ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜନୀତିରେ ଏକ ବଡ଼ଧରଣର ରାଜନୈତିକ ହଲଚଲ ସୃଷ୍ଟି ହୋଇଛି। ସମାଜବାଦୀ ପାର୍ଟି (SP) ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦଳର ଦ୍ୱିତୀୟ ପ୍ରାର୍ଥୀ ଭାବେ ଧନରାଜ ନାଥୱାନୀଙ୍କ ନାମ ଘୋଷଣା କରି ୟୁପି ରାଜନୀତିରେ ଚହଳ ପକାଇଛନ୍ତି। ଏହି ନିଷ୍ପତ୍ତି ପରେ ରାଜ୍ୟର ରାଜନୈତିକ କରିଡରରେ ଚର୍ଚ୍ଚା ଜୋର ଧରିଛି। କାରଣ କିଛି ଦିନ ପୂର୍ବରୁ ଅଖିଳେଶ ରାଜ୍ୟସଭା ନିର୍ବାଚନରେ ବଡ଼ ସରପ୍ରାଇଜ ଦେବେ ବୋଲି ଘୋଷଣା କରିଥିଲେ।

ଧନରାଜ ନାଥୱାନୀ ଜଣେ ଜଣାଶୁଣା ଶିଳ୍ପପତି ଏବଂ ପ୍ରମୁଖ ବ୍ୟକ୍ତିତ୍ୱ। ତାଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିବା ପଛରେ ସମାଜବାଦୀ ପାର୍ଟିର ଏକ ବଡ଼ ରଣନୀତି ରହିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଦଳର ଏହି ପଦକ୍ଷେପ ଆଗାମୀ ଦିନରେ ନିର୍ବାଚନୀ ସମୀକରଣକୁ ବେଶ୍ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଅଖିଳେଶ ଯାଦବଙ୍କ ଏଭଳି ରଣନୈତିକ ପଦକ୍ଷେପ ଦ୍ୱାରା ଦଳର ସ୍ଥିତି ଆହୁରି ମଜବୁତ ହେବ ବୋଲି ସମାଜବାଦୀ ପାର୍ଟି ଶିବିରରେ ଆଶାପ୍ରକାଶ କରାଯାଇଛି। 

ବାପା ଏନଡିଏ ସମର୍ଥିତ ରାଜ୍ୟସଭା ସାଂସଦ

ଧନରାଜ ନଥୱାନୀଙ୍କ ପରିବାରର ରାଜନୈତିକ ଏବଂ କାରବାର ଜଗତରେ ବେଶ୍ ପ୍ରଭାବ ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଧନରାଜ ନଥଓ୍ଵାନୀ ରିଲାଏନ୍ସ ଗ୍ରୁପ ସହ ଜଡ଼ିତ। ତାଙ୍କ ପିତା ହେଉଛନ୍ତି ଦେଶର ଜଣାଶୁଣା ଶିଳ୍ପପତି ତଥା ଏନଡିଏ (NDA) ସମର୍ଥିତ ରାଜ୍ୟସଭା ସାଂସଦ ପରିମଳ ନଥୱାନୀ। ରିଲାଏନ୍ସ ସହ ବ୍ୟବସାୟିକ ସଂପର୍କ ଏବଂ ପୁଣି ବାପା ଏନଡିଏ ସମର୍ଥିତ ରାଜ୍ୟସଭା ସାଂସଦ ପ୍ରାର୍ଥୀ ପରେ ବି ନଥଓ୍ଵାନୀଙ୍କୁ ପ୍ରାର୍ଥୀ କରି ଅଖିଳେଶ ବଡ଼ ଚାଲ୍ ଖେଳିଛନ୍ତି। 

କର୍ପୋରେଟ୍ ପରିଚୟ

 ଧନରାଜ ନଥୱାନୀ ଦେଶର ଅନ୍ୟତମ ବୃହତ୍ତମ କର୍ପୋରେଟ୍ ଗ୍ରୁପ୍ 'ରାଇଜିଂ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍' (RIL) ସହିତ ଜଡ଼ିତ ଅଛନ୍ତି ଏବଂ ଏଥିରେ ଜଣେ ବରିଷ୍ଠ କର୍ପୋରେଟ୍ କାର୍ଯ୍ୟନିର୍ବାହୀ  ଭାବେ କାର୍ଯ୍ୟ କରୁଛନ୍ତି। ସେ ରାଇଜିଂ ଗ୍ରୁପ୍‌ର ଜାମନଗର ମ୍ୟାଚୁରିଂ ପ୍ରୋଜେକ୍ଟ, ରାଇଜିଂ ଜିଓ ଏବଂ ବିଭିନ୍ନ ବ୍ୟାପାରିକ ସେକ୍ଟରର ପରିଚାଳନା ଦାୟିତ୍ୱରେ ରହିଛନ୍ତି।

କ୍ରିକେଟ୍ ପ୍ରଶାସକ ଭାବେ ପରିଚିତି

କ୍ରିକେଟ୍ ଦୁନିଆରେ ମଧ୍ୟ ଧନରାଜଙ୍କର ବଡ଼ ପରିଚୟ ରହିଛି। ସେ 'ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍' (GCA) ର ଅଧ୍ୟକ୍ଷ ଅଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏହି ପଦରେ ଥିବାବେଳେ ପରବର୍ତ୍ତୀ ସମୟରେ ଧନରାଜ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ଅଧିକାଂଶ ସମୟରେ ଅହମ୍ମଦାବାଦର ବିଶ୍ୱବିଖ୍ୟାତ 'ନରେନ୍ଦ୍ର ମୋଦି ଷ୍ଟାଡିୟମ୍'ର ପରିଚାଳନା ଓ ସମ୍ପ୍ରସାରଣରେ ତାଙ୍କର ପ୍ରମୁଖ ଭୂମିକା ରହିଛି।

ବ୍ୟବସାୟୀ ଓ କ୍ରିକେଟ୍ ବ୍ୟତୀତ ସେ ବିଭିନ୍ନ ଧାର୍ମିକ ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ବୋର୍ଡ ସହିତ ମଧ୍ୟ ଜଡ଼ିତ ଅଛନ୍ତି। ସେ ପ୍ରସିଦ୍ଧ ଦ୍ୱାରକାଧୀଶ ମନ୍ଦିର ପ୍ରଶାସନିକ କମିଟିର ଉପାଧ୍ୟକ୍ଷ ଏବଂ ଗୁଜୁରାଟ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।