ନୂଆଦିଲ୍ଲୀ,୩୦ /୦୩: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଥମିବାର ନାଁ ନେଉ ନାହିଁ । ଗୋଟିଏ ଦିଗରେ ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରଣମ କରୁଛନ୍ତି । ଅନ୍ୟ ଦିଗରେ ବୟାନବାଜି ମଧ୍ୟ ଜୋର୍ ଧରିଛି । ଏସବୁ ମଧ୍ୟରେ ଇରାନକୁ ଆଉଥରେ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

ଟ୍ରମ୍ପ୍ କହିଛନ୍ତି ଯେ, ସେ ଇରାନର ତେଲ ନେବାକୁ ଚାହୁଁଛନ୍ତି । ଦେଶର ସମସ୍ତ ତେଲ ଉତ୍ପାଦନ କେନ୍ଦ୍ର, ଖାର୍ଗ ଦ୍ୱୀପ ଉପରେ କବଜା କରିବା ପାଇଁ ଆମେରିକା ଯୋଜନା କରୁଛି । ଏପରିକି ତାଙ୍କର ସବୁଠୁ ଫେଭରେଟ୍ ଜିନିଷ ଇରାନର ତେଲ ବୋଲି ସେ ପ୍ରକାଶ କରିଛନ୍ତି ।

ରବିବାର ଫାଇନାନ୍ସିଆଲ୍ ଟାଇମ୍ସକୁ ସାକ୍ଷାତକାର ଦେଇ ଟ୍ରମ୍ପ୍ କହିଛନ୍ତି ଯେ, ସେମାନେ ଇରାନର ତେଲ ନେବାକୁ ଚେଷ୍ଟା କରିବେ । ଖାର୍ଗ ଦ୍ୱୀପ ଉପରେ ୟୁଏସ କବଜା କରିବା ନେଇ ସେ ସଙ୍କେତ ଦେଇଛନ୍ତି । ଟ୍ରମ୍ପଙ୍କ ଏହି ବୟାନ ଉଭୟ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ସ୍ତରର ଆଲୋଚନା ମଧ୍ୟରେ ସାମ୍ନାକୁ ଆସିଛି । ଟ୍ରମ୍ପ୍ ନିଜେ ଉଭୟ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ନେଇ ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଇରାନରୁ ୧୦୦୦ ପାଉଣ୍ଡର ୟୁରାନିୟମ ବାହାର କରିବା ପାଇଁ ଏକ ସାମରିକ ଅଭିଯାନ ବାବଦରେ ସେ ବିଚାର କରୁଛନ୍ତି । ଏହା ଏକ ଜଟିଳ ଏବଂ ଚ୍ୟାଲେଞ୍ଜପୂର୍ଣ୍ଣ ମିଶନ୍ ଅଟେ । ଅନେକ ଦିନ ପାଇଁ ଆମେରିକୀୟ ସେନା ଇରାନ ମଧ୍ୟରେ ରହିପାରେ । ଇରାନ ପାଖରେ ସେପରି କିଛି ସୁରକ୍ଷା ବ୍ୟବସ୍ଥା ନାହିଁ । ଆମେରିକା ଅତି ସହଜରେ ଏସବୁକୁ କବଜା କରିଦେବ ବୋଲି ଟ୍ରମ୍ପ୍ ଆଶା କରିଛନ୍ତି ।