ମୁମ୍ବାଇ: ଅକ୍ଟୋବର ୨, ୨୦୨୬ରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି। ରିଲିଜ୍ ପୂର୍ବରୁ ହିଁ ଫିଲ୍ମର ଟିକେଟ୍ ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି। ଫିଲ୍ମର ଆଡଭାନ୍ସ ବୁକିଂ ଆୟ ୧୯.୧୯ କୋଟି ଟଙ୍କା ପାର କରିଛି। ‘ଦୃଶ୍ୟମ’ ଫ୍ରାଞ୍ଚାଇଜର ଏହି ପାର୍ଟ-3 କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦୋଖା ଦେଇଛି। ରିଲିଜ୍ ପୂର୍ବରୁ ଟିକେଟ୍ ବିକ୍ରି ଦେଖିଲେ ଫିଲ୍ମଟି ଓପନିଂ ଡେ’ରେ ଭଲ କଲେକ୍ସନ୍ କରିପାରେ ଆକଳନ କରାଯାଉଛି।

ରିପୋର୍ଟ ଅନୁସାରେ, ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’ର ଆଡଭାନ୍ସ ବୁକିଂ ଫିଲ୍ମ ରିଲିଜ୍ ହେବାର ପ୍ରାୟ ୫ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ତଥ୍ୟ ଅନୁଯାୟୀ, ତିନି ଦିନରେ ଫିଲ୍ମ ପାଇଁ ପ୍ରାୟ ୧୯.୧୯ କୋଟି ଟଙ୍କାର ଆଡଭାନ୍ସ ବୁକିଂ ସରିଛି। ଏହାସହ ପ୍ରାୟ ୨୧,୨୮୧ଟି ଶୋ’ ପାଇଁ ପ୍ରାୟ ୪.୭୭ ଲକ୍ଷ ଟିକେଟ୍ ବିକ୍ରି ହୋଇସାରିଛି।

ରିଲିଜ୍ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂର ଗତିକୁ ଦେଖି ଟ୍ରେଡ୍ ଏକ୍ସପର୍ଟମାନେ ଏହାର ଓପନିଂକୁ ନେଇ ଆକଳନ କରୁଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଭାରତରେ ଫିଲ୍ମର ପ୍ରଥମ ଦିନର ନେଟ୍ କଲେକ୍ସନ୍ ୪୦ କୋଟି ଟଙ୍କାରୁ ଅଧିକ ହୋଇପାରେ। ତେବେ ଏହା ଏକ ଅନୁମାନ ମାତ୍ର। ଏହାକୁ ଫିଲ୍ମର ନିଶ୍ଚିତ ଓପନିଂ କଲେକ୍ସନ୍ ବୋଲି କୁହା ଯାଇପାରିବ ନାହିଁ। ଅକ୍ଟୋବର ୨ରେ ପ୍ରକୃତରେ କେତେ ଟିକେଟ୍ ବିକ୍ରି ହେଉଛି, ଦର୍ଶକଙ୍କ ପ୍ରତିକ୍ରିୟା କିଭଳି ରହୁଛି, ତାହା ଉପରେ ଫିଲ୍ମର ପ୍ରକୃତ ଓପନିଂ କଲେକ୍ସନ୍ ନିର୍ଭର କରିବ।

Also Read :- Plane hijack: ମଝି ଆକାଶରେ ବଡ଼ ଅଘଟଣ, ଦୁବାଇର ବିମାନ ହାଇଜ୍ୟାକ ? ଇସ୍ରାଏଲରେ ଖେଳିଗଲା ଚାଞ୍ଚଲ୍ୟ

ଦେଶର ବିଭିନ୍ନ ଅଞ୍ଚଳ ମଧ୍ୟରୁ ମହାରାଷ୍ଟ୍ରରେ ‘ଦୃଶ୍ୟମ ୩’କୁ ନେଇ ସବୁଠୁ ଅଧିକ ଆଗ୍ରହ ଦେଖିବାକୁ ମିଳିଛି। ଆଡଭାନ୍ସ ବୁକିଂରୁ ମହାରାଷ୍ଟ୍ରରେ ଫିଲ୍ମ ପ୍ରାୟ ୫.୮୭ କୋଟି ଟଙ୍କା ଆୟ କରିଥିବା ରିପୋର୍ଟ ହୋଇଛି। ଏହା ପରେ ଦିଲ୍ଲୀ ଓ ଗୁଜରାଟ ରହିଛନ୍ତି। ଦିଲ୍ଲୀରେ ଫିଲ୍ମର ଆଡଭାନ୍ସ ବୁକିଂ ଆୟ ପ୍ରାୟ ୪.୧୭ କୋଟି ଟଙ୍କା ଥିବାବେଳେ ଗୁଜରାଟରେ ପ୍ରାୟ ୧.୫୪ କୋଟି ଟଙ୍କା ରହିଛି। ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଅବସରରେ ରିଲିଜ୍ ହେଉଛି। ତେଣୁ ଫିଲ୍ମକୁ ଛୁଟି ଦିନର ଲାଭ ମିଳିବାର ସମ୍ଭାବନା ରହିଛି।

ଅଜୟ ଦେବଗନଙ୍କ ଅନ୍ୟାନ୍ୟ ଫିଲ୍ମ ତୁଳନାରେ ଏହା ବେଶୀ ଭଲ ବିଜନେସ୍ କରିବ ବୋଲି ଚର୍ଚ୍ଚା ହେଉଛି । ଦୃଶ୍ୟମ- ଦ କନକ୍ଲୁଜନ୍ ହେଉଛି ୨୦୧୫ର ଦୃଶ୍ୟମ ଫିଲ୍ମର ଫ୍ରାଂଚାଇଜି ଫିଲ୍ମ । ଫିଲ୍ମରେ ଅଜୟ ଦେବଗନ ମେନ୍ ଲିଡରେ ନଜର ଆସିଥିବା ବେଳେ ତାଙ୍କ ସହ ତବୁ, ଶ୍ରୀୟା ସରଣ, ଇଶିତା, ମୃଣାଲ, କମଲେଶ ପୁନର୍ବାର ନଜର ଆସିବେ । ଫିଲ୍ମରେ ନୂଆ ମୂହଁ ଭାବେ ଜୟଦୀପ ଅଲହ୍ୱାଟ୍, ପ୍ରକାଶ ରାଜ୍ ଏବଂ ସୌରଭ ଶୁକ୍ଲା ନଜର ଆସିଛନ୍ତି । ଏବେ ସମସ୍ତଙ୍କ ନଜର ଅକ୍ଟୋବର-୨ ରିଲିଜ୍ ଉପରେ।