ଜୟପୁର, ୨/୧୧ : ରାଜସ୍ଥାନର ଝୁନଝୁନୁ ଜିଲ୍ଲାରେ ବଡ଼ ଅଘଟଣ । ଏଠାରେ ଏକ ରାସ୍ତା କାମ ଚାଲିଥିବା ବେଳେ ୮ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଏକ ମେସିନରେ ହାଇ ଭୋଲଟେଜ୍ କରେଣ୍ଟ ଆସିଯିବାରୁ ଏପରି ଅଘଟଣ ଘଟିଛି । ଏହାସହ ଅନ୍ୟ କିଛି ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁସାରେ, ଜିଲ୍ଲାର ଛାପୋଲୀ ସହରର ଏକ ଆବାସିକ ଅଞ୍ଚଳରେ ରାସ୍ତା କାମ ଚାଲିଥିଲା । ଏହି ରାସ୍ତା ଛାପୋଲୀରୁ କଦମ କୁଣ୍ଡକୁ ଯୋଡିଥାନ୍ତା । ଏଥିରେ ଅନେକ ଶ୍ରମିକ ନିୟୋଜିତ ହୋଇଥିଲେ । ରାସ୍ତା କାମରେ ବାଲି-ଗୋଡି ଏବଂ ସିମେଣ୍ଟ ମିକ୍ସର୍ ମେସିନର ବ୍ୟବହାର କରାଯାଇଥିଲା । ହଠାତ ଉପରେ ଯାଇଥିବା ୧୧କେଭିର ଏକ ତାର ସହ ମେସିନଟି ଲାଗି ଯାଇଥିଲା । ଯାହା ପରେ ମେସିନରେ କରେଣ୍ଟ ବ୍ୟାପି ଯାଇଥିଲା । ଫଳରେ କାମ କରୁଥିବା ଶ୍ରମିକଙ୍କୁ ଭୟଙ୍କର ବିଦ୍ୟୁତ ଆଘାତ ଲାଗିଥିଲା ।

ଆଘାତ ଲାଗିବା ପରେ କିଛି ଜଣ ଅଚେତ ହୋଇ ତଳେ ପଡି ଯାଇଥିଲେ । ଯାହା ଦେଖିବା ପରେ ତୁରନ୍ତ ଆଖପାଖର ଲୋକେ ରୁଣ୍ଡ ହୋଇଯାଇଥିଲେ । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ୮ ଶ୍ରମିକଙ୍କୁ ମୃତ ଘୋଷଣା କରିଛନ୍ତି। ଏହାସହ ଅନ୍ୟ କିଛି ଶ୍ରମିକଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି ।