ଚଣ୍ଡିଗଡ଼, ୨/୧୧ : ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଲାଣି ତାତି । ପ୍ରାର୍ଥୀ ତାଲିକା ଘୋଷଣା କଲେଣି ବିବିନ୍ନ ଦଳ । ଜିତିବା ପାଇଁ ଏବେଠୁ କଳ ବଳ କୌଶଳ ଲଗାଇ ଦେଲେଣି । ଏସବୁ ଭିତରେ ଦଳଡିଆଁ ପର୍ବ ମଧ୍ୟ ଆରମ୍ଭ ହୋଇଗଲାଣି । ଯାହା ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା ଦେଇଛି । ଦୁଇ ଦିନ ମଧ୍ୟରେ ଦଳର ତିନି ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଏହାସହ ସେମାନେ ବିଜେପିରେ ଯୋଗ ଦେଇଛନ୍ତି ।

ଅମୃତସର ଉତ୍ତର ବିଧାୟକ ତଥା ପୂର୍ବତନ ଆଇପିଏସ ଅଧିକାରୀ କୁଓ୍ୱଂର ବିଜୟ ପ୍ରତାପ ସିଂ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ରବିବାର ପଟିଆଲା ଜିଲ୍ଲାର ସମାନାରୁ ବିଧାୟକ ଚେତନ ସିଂ ଏବଂ ସନୋର ବିଧାୟକ ହରମୀତ ସିଂ ଆପର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତିନି ନେତା ସୋମବାର ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

Also Read :- 'ରାହୁଲ ଗାନ୍ଧୀ ବାଂଲାଦେଶରେ ନିର୍ବାଚନ ଲଢିବେ, ମୁଁ ତାଙ୍କୁ ଢାକା ପଠାଇବି'- ବିଶ୍ୱଶର୍ମା

ବିଜୟ ପ୍ରତାପ ସିଂ ବିଧାନସଭା ବାଚସ୍ପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ସେ ପୂର୍ବରୁ ଆଇପିଏସ ଥିଲେ । ୨୦୨୨ରେ ସେ ଆପରେ ସାମିଲ ହୋଇଥିଲେ । ଦୀର୍ଘଦିନ ଧରି ସେ ଦଳରେ ଅସନ୍ତୁଷ୍ଟ ରହିଥିଲେ । ମୁଖ୍ୟମନ୍ତ୍ରୀ ଭଗବତ ମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିଲା । ଲଗାତାର ଭାବେ ସେ ସରକାର ଉପରେ ପ୍ରଶ୍ନ କରୁଥିଲେ ।

ସେହିପରି ଦଳ ଛାଡିଥିବା ଅନ୍ୟ ଦୁଇ ବିଧାୟକ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୁଷ୍ଟ ଥିଲେ । କିଛି ଦିନ ତଳେ ଆପ୍ ତରଫରୁ ୪୦ ଜଣିଆ ତାଲିକା ଘୋଷଣା କରାଯାଇଥିଲା । ଏଥିରେ ଚେତନ ଏବଂ ହରମୀତଙ୍କ ନାଁ ନଥିଲା । ଯାହା ପରେ ସେମାନେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ପଦ୍ମ ଧରିଛନ୍ତି ।