ମୁମ୍ବାଇ: ଟେଲିଭିଜନ ଜଗତରୁ ଆସିଲା ଏକ ଦୁଃଖଦ ଖବର। ମାତ୍ର ୩୩ ବର୍ଷ ବୟସରେ ଆଖି ବୁଜିଛନ୍ତି ଜଣେ ଲୋକପ୍ରିୟ ଟିଭି ଅଭିନେତା ଅନୁଜ ଠାକୁର। ଅକ୍ଟୋବର ୨୭ ତାରିଖରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଶୋଇଥିବା ସମୟରେ ସିଜର୍ ବା ଫିଟ୍ସ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ତାଙ୍କ ଘନିଷ୍ଠ ବନ୍ଧୁ ରୁପେଶ ସୋନାର ସୋସିଆଲ ମିଡିଆରେ ଜଣାଇଛନ୍ତି।

ଅନୁଜଙ୍କ ବନ୍ଧୁ ତଥା କାଷ୍ଟିଂ ଡାଇରେକ୍ଟର ରୁପେଶ ସୋନାର ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରି ତାଙ୍କ ମୃତ୍ୟୁ ଖବର ବିଷୟରେ ଜଣାଇଥିଲେ। ରୁପେଶଙ୍କ କହିବା ଅନୁସାରେ, ଅନୁଜ ପ୍ରତିଦିନ ଭୋର୍ ୪ଟା ୩୦ରେ ଉଠି ବ୍ୟାୟାମ ଓ ଜଗିଂ କରୁଥିଲେ। କିନ୍ତୁ ଅକ୍ଟୋବର ୨୭ ତାରିଖ ସକାଳେ ତାଙ୍କ ଆଲାର୍ମ ବାଜିଥିଲେ ମଧ୍ୟ ସେ ଉଠିନଥିଲେ। ପରେ ତାଙ୍କ ମାଆ ତାଙ୍କୁ ନିଦରୁ ଉଠାଇବାକୁ ଯାଇଥିବା ବେଳେ ସେ ମୃତ ବୋଲି ଜଣିଆବକୁ ପାଇଥିଲେ । ରୁପେଶଙ୍କ କହିବା କଥା, ଅନୁଜଙ୍କର ପୂର୍ବରୁ ମଧ୍ୟ ଫିଟ୍ସ ସମସ୍ୟା ହୋଇଥିଲା ଏବଂ ସେ ଏଥିପାଇଁ ଔଷଧ ସେବନ କରୁଥିଲେ। ଏହି ଅକାଳ ମୃତ୍ୟୁ ଖବର ପରିବାର ସଦସ୍ୟ ଓ ତାଙ୍କ ପ୍ରଶଂସକଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଛି। ସୂଚନା ଥାଉ କି , ଅନୁଜ ଠାକୁର 'ଧୁମ ମଚାଓ ଧୁମ', 'ବନ୍ଧନ ସାଥ ଜନ୍ମୋ କା', 'ବିନ୍ଦ ବନୁଙ୍ଗା, ଘୋଡ଼ି ଚଢ଼ୁଙ୍ଗା' ଏବଂ 'ମହିସାଗର' ଭଳି ଅନେକ ଟେଲିଭିଜନ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ୨୦୦୮ ମସିହାରେ 'ବନ୍ଧନ ସାଥ ଜନ୍ମୋ କା' ଧାରାବାହିକରୁ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା।

ରୁପେଶ କହିଛନ୍ତି ଯେ, ମୃତ୍ୟୁର ମାତ୍ର ୧୦ ଦିନ ପୂର୍ବରୁ ସେ ଅନୁଜଙ୍କୁ ଭେଟିଥିଲେ। ସେତେବେଳେ ଅନୁଜ ଟେଲିଭିଜନ ଜଗତକୁ ପୁଣିଥରେ ଫେରିବା ପାଇଁ ଯୋଜନା କରୁଥିଲେ। ଦୁହେଁ ମିଶି ଆଗାମୀ ପ୍ରୋଜେକ୍ଟ ପାଇଁ ମଧ୍ୟ ଆଲୋଚନା କରିଥିଲେ। ଅନୁଜଙ୍କ ବିୟୋଗରେ ଅଭିନେତା ଭାକୁଆର ଶେଖ୍ ଏବଂ 'ବିଗ୍ ବସ୍ ୧୮' ଫେମ୍ ୟାମିନୀ ମାଲହୋତ୍ରାଙ୍କ ସମେତ ଅନେକ ଟେଲିଭିଜନ କଳାକାର ଶୋକ ପ୍ରକାଶ କରିଛନ୍ତି। ଏତେ କମ୍ ବୟସରେ ଜଣେ ପ୍ରତିଭାବାନ ଅଭିନେତାଙ୍କ ଏଭଳି ଅକାଳ ବିୟୋଗ ଟେଲିଭିଜନ ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି ।