ମସ୍କୋ : କ୍ରୁଡ ତେଲକୁ ନେଇ ପୁଣି ଚର୍ଚ୍ଚାରେ ଟ୍ରମ୍ପଙ୍କ ନୂଆ ନୀତି । ପୁଟିନଙ୍କ ସହ ମିଶି ଟ୍ରମ୍ପ ଆରମ୍ଭ କରୁଛନ୍ତି ତୈଳ କୂଟନୀତି । ରୁଷିଆର ତେଲ ଓ ଇନ୍ଧନକୁ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବଦଳାଇଛନ୍ତି ନୀତି । ରୁଷୀୟ ଡିଜେଲ୍ ଉପରୁ କଟକଣା କୋହଳ କରିବା ପରେ ଟ୍ରମ୍ପ ନିଜେ ରୁଷିଆରୁ ତେଲ କିଣିବା ନେଇ କରିଥିବା ଦାବି ସାମ୍ନାକୁ ଆସିଛି। ଏହି ନିଷ୍ପତ୍ତି ଏପ୍ରିଲ୍ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ ବୋଲି କୁହାଯାଉଛି । ଶୁକ୍ରବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଏହି ଘୋଷଣା କରିଥିବା ଜଣାପଡ଼ିଛି। ଏଥିସହ ରୁଷିଆ ଆମେରିକାକୁ ଡିଜେଲ୍ ଯୋଗାଣ କରିବ ବୋଲି ମଧ୍ୟ ସେ କହିଛନ୍ତି ।

ନିଜର ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍' ରେ ଏକ ପୋଷ୍ଟ ମାଧ୍ୟମରେ ଟ୍ରମ୍ପ ଜଣାଇଛନ୍ତି ଯେ, ସେ ନିକଟରେ ପୁଟିନ୍ଙ୍କ ସହ ଅତ୍ୟନ୍ତ ସଫଳ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ଏହା ସ୍ଥିର ହୋଇଛି ଯେ ଋଷ ତୁରନ୍ତ ଆମେରିକା ଏବଂ ବିଶ୍ୱ ବଜାରକୁ ୩,୦୦,୦୦୦ ଟନ୍ରୁ ଅଧିକ ଡିଜେଲ୍ ଯୋଗାଇବ। ସେ କହିଛନ୍ତି ଯେ ଋଷ ନଭେମ୍ବର ମାସରେ ଅତିରିକ୍ତ ୫,୦୦,୦୦୦ ଟନ୍ ଡିଜେଲ ଯୋଗାଇବ। ଏହା ପରେ ତୁରନ୍ତ ଆଉ ୧ ନିୟୁତ ଟନ୍ ଡିଜେଲ ଯୋଗାଇ ଦିଆଯିବ। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଋଷର ଡିଜେଲ ବିଶୋଧନାଗାରଗୁଡ଼ିକର ସ୍ଥିତିକୁ ବିଚାରକୁ ନେଇ, ପରବର୍ତ୍ତୀ ସମୟରେ ଅଳ୍ପ ସମୟ ମଧ୍ୟରେ ୩ ନିୟୁତ ଟନ୍ ଡିଜେଲ ଇନ୍ଧନ ଯୋଗାଇ ଦିଆଯିବ। ତେବେ ଏହି ଘୋଷଣା ଏପରି ସମୟରେ କରଯାଇଛି ଯେତେବେଳେ ଇରାନ ସହ ଜଡ଼ିତ ବିବାଦ ମଧ୍ୟରେ ଆମେରିକା ଇନ୍ଧନ ମୂଲ୍ୟବୃଦ୍ଧି ସମସ୍ୟାର ସାମ୍ନା କରୁଛି ।

ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଏହି ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି। ଏହି ସମୟରେ, ଆମେରିକାର ଟ୍ରେଜେରୀ ବିଭାଗ ଜଣାଇଛି ଯେ ରୁଷୀୟ ଡିଜେଲ ବିକ୍ରି ଉପରେ ଥିବା କଟକଣାକୁ ୨୦୨୭ ମସିହା ଅପ୍ରେଲ ମାସ ପର୍ଯ୍ୟନ୍ତ ହଟାଇ ଦିଆଯାଇଛି। ଅନ୍ୟପଟେ, ରୁଷିଆରୁ ତୈଳ ଓ ଗ୍ୟାସ୍ କିଣୁଥିବା ପ୍ରମୁଖ ଦେଶ ଓ କମ୍ପାନୀଗୁଡ଼ିକ ଉପରେ ଭାରୀ ଶୁଳ୍କ ଲଗାଇବା ପାଇଁ ଆମେରିକା ଏକ ଆଇନଗତ ପଦକ୍ଷେପ ନେବାକୁ ଉଦ୍ୟମ ଚଳାଇଛି । ଏହି ପ୍ରସ୍ତାବର ଉଦ୍ଦେଶ୍ୟ ରୁଷିଆର ଶକ୍ତି କ୍ଷେତ୍ରରୁ ହେଉଥିବା ଆୟ ଉପରେ ଚାପ ସୃଷ୍ଟି କରିବା । ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ସମ୍ପର୍କ, ଅନ୍ତର୍ଜାତୀୟ ତୈଳ ବଜାର ଏବଂ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକାର ରଣନୀତି ଉପରେ ଏବେ ବିଶ୍ୱର ନଜର ରହିଛି। ଏପରି ପରିସ୍ଥିତିରେ ରୁଷୀୟ ଇନ୍ଧନ ସମ୍ପର୍କିତ କଟକଣାରେ କୌଣସି ପରିବର୍ତ୍ତନ ବିଶ୍ୱ ଅର୍ଥନୀତି ଉପରେ କେତେ ଦୂର ପ୍ରଭାବ ପକାଇପାରେ ତାହା ଦେଖିବା ବାକି ରହିଲା ।