ନୂଆଦିଲ୍ଲୀ: ମଡେଲ୍ ତଥା ଅଭିନେତ୍ରୀ ତ୍ୱିଶା ଶର୍ମାଙ୍କ ମୃତଦେହର ଦ୍ୱିତୀୟ ପୋଷ୍ଟମର୍ଟମ କରାଯିବ । ପୋଷ୍ଟମର୍ଟମ କରିବା ପାଇଁ ଦିଲ୍ଲୀ ଏମ୍ସର ଡାକ୍ତରଙ୍କ ଏକ ଟିମ୍ ଭୋପାଳ ଆସିବେ । ମଧ୍ୟପ୍ରଦେଶ ହାଇକୋର୍ଟ ମୃତଦେହର ପୁଣି ଥରେ ପୋଷ୍ଟମର୍ଟମ କରିବା ପାଇଁ ମଞ୍ଜୁରି ଦେଇଛନ୍ତି । ତ୍ୱିଶାଙ୍କ ପରିବାର ପକ୍ଷରୁ ଦ୍ୱିତୀୟ ପୋଷ୍ଟମର୍ଟମ ପାଇଁ ଆବେଦନ ଦାଖଲ କରାଯାଇଥିଲା, ଏହା ଉପରେ ଶୁଣାଣି କରି ହାଇକୋର୍ଟ ପୋଲିସକୁ ଏହି ଆଦେଶ ଦେଇଛନ୍ତି । ଶୁଣାଣି ସମୟରେ ତ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂହଙ୍କ ଓକିଲ କହିଥିଲେ, ପୁଣି ଥରେ ପୋଷ୍ଟମର୍ଟମ ପାଇଁ କୌଣସି ଆପତ୍ତି ନାହିଁ । କିନ୍ତୁ ସେ ଦାବି କରିଥିଲେ ଯେ ପୋଷ୍ଟମର୍ଟମ ପରେ ମୃତଦେହକୁ ଶାଶୁ ଘର (ଅଭିଯୁକ୍ତ ପରିବାର)କୁ ହସ୍ତାନ୍ତର କରାଯିବ ।

ସଲିସିଟର୍ ଜେନେରାଲ୍ କହିଥିଲେ ଯେ ଦ୍ୱିତୀୟ ପୋଷ୍ଟମର୍ଟମ କାହା ଉପରୁ ଆଙ୍ଗୁଠି ଉଠାଇବା ନୁହେଁ, ବରଂ ସମସ୍ତ ପକ୍ଷଙ୍କ ମଧ୍ୟରେ ବିଶ୍ୱାସ ବଢାଇବା ପାଇଁ । ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଥମ ରିପୋର୍ଟର ସଠିକତା କିମ୍ବା ସମ୍ପୃକ୍ତ ଡାକ୍ତରଙ୍କ ଦକ୍ଷତା ଉପରେ ତାଙ୍କର କୌଣସି ସନ୍ଦେହ ନାହିଁ ।

ଶୁଣାଣି ବେଳେ ବରିଷ୍ଠ ଓକିଲ ମୃଗେନ୍ଦ୍ର ସିଂହ କହିଛନ୍ତି ଯେ ସମର୍ଥ ସିଂହ ତାଙ୍କ ଜାମିନ ଆବେଦନ ପ୍ରତ୍ୟାହାର କରି ଟ୍ରାଏଲ୍ କୋର୍ଟରେ ଆତ୍ମସମର୍ପଣ କରିବାକୁ ଚାହାନ୍ତି । ତେବେ ଅନୁରୋଧ କରିଥିଲେ ଯେ ଟ୍ରାଏଲ୍ କୋର୍ଟକୁ ସେହି ଦିନ ତାଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଉ । କିନ୍ତୁ ସଲିସିଟର ଜେନେରାଲ ଏହାକୁ ବିରୋଧ କରିଥିଲେ । ଏସଜି ପଚାରିଥିଲେ, "ତଦନ୍ତର ଏହି ପର୍ଯ୍ୟାୟରେ ଅଭିଯୁକ୍ତର କୌଣସି ଅଧିକାର ଅଛି କି ? ସେ ଆତ୍ମସମର୍ପଣ କରିବାକୁ ଚାହାନ୍ତି । ମୋର ଏଥିରେ କୌଣସି ସମସ୍ୟା ନାହିଁ । ପୋଷ୍ଟମର୍ଟମ ସମ୍ପର୍କରେ କୋର୍ଟରେ କଥା ହେବାର ତାଙ୍କର କୌଣସି ଅଧିକାର ନାହିଁ ।"

ଭୋପାଳ ଆସିବେ ଦିଲ୍ଲୀ ଏମ୍ସ ଟିମ୍

ତ୍ୱିଶାଙ୍କ ପୋଷ୍ଟମର୍ଟମ ପାଇଁ ଦିଲ୍ଲୀରୁ ଟିମ୍ ଆସି ଭୋପାଳ ଏମ୍ସରେ ଦ୍ୱିତୀୟ ଥର ପାଇଁ ଶବ ବ୍ୟବଚ୍ଛେଦ କରିବେ । ପୋଷ୍ଟମର୍ଟମର ଭିଡିଓ ରେକର୍ଡିଂ ମଧ୍ୟ କରାଯିବ । ସେପଟେ ରାଜ୍ୟ ସରକାର ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ଏଥିପାଇଁ ଶୁକ୍ରବାର ଏକ ପ୍ରସ୍ତାବ ପତ୍ର ପଠାଯାଇଛି ।

ବିବାହର ପାଞ୍ଚ ମାସ ପରେ ତ୍ୱିଶାଙ୍କ ସନ୍ଦେହଜନକ ମୃତ୍ୟୁ

ଉଲ୍ଲେଖଯୋଗ୍ୟ ଯେ ମଡେଲ ତ୍ୱିଶା ଶର୍ମା ତାଙ୍କ ସ୍ୱାମୀ ସମର୍ଥ ସିଂହଙ୍କୁ ଏକ ଡେଟିଂ ଆପ୍ ମାଧ୍ୟମରେ ଭେଟିଥିଲେ । ସମର୍ଥ ପେଶାରେ ଜଣେ ଓକିଲ । ଡିସେମ୍ବର ୨୦୨୫ରେ ଦୁହିଁଙ୍କ ବିବାହ ହୋଇଥିଲା । କିନ୍ତୁ ବିବାହର ମାତ୍ର ପାଞ୍ଚ ମାସ ପରେ, ତ୍ୱିଶାଙ୍କ ମୃତ୍ୟୁ ସନ୍ଦେହଜନକ ପରିସ୍ଥିତିରେ ମେ’ ୧୨ରେ ହୋଇଥିଲା । ପରିବାର ଅଭିଯୋଗ କରିଛି ଯେ ତ୍ୱିଶାଙ୍କ ଶାଶୁ ଏବଂ ସ୍ୱାମୀ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ । ସେମାନେ ଦ୍ୱିତୀୟ ପୋଷ୍ଟମର୍ଟମ ଦାବିରେ ଅଡ଼ି ବସିଥିଲେ । ଏହି କାରଣରୁ, ସେମାନେ ଭୋପାଳ ଏମ୍ସରୁ ମୃତଦେହ ଗ୍ରହଣ କରୁନାହାନ୍ତି ।