କରୁଛି। କେବଳ ଏତିକି ନୁହେଁ କମ୍ପାନୀ ଏହି କ୍ଷତି ଭରଣା ଲାଗି ୬.୩୪ ବିଲିୟନ ଡଲାରର ପାଣ୍ଠି ଅଲଗା କରିଦେଇଛି। ଏଥିରେ ୫ ବିଲିୟନ ଡଲାରର ସେହି ଟୋକେନ ଅଛନ୍ତି ଯେଉଁମାନେ ଏହି ଆକ୍ରମଣରେ ପ୍ରଭାବିତ ହୋଇଛନ୍ତି।

ବାଇନାନ୍ସର ଅଧିକାରୀଙ୍କ ଅନୁସାରେ ୟୁଜରଙ୍କ ପାଣ୍ଠି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ତେବେ ଆତଙ୍କକୁ ଏଡାଇବା ପାଇଁ ଓ ଉପଯୁକ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ଲାଟଫର୍ମ ସମସ୍ତ ଉଠାଣ ଓ ଜମାକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛି। କମ୍ପାନୀ ସ୍ପଷ୍ଟ ଭାବେ କହିଛି ଯେ ନିର୍ଦ୍ଧାରିତ ଯୋଜନା ଅନୁସାରେ କାମ କରାଯାଉଛି ଓ ଆଶା କରାଯାଉଛି ୪୫ ଘଣ୍ଟା ମଧ୍ୟରେ ଉଠାଣ ସେବା ପୁଣି ଆରମ୍ଭ କରିଦିଆଯିବ। ହ୍ୟାକର ଗ୍ରୁପ ‘ଟ୍ରେଡରଟ୍ରେଟର’ ଉତ୍ତରକୋରିଆର ଲାଜାରସ ଗ୍ରୁପର ଏକ ଅଂଶ। ୨୦୧୪ ମସିହାରେ ଏହି ଗ୍ରୁପ ଉପରେ ସୋନି ପିକ୍ଚର ହ୍ୟାକ୍ ଅଭିଯୋଗ ଆଣିଥିଲା।