ନୂଆଦିଲ୍ଲୀ: ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ସିଜନ୍ ୫ (India's Best Dancer Season 5) ର ବିଜେତା ହୋଇଛନ୍ତି ରିତେଶ ପାଲ୍। ଗ୍ରାଣ୍ଡ ଫିନାଲେର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସେ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପଛରେ ପକାଇ ଚଳିତ ସିଜିନ୍‌ର ଟ୍ରଫି ନିଜ ନାଁରେ କରିଛନ୍ତି। ଟ୍ରଫି ସହିତ ୧୯ ବର୍ଷୀୟ ଏହି ପ୍ରତିଭାବାନ ନୃତ୍ୟଶିଳ୍ପୀଙ୍କୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ମିଳିଛି। ଏହି ସଫଳତାରେ ତାଙ୍କର କୋରିଓଗ୍ରାଫର୍ ତଥା ମେଣ୍ଟର ପ୍ରତୀକ ଉତେକର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଶୋ’ର ବିଚାରକ କରିସ୍ମା କପୁର, ଜାଭେଦ୍ ଜାଫେରୀ, ଗୀତା କପୁର ଏବଂ ଟେରେନ୍ସ ଲୁଇସ୍‌ଙ୍କ ଉପସ୍ଥିତିରେ ଗ୍ରାଣ୍ଡ୍ ଫିନାଲେ ହୋଇଥିଲା । ଏହାସହ ଗ୍ରାଣ୍ଡ ଫିନାଲେରେ ସ୍ପେଶାଲ ଗେଷ୍ଟ ଭାବେ ଜ୍ୟାକି ଶ୍ରଫ୍, ତମନ୍ନା ଭାଟିଆ ଓ ସିଦ୍ଧାର୍ଥ ମଲହୋତ୍ରା ଯୋଗ ଦେଇ ଶୋ’ର ଶୋଭା ବଢ଼ାଇଥିଲେ। ବିଜୟୀ ହେବା ପରେ ରିତେଶ ସମସ୍ତ ବିଚାରକ ଓ ନିଜ ମେଣ୍ଟର ପ୍ରତୀକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରିତେଶ ପାଲ୍‌ଙ୍କ ବିଷୟରେ କିଛି ବିଶେଷ କଥା:

ରିତେଶ ହେଉଛନ୍ତି ଛତିଶଗଡ଼ ରାୟପୁରର ବାସିନ୍ଦା। ଏକ ଗରିବ ପରିବାରରୁ ଆସିଥିବା ରିତେଶ ଅର୍ଥ ଅଭାବରୁ ଏକ ସେଲୁନରେ କାମ କରୁଥିଲେ । ହେଲେ ଡ୍ୟାନ୍ସ ପ୍ରତି ତାଙ୍କର ନିଶା କେବେ କମି ନଥିଲା। ଆଗରୁ ସେ 'ଡ୍ୟାନ୍ସ ପ୍ଲସ୍ ପ୍ରୋ ୨୦୨୪' (Dance Plus Pro 2024)ର ମଧ୍ୟ ବିଜେତା ହୋଇସାରିଛନ୍ତି। 

Also Read: ପାପାରାଜିଙ୍କ ଉପରେ ରାଗି ନିଆଁ ରଣବୀର କପୁର, ଭିଡିଓ ଭାଇରାଲ ପରେ ଚର୍ଚ୍ଚା ଜୋର୍

ତେବେ ଚଳିତ ସିଜିନରେ ନିଜର ଚମତ୍କାର ପ୍ରଦର୍ଶନ ପାଇଁ ସେ ୩ ଥର 'ବ୍ୟାଟେଲ୍ ଟ୍ରଫି' ଜିତିଥିଲେ। ନିଜର କଠିନ ପରିଶ୍ରମ ଓ ନୃତ୍ୟ ପ୍ରତି ଥିବା ଭଲପାଇବା ଯୋଗୁ ରିତେଶ ଦେଶର ସବୁଠାରୁ ବଡ଼ ଡ୍ୟାନ୍ସ ରିଆଲିଟି ଶୋ’ର ଚାମ୍ପିଅନ୍ ହୋଇପାରିଛନ୍ତି ।