ମୁମ୍ବାଇ: ଅକ୍ଟୋବର ୨, ୨୦୨୬ରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି । ରିଲିଜ୍ ପୂର୍ବରୁ ହିଁ ଫିଲ୍ମର ଟିକେଟ୍ ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି । ଫିଲ୍ମର ଆଡଭାନ୍ସ ବୁକିଂ ଆୟ ୧୯.୧୯ କୋଟି ଟଙ୍କା ପାର କରିଛି । ‘ଦୃଶ୍ୟମ’ ଫ୍ରାଞ୍ଚାଇଜର ଏହି ପାର୍ଟ-3 କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦୋଖା ଦେଇଛି । ରିଲିଜ୍ ପୂର୍ବରୁ ଟିକେଟ୍ ବିକ୍ରି ଦେଖିଲେ ଫିଲ୍ମଟି ଓପନିଂ ଡେ’ରେ ଭଲ କଲେକ୍ସନ୍ କରିପାରେ ଆକଳନ କରାଯାଉଛି ।

ରିପୋର୍ଟ ଅନୁସାରେ, ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’ର ଆଡଭାନ୍ସ ବୁକିଂ ଫିଲ୍ମ ରିଲିଜ୍ ହେବାର ପ୍ରାୟ ୫ଦିନ ପୂର୍ବରୁ ଆରମ୍ଭ ହୋଇଥିଲା । ତଥ୍ୟ ଅନୁଯାୟୀ, ତିନି ଦିନରେ ଫିଲ୍ମ ପାଇଁ ପ୍ରାୟ ୧୯.୧୯ କୋଟି ଟଙ୍କାର ଆଡଭାନ୍ସ ବୁକିଂ ସରିଛି । ଏହାସହ ପ୍ରାୟ ୨୧,୨୮୧ଟି ଶୋ’ ପାଇଁ ପ୍ରାୟ ୪.୭୭ ଲକ୍ଷ ଟିକେଟ୍ ବିକ୍ରି ହୋଇସାରିଛି ।

ରିଲିଜ୍ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂର ଗତିକୁ ଦେଖି ଟ୍ରେଡ୍ ଏକ୍ସପର୍ଟମାନେ ଏହାର ଓପନିଂକୁ ନେଇ ଆକଳନ କରୁଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଭାରତରେ ଫିଲ୍ମର ପ୍ରଥମ ଦିନର ନେଟ୍ କଲେକ୍ସନ୍ ୪୦ କୋଟି ଟଙ୍କାରୁ ଅଧିକ ହୋଇପାରେ । ତେବେ ଏହା ଏକ ଅନୁମାନ ମାତ୍ର । ଏହାକୁ ଫିଲ୍ମର ନିଶ୍ଚିତ ଓପନିଂ କଲେକ୍ସନ୍ ବୋଲି କୁହା ଯାଇପାରିବ ନାହିଁ । ଅକ୍ଟୋବର ୨ରେ ପ୍ରକୃତରେ କେତେ ଟିକେଟ୍ ବିକ୍ରି ହେଉଛି, ଦର୍ଶକଙ୍କ ପ୍ରତିକ୍ରିୟା କିଭଳି ରହୁଛି, ତାହା ଉପରେ ଫିଲ୍ମର ପ୍ରକୃତ ଓପନିଂ କଲେକ୍ସନ୍ ନିର୍ଭର କରିବ ।

Also Read :- Plane hijack: ମଝି ଆକାଶରେ ବଡ଼ ଅଘଟଣ, ଦୁବାଇର ବିମାନ ହାଇଜ୍ୟାକ ? ଇସ୍ରାଏଲରେ ଖେଳିଗଲା ଚାଞ୍ଚଲ୍ୟ

ଦେଶର ବିଭିନ୍ନ ଅଞ୍ଚଳ ମଧ୍ୟରୁ ମହାରାଷ୍ଟ୍ରରେ ‘ଦୃଶ୍ୟମ ୩’କୁ ନେଇ ସବୁଠୁ ଅଧିକ ଆଗ୍ରହ ଦେଖିବାକୁ ମିଳିଛି । ଆଡଭାନ୍ସ ବୁକିଂରୁ ମହାରାଷ୍ଟ୍ରରେ ଫିଲ୍ମ ପ୍ରାୟ ୫.୮୭ କୋଟି ଟଙ୍କା ଆୟ କରିଥିବା ରିପୋର୍ଟ ହୋଇଛି। ଏହା ପରେ ଦିଲ୍ଲୀ ଓ ଗୁଜରାଟ ରହିଛନ୍ତି। ଦିଲ୍ଲୀରେ ଫିଲ୍ମର ଆଡଭାନ୍ସ ବୁକିଂ ଆୟ ପ୍ରାୟ ୪.୧୭ କୋଟି ଟଙ୍କା ଥିବାବେଳେ ଗୁଜରାଟରେ ପ୍ରାୟ ୧.୫୪ କୋଟି ଟଙ୍କା ରହିଛି । ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଅବସରରେ ରିଲିଜ୍ ହେଉଛି । ତେଣୁ ଫିଲ୍ମକୁ ଛୁଟି ଦିନର ଲାଭ ମିଳିବାର ସମ୍ଭାବନା ରହିଛି ।

ଅଜୟ ଦେବଗନଙ୍କ ଅନ୍ୟାନ୍ୟ ଫିଲ୍ମ ତୁଳନାରେ ଏହା ବେଶୀ ଭଲ ବିଜନେସ୍ କରିବ ବୋଲି ଚର୍ଚ୍ଚା ହେଉଛି । ଦୃଶ୍ୟମ- ଦ କନକ୍ଲୁଜନ୍ ହେଉଛି ୨୦୧୫ର ଦୃଶ୍ୟମ ଫିଲ୍ମର ଫ୍ରାଂଚାଇଜି ଫିଲ୍ମ । ଫିଲ୍ମରେ ଅଜୟ ଦେବଗନ ମେନ୍ ଲିଡରେ ନଜର ଆସିଥିବା ବେଳେ ତାଙ୍କ ସହ ତବୁ, ଶ୍ରୀୟା ସରଣ, ଇଶିତା, ମୃଣାଲ, କମଲେଶ ପୁନର୍ବାର ନଜର ଆସିବେ । ଫିଲ୍ମରେ ନୂଆ ମୂହଁ ଭାବେ ଜୟଦୀପ ଅଲହ୍ୱାଟ୍, ପ୍ରକାଶ ରାଜ୍ ଏବଂ ସୌରଭ ଶୁକ୍ଲା ନଜର ଆସିଛନ୍ତି । ଏବେ ସମସ୍ତଙ୍କ ନଜର ଅକ୍ଟୋବର-୨ ରିଲିଜ୍ ଉପରେ ।