ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି । ଯଦି ଇରାନ୍ କୌଣସି ବୁଝାମଣା ନକରେ, ତେବେ ଏଥର ଆମେରିକା ବଡ଼ ଆକ୍ରମଣ କରିବ ବୋଲି ଟ୍ରମ୍ପ କହିଛନ୍ତି । ଏଥର ଇରାନର ଗୁରୁତ୍ବପୂର୍ଣ୍ଣ ଖାର୍ଗ ଦ୍ବୀପ ଏବଂ ତୈଳ କୂପ ଉଡ଼ାଇ ଦେବେ ବୋଲି ଟ୍ରମ୍ପ ଚରମବାଣୀ ଶୁଣାଇଛନ୍ତି । ସେପଟେ ଇରାନ୍ ସହିତ ଏକ ଚୁକ୍ତି ପାଇଁ ଆଲୋଚନା ଚାଲିଛି ବୋଲି ଟ୍ରମ୍ପ ଦାବି କରୁଥିବା ବେଳେ ଏହାକୁ ତେହେରାନ ଅସ୍ବୀକାର କରିଛି ।

ୟେମେନର ହୁତି ବିଦ୍ରୋହୀ ଇରାନ୍ ସମର୍ଥନରେ ଯୁଦ୍ଧକୁ ଓହ୍ଲାଇବା ପରେ ଆମେରିକା ଚରମବାଣୀ ଶୁଣାଇଛି । ହୁତି ବିଦ୍ରୋହୀ ଯୁଦ୍ଧକୁ ଡେଇଁବା ପରେ ହର୍ମୁଜ ଭଳି ଆଉ ଏକ ଜଳପଥ ‘ବାବ୍-ଅଲ ମାଣ୍ଡେବ୍’ ବିପଦରେ । ପୂର୍ବରୁ, ଟ୍ରମ୍ପ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଇରାନର ତୈଳ ପ୍ଲାଣ୍ଟ ଉପରେ ବୋମା ମାଡ଼ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏବେ ଟ୍ରମ୍ପ ଦାବି କରିଛନ୍ତି ଯେ, ସେ ଇରାନର ନେତାମାନଙ୍କ ସହିତ ଆଲୋଚନା କରୁଛନ୍ତି।

ଗୋଟିଏ ପଟେ ଆଲୋଚନା ଚାଲିଛି ବୋଲି ଟ୍ରମ୍ପ ଦାବି କରୁଛନ୍ତି । ଅନ୍ୟପଟେ ଟ୍ରୁଥ ସୋସିଆଲରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି । ଯଦି କୌଣସି ଚୁକ୍ତି ନ ହୁଏ ତେବେ ସେ ଇରାନକୁ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି।

Also Read: Fears of cable cuts: ଯୁଦ୍ଧ ମଧ୍ୟରେ ଘନେଇଲା ଆଉ ଏକ ସଙ୍କଟ, ପ୍ରଭାବିତ ହୋଇପାରେ ଭାରତ

କ’ଣ କହିଲେ ଟ୍ରମ୍ପ ?

ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ‘ଇରାନରେ ଆମର ସାମରିକ ଅଭିଯାନ ବନ୍ଦ କରିବା ପାଇଁ ଆମେରିକା ଏକ ନୂତନ ଏବଂ ଅଧିକ ବୁଦ୍ଧିମାନ ଶାସକଙ୍କ ସହିତ ଆଲୋଚନା କରୁଛି। ଆଲୋଚନା ଯଥେଷ୍ଟ ଅଗ୍ରଗତି ହୋଇଛି । କିନ୍ତୁ ଯଦି କୌଣସି କାରଣରୁ, ଶୀଘ୍ର ଏକ ଚୁକ୍ତିନାମା ନହୁଏ ଏବଂ ହର୍ମୁଜ୍ ପ୍ରଣାଳୀ ତୁରନ୍ତ ଖୋଲା ନଯାଏ, ତେବେ ଆମେ ଇରାନରେ ଶକ୍ତି କେନ୍ଦ୍ର, ତୈଳ କୂପ, ଖାର୍ଗ ଦ୍ୱୀପ ଧ୍ୱଂସ କରିଦେବୁ ।’

ଟ୍ରମ୍ପଙ୍କ ନଜରରେ ଖାର୍ଗ ଦ୍ବୀପ !

ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ଆମେରିକା ଇରାନର ଖାର୍ଗ ଦ୍ୱୀପରେ ବୋମା ମାଡ଼ କରିଥିଲା । ଖାର୍ଗ ଦ୍ୱୀପରେ ଥିବା ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା ଆମେରିକା। ଖାର୍ଗ ଦ୍ୱୀପ ଇରାନ ଏବଂ ଏହାର ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇରାନର ତୈଳ ବାଣିଜ୍ୟର ୯୦ ପ୍ରତିଶତ ଖାର୍ଗ ଦ୍ବୀପରୁ ହୋଇଥାଏ । ଇରାନର ସର୍ବବୃହତ୍ତମ ତୈଳ ରପ୍ତାନୀ କେନ୍ଦ୍ର ଖାର୍ଗ ଦ୍ୱୀପରେ ଅବସ୍ଥିତ।