ମୁମ୍ବାଇ: ବିମଲ ପାନ ମସଲା ବିଜ୍ଞାପନ ମାମଲାକୁ ନେଇ ଅଡୁଆରେ ବଲିଉଡ୍ର ୩ ସୁପରଷ୍ଟାର । ବିଜ୍ଞାପନକୁ ନେଇ ବଲିଉଡ୍ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କ ବିରୋଧରେ ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ପକ୍ଷରୁ ଜାରି ହୋଇଥିବା ନୋଟିସ୍ ମାମଲା ଏବେ ଆହୁରି ଆଗକୁ ବଢ଼ିଛି । FDA କମିଶନର ତୁକାରାମ ମୁଣ୍ଢେଙ୍କ ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସ୍ର ଜବାବ ରଖିଛନ୍ତି ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ। ଏଥିମଧ୍ୟରୁ ୨ ଜଣ ଶୁଣାଣିରେ ମଧ୍ୟ ହାଜର ହୋଇଛନ୍ତି। ଏବେ ଏହି ମାମଲାରେ FDA ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବ।

ରିପୋର୍ଟ ଅନୁଯାଇ, ୨୦୨୪ରେ ପ୍ରସାରିତ ବିମଲ ପାନମସଲା ବିଜ୍ଞାପନରେ ଶାହରୁଖ , ଅଜୟ ଓ ଟାଇଗର ଏକାଠି ନଜର ଆସିଥିଲେ। ମହାରାଷ୍ଟ୍ର FDAର ଅଭିଯୋଗ ଥିଲା ଯେ, ଏହି ବିଜ୍ଞାପନ ପରୋକ୍ଷ ଭାବେ ପାନ ମସଲାକୁ ପ୍ରଚାର କରୁଛି । ମହାରାଷ୍ଟ୍ରରେ ପାନ ମସଲା ସମ୍ପର୍କିତ ନିଷେଧ ଆଦେଶକୁ ଦୃଷ୍ଟିରେ ରଖି FDA ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା। ଏହାପରେ ଅଗଷ୍ଟ ୧୧ରେ FDA ପକ୍ଷରୁ ତିନି ଅଭିନେତାଙ୍କୁ ‘କାରଣ ଦର୍ଶାଅ’ ନୋଟିସ୍ ଜାରି କରାଯାଇଥିଲା। ନୋଟିସ୍ରେ ବିଜ୍ଞାପନ ବନ୍ଦ କରିବା ଏବଂ ସୋସିଆଲ ମିଡିଆରୁ ସମ୍ପର୍କିତ ପ୍ରମୋସନାଲ୍ କଣ୍ଟେଣ୍ଟ ହଟାଇବାକୁ ମଧ୍ୟ କୁହାଯାଇଥିଲା।

FDA କମିଶନର ତୁକାରାମ ମୁଣ୍ଡେଙ୍କ ଅନୁସାରେ, ବର୍ତ୍ତମାନ ତିନିଜଣଙ୍କ ଠାରୁ ଉତ୍ତର ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇଜଣ ଶୁଣାଣି ପାଇଁ ଅନୁରୋଧ କରିଥିଲେ ଏବଂ ସେହି ଶୁଣାଣି ମଧ୍ୟ ସରିଛି। ଏବେ FDA ପରବର୍ତ୍ତୀ ପଦକ୍ଷେପ ନେବା ପ୍ରକ୍ରିୟାରେ ରହିଛି। ଏହାପୂର୍ବରୁ ଅଗଷ୍ଟ ୨୬ରେ FDA କହିଥିଲା ଯେ ତିନି ଅଭିନେତାଙ୍କଠାରୁ ଉତ୍ତର ମିଳିନଥିଲା। ପରବର୍ତ୍ତୀ ସମୟରେ ଜବାବ ଦାଖଲ ହୋଇଥିବାରୁ ମାମଲା ଏବେ ପରବର୍ତ୍ତୀ ପ୍ରଶାସନିକ ପ୍ରକ୍ରିୟାକୁ ଯାଇଛି। ତୁକାରାମ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଏହି ନୋଟିସ୍ କୌଣସି ନିର୍ଦ୍ଦିଷ୍ଟ ସେଲିବ୍ରିଟିଙ୍କୁ ଟାର୍ଗେଟ୍ କରିବା ପାଇଁ ନୁହେଁ। ତାଙ୍କ କହିବା ଅନୁସାରେ, ଏହି ବିଜ୍ଞାପନ ମାମଲାରେ କେବଳ ନିର୍ମାତା କିମ୍ବା ବିଜ୍ଞାପନଦାତା ନୁହେଁ, ପ୍ରଚାର କରୁଥିବା ସାଧାରଣ ବ୍ୟକ୍ତି ମଧ୍ୟ ନିୟମ ଅନୁଯାୟୀ ବିଚାରକୁ ଆସିପାରେ।