ରାୟଗଡ଼ା: ରାୟଗଡ଼ା ପୌର ପରିଷଦରେ ରାଜନୈତିକ ହଟଚମଟ । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷ ମହେଶ ପଟ୍ଟନାୟକ ଓ ୧୬ ନମ୍ବର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀ । ଉଭୟଙ୍କୁ ନିଲମ୍ବନ କରାଯାଇଥିବା ନେଇ ବିଜେଡି ପକ୍ଷରୁ ଆଦେଶ ଜାରି ହୋଇଛି । ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ସ୍ୱାକ୍ଷରରେ ଜାରି ଆଦେଶରେ ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଉଭୟଙ୍କ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଥିବା ଉଲ୍ଲେଖ ରହିଛି ।

ସୂଚନାଥାଉକି, ମଙ୍ଗଳବାର ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷା ପଦ ପାଇଁ ଉପନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ୧୬ ନମ୍ବର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ଫଳରେ ସେ ନିର୍ଦ୍ବନ୍ଦ୍ୱରେ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଉପନିର୍ବାଚନରେ ପୌର ପରିଷଦର ମୋଟ ୨୪ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ଉପସ୍ଥିତ ଥିଲେ । ପୂର୍ବରୁ ଏହି ପଦରେ ଥିବା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଭୋଟିଂରେ ସେ ପରାସ୍ତ ହେବା ପରେ ଉପାଧ୍ୟକ୍ଷା ପଦ ଖାଲି ପଡ଼ିଥିଲା। ଏହାପରେ ନୂତନ ଉପାଧ୍ୟକ୍ଷା ଚୟନ ପାଇଁ ଉପନିର୍ବାଚନ କରାଯାଇଥିଲା।

Also Read: CAG ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ, କହିଲେ- ଯଦି ପ୍ରମାଣ ଅଛି, ଆକ୍ସନ ନିଅ... କାହାକୁ ଅପେକ୍ଷା କରୁଛ ?

୨୪ କାଉନସିଲରଙ୍କୁ ନେଇ ପୌର ପରିଷଦ

ସୂଚନାଥାଉକି, ରାୟଗଡ଼ା ପୌର ପରିଷଦରେ ମୋଟ ୨୪ ଜଣ କାଉନସିଲର ଅଛନ୍ତି। ଏଥିରେ ବିଜେପିର ୨ ଜଣ, ବିଜେଡିର ୨ ଜଣ ଏବଂ କଂଗ୍ରେସର ଜଣେ କାଉନସିଲର ରହିଛନ୍ତି। ଅନ୍ୟ ୧୯ ଜଣ କାଉନସିଲର ବିଜୁ ସ୍ୱାଭିମାନ ମଞ୍ଚର ସଭାପତି ଏନ୍. ଭାସ୍କର ରାଓଙ୍କ ସମର୍ଥକ ଭାବେ ରହିଛନ୍ତି । ଅନ୍ୟପଟେ ଉପାଧ୍ୟକ୍ଷା ପଦକୁ ନେଇ ପୂର୍ବରୁ ପୌର ପରିଷଦରେ ରାଜନୈତିକ ଟଣାଓଟରା ଲାଗି ରହିଥିବା ବେଳେ ଆଜି ଶ୍ରମିତା ପାଢ଼ୀଙ୍କ ନିର୍ବାଚନ ଏବଂ ଏହାପରେ ବିଜେଡିରୁ ତାଙ୍କ ସହ ମହେଶ ପଟ୍ଟନାୟକଙ୍କ ନିଲମ୍ବନ ଘଟଣା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । 

​​​​​​​