ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ପାଳନରେ ବିଫଳତା, ଏମଏମଡିଆର (MMDR) ଆଇନ ଏବଂ ସାଧାରଣ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ବ୍ୟାପକ ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା କରାଯିବ। ଗାନ୍ଧୀ ଜୟନ୍ତୀ ବା ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆସନ୍ତା ଅକ୍ଟୋବର ୨ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେବ ବୋଲି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଜନସାଧାରଣଙ୍କ ସମସ୍ୟାକୁ କରାଯାଉଛି ଅଣଦେଖା

ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବର୍ତ୍ତମାନର ସରକାର ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ଆଶା ଓ ଆକାଂକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଉନାହାନ୍ତି। ଗାଁ ଓ ପଞ୍ଚାୟତ ସ୍ତରରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାଗୁଡ଼ିକୁ କ୍ରମାଗତ ଭାବେ ଅଣଦେଖା କରାଯାଉଛି। ଏହାର ପ୍ରତିବାଦରେ ଦଳ ପକ୍ଷରୁ ପଦଯାତ୍ରା ମାଧ୍ୟମରେ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବାକୁ ନିଷ୍ପତ୍ତି ନିଆଯାଇଛି।

Also Read: ରାୟଗଡ଼ା ପୌର ପରିଷଦରେ ରାଜନୈତିକ ହଟଚମଟ: ବିଜେଡିରୁ ନିଲମ୍ବିତ ହେଲେ ମହେଶ ଓ ଶ୍ରମିତା

ଜିଲ୍ଲା ସଭାପତି ଅଶୋକ ପଣ୍ଡା ମତ ପ୍ରକାଶ କରିଛନ୍ତି ଯେ, ସରକାରଙ୍କ ପ୍ରତିଶ୍ରୁତି ଏବଂ ବାସ୍ତବ କାର୍ଯ୍ୟକାରିତା ମଧ୍ୟରେ ବହୁ ପାର୍ଥକ୍ୟ ରହିଛି, ଯାହାକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ଏହି ସମସ୍ତ ବିଫଳତା ପ୍ରସଙ୍ଗକୁ ଏହି ଅଭିଯାନର ମୁଖ୍ୟ ଏଜେଣ୍ଡା କରାଯିବ।

ଭୁବନେଶ୍ୱରରୁ ହେବ ଶୁଭାରମ୍ଭ

ଅକ୍ଟୋବର ୨ ତାରିଖରେ ଭୁବନେଶ୍ୱରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିବେ। ସହରର ୫୨ ନମ୍ବର ୱାର୍ଡରୁ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଆରମ୍ଭ ହେବ। ଏହି ଅବସରରେ ମେୟର ସୁଲୋଚନା ଦାସ କହିଛନ୍ତି, "ଭୁବନେଶ୍ୱର ସହରର ବିକାଶ ପାଇଁ ପୂର୍ବରୁ ଅନେକ କାମ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳି ଯାଇଛି। ଆଜି ସନ୍ଧ୍ୟାରେ ରାଜ୍ୟର ଝିଅମାନେ ବାହାରକୁ ଯିବାକୁ ଭୟ କରୁଛନ୍ତି। ବିଭିନ୍ନ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୂର୍ବରୁ ଯେଉଁ ବିକାଶର ମାନ ରହିଥିଲା, ତାହା ବର୍ତ୍ତମାନ ହ୍ରାସ ପାଇଛି।

Also Read: ଆସନ୍ତା ୮ରେ କଂଗ୍ରେସର ‘ଓଡ଼ିଶା ବନ୍ଦ’ ଡାକରା, MMDR ଆକ୍ଟ ସହ ଏସବୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ଦଳ

ନବୀନ ବାବୁଙ୍କ ସରକାର ସମୟରେ ଯେଉଁ ଘରଗୁଡ଼ିକ ତିଆରି ହୋଇଥିଲା, ବର୍ତ୍ତମାନ ତାହାକୁ ନେଇ କିଛି ବ୍ୟକ୍ତି ବିଶେଷ ରାଜନୀତି କରୁଛନ୍ତି। ଏହି ସମସ୍ତ ବାସ୍ତବ ସ୍ଥିତିକୁ ଆମେ ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ନିକଟକୁ ନେଇଯିବୁ।" ଓଡ଼ିଶାବାସୀଙ୍କ ପ୍ରକୃତ ସମସ୍ୟା ଓ ଅଭିଯୋଗକୁ ଘରେ ଘରେ ପହଞ୍ଚାଇବା ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି।