ଚେନ୍ନାଇ: ତାମିଲନାଡ଼ୁରେ ଟିଭିକେ ସରକାର ଆସିବା ପରଠୁ ରାଜ୍ୟର ରାଜନୀତ ଅଲଗା ସ୍ତରରେ ପହଞ୍ଚିସାରିଛି । ଦୀର୍ଘ ବର୍ଷ ଯାଏ ରାଜ୍ୟରେ ଡିଏମକେ ସହଯୋଗୀ ଥିବା କଂଗ୍ରେସ ଏବେ ଟିଭିକେ ସରକାରରେ ସହଯୋଗୀ । ନେତୃତ୍ୱଙ୍କ ଘୋଷଣାରେ ସିନା ରାଜ୍ୟରେ ମେଣ୍ଟ ସରକାର ହୋଇଛି, କିନ୍ତୁ କର୍ମୀ ଏବଂ ନେତାଙ୍କ ମନ ମିଶି ନଥିବା ସ୍ପଷ୍ଟ ଜଣାପଡ଼ୁଛି । ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେ ଦଳର ବିଧାୟକ ଏବଂ କଂଗ୍ରେସର ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି । ବିବାଦ ଏତେ ଅଧିକ ହୋଇଥିଲା ଯେ ଟିଭିକେ ବିଧାୟକ ନବଲପଟ୍ଟୁ ଭିଜି, କଂଗ୍ରେସ ସାଂସଦ କ୍ରିଷ୍ଟୋଫର୍ ତିଲକ ଧରିଥିବା ମହମବତୀଙ୍କୁ ତଳେ ପକାଇ ଦେଇଥିଲେ ।

ଘଟଣା ସମୟରେ ମଞ୍ଚ ଉପରେ କିଛି ସମୟ ଯାଏ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମରେ ତାମିଲନାଡ଼ୁ ସରକାରର ହିନ୍ଦୁ ଧାର୍ମିକ ତଥା ଧର୍ମାର୍ଥ ବିଭାଗ ମନ୍ତ୍ରୀ ଏସ୍. ରମେଶ ମଧ୍ୟ ଉପସ୍ଥିତ ରହିଥିଲେ । ବିବାଦ ବଢିବା ଦେଖି ସେ ଏଥିରେ ହସ୍ତକ୍ଷେପ କରି ଦୁହିଁଙ୍କୁ ଶାନ୍ତ କରାଇବା ଚେଷ୍ଟା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ତ୍ରିଚିଠାରେ ସମନ୍ୱିତ ଶିଶୁ ବିକାଶ ସେବା ପକ୍ଷରୁ ଏକ ଗର୍ଭବତୀ ମହିଳାଙ୍କ ପାଇଁ ସାମୂହିକ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ମନ୍ତ୍ରୀ ଏସ୍.ରମେଶଙ୍କ ସହିତ ତିରୁଭେରୁମ୍ବୁରରୁ ଟିଭିକେ ବିଧାୟକ ନବଲପଟ୍ଟୁ ଭିଜି, କଂଗ୍ରେସ ରାଜ୍ୟସଭା ସାଂସଦ କ୍ରିଷ୍ଟୋଫର୍ ତିଲକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ପାରମ୍ପରିକ ଦୀପ ପ୍ରଜ୍ଜ୍ୱଳନରୁ ହେଉଥିଲା । ପ୍ରଥମେ ମନ୍ତ୍ରୀ ରମେଶ ଦୀପ ଜାଳିଥିଲେ ଏବଂ ତା’ପରେ ଜିଲ୍ଲା କଲେକ୍ଟର ପ୍ରତୀକ ଦୟାଲ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହି ସମୟରେ କଂଗ୍ରେସ ସାଂସଦଙ୍କୁ ମହମବତୀ ଦିଆଯିବା ପରେ ବିବାଦ ଆରମ୍ଭ ହୋଇଥିଲା ।

 

ରାଗିଗଲେ ଟିଭିକେ ବିଧାୟକ ?

ସୂଚନା ଅନୁସାରେ, ପ୍ରୋଟୋକଲ୍ ଅନୁଯାୟୀ ଦୀପ ଜାଳିବାର ସୁଯୋଗ ଦିଆନଯିବାରୁ ଟିଭିକେ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ଯେତେବେଳେ କଂଗ୍ରେସ ସାଂସଦ କ୍ରିଷ୍ଟୋଫର୍ ଦୀପ ଜାଳିବାକୁ ଆଗେଇ ଆସିଲେ, ସେ ଏହାକୁ ବିରୋଧ କଲେ । ପରେ କଂଗ୍ରେସ ସାଂସଦ ମହମବତୀ ଭିଜିଙ୍କ ଆଡ଼କୁ ବଢ଼ାଗଲେ, ବିଧାୟକ ମହମବତୀ ନେବା ପରିବର୍ତ୍ତେ ତାହାକୁ ତଳେ ଫିଙ୍ଗି ଦେଇଥିଲେ । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମଞ୍ଚରେ ଉପସ୍ଥିତ ମନ୍ତ୍ରୀ ରମେଶ ହସ୍ତକ୍ଷେପ କରି ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ଏହି ଘଟଣା ଟିଭିକେ ଏବଂ କଂଗ୍ରେସ ମଧ୍ୟରେ ସ୍ଥାନୀୟ ସ୍ତରରେ ଚାଲିଥିବା ରାଜନୈତିକ ଟଣାଓଟରାକୁ ଚର୍ଚ୍ଚାକୁ ଆଣିଛି ।