ନୂଆଦିଲ୍ଲୀ: ଅଶୋଧିତ ତୈଳ ପରିବହନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜଳମାର୍ଗ ହର୍ମୁଜରେ ନାକାବନ୍ଦୀ କରିଛି ଆମେରିକା । ଏହା ସତ୍ତ୍ୱେ ହର୍ମୁଜ ଦେଇ ୩ଟି ଜାହାଜ ଅତକ୍ରମ କରିଥିବା ନେଇ ଖବର ମିଳିଛି । ଆମେରିକୀୟ ସେନା ଜଗିଥିବା ବେଳେ ୩ଟି ଜାହାଜ କେମିତି ଏହି ଜଳମାର୍ଗ ଅତିକ୍ରମ କଲେ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଜାହାଜକୁ ଛାଡ଼ିଲା କିଏ ? ନା ଏସବୁ ଜାହାଜକୁ ଛାଡ଼ିବା ପଛରେ ଆମେରିକାର ହାତ ଅଛି, ଆସନ୍ତୁ ଜାଣିବା ।

୨ ଦିନରେ ୩ଟି ଟ୍ୟାଙ୍କର ପାର୍ ହୋଇଛି

ଜାହାଜ ମନିଟରିଂ କମ୍ପାନୀ LSEG ଏବଂ Kplerରୁ ମିଳିଥିବା ତଥ୍ୟ ଦର୍ଶାଉଛି ଯେ, ଆମେରିକାର ନାକାବନ୍ଦୀ ସତ୍ତ୍ୱେ ସୋମବାର ଏବଂ ମଙ୍ଗଳବାର ତିନୋଟି ଟ୍ୟାଙ୍କର ହର୍ମୁଜ ପ୍ରଣାଳୀ ଦେଇ ଯାତ୍ରା କରିଛି । ସେଗୁଡ଼ିକ ମଧ୍ୟରୁ, ପାନାମା ପତାକା ଥିବା ‘ପିସ୍ ଗଲ୍ଫ’ ମଙ୍ଗଳବାର ଦିନ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି UAE ର ହମରିଆ ବନ୍ଦର ଅଭିମୁଖେ ଯାତ୍ରା କରିଛି।

IRGC ସୂଚିତ ପଥରେ ଯାତ୍ରା

ଜାହାଜଟି ଲାରାକ ଦ୍ୱୀପ ଏବଂ ହର୍ମୁଜ ପ୍ରଣାଳୀ ମଧ୍ୟରେ ଇରାନର ନୂତନ ସମୁଦ୍ର ପଥ ବ୍ୟବହାର କରିଥିଲା । ଏହି ଜଳମାର୍ଗକୁ ଇରାନର ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (IRGC) ଦ୍ୱାରା ସମସ୍ତ ଜାହାଜ ପାଇଁ ବାଧ୍ୟତାମୂଳକ କରାଯାଇଛି।

କାହିଁକି ରୋକିଲାନି ଆମେରିକା ?

ଏହା ପୂର୍ବରୁ ଆମେରିକା ଦ୍ୱାରା ପ୍ରତିବନ୍ଧିତ ଟ୍ୟାଙ୍କର୍ ରିଚ୍ ଷ୍ଟାରି ଏବଂ ଏଲପିସ୍ ହର୍ମୁଜ ଦେଇ ଯାତ୍ରା କରିଥିଲେ। ରିପୋର୍ଟ ଅନୁସାରେ, ଏହି ଜାହାଜଗୁଡ଼ିକ ଇରାନ ବନ୍ଦର ଅଭିମୁଖେ ଯାଉ ନଥିଲେ, ତେଣୁ ଆମେରିକା ସେଗୁଡ଼ିକୁ ଅଟକାଇ ନଥିଲା।

Also Read: ଭାରତଠୁ ନେଇନୁ କୌଣସି ଟୋଲ୍ ଟ୍ୟାକ୍ସ, ହର୍ମୁଜରେ ସାହାଯ୍ୟ କରିବୁ...ବଡ଼ ଭରସା ଦେଲା ଇରାନ

ହର୍ମୁଜରେ ୯୫% ହ୍ରାସ ପାଇଛି ଯାତାୟତ

ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ, ହର୍ମୁଜ୍ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଅଶୋଧିତ ତୈଳ ଏବଂ ଗ୍ୟାସ ପରିହବନ ହେଉଥିଲା । ଫେବୃଆରୀ ୨୮ ଆକ୍ରମଣ ପରଠାରୁ, ଇରାନ ଏହାକୁ ବନ୍ଦ କରିଦେଇଛି। ଫଳସ୍ୱରୂପ, ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ ୯୫ ପ୍ରତିଶତ ହ୍ରାସ ପାଇଛି। କେପଲର ତଥ୍ୟ ଦର୍ଶାଉଛି ଯେ, ଫେବୃଆରୀ ୨୮ ରୁ ଏପ୍ରିଲ ୧୨ ମଧ୍ୟରେ, କେବଳ ୨୭୯ ଜାହାଜ ହର୍ମୁଜ ପ୍ରଣାଳୀକୁ ଅତିକ୍ରମ କରିଛି । ଏହା ପୂର୍ବରୁ ପ୍ରତିଦିନ ପ୍ରାୟ ୧୩୦ ଜାହାଜ ଅତିକ୍ରମ କରୁଥିଲା। ଅନେକ ଜାହାଜ ଇରାନର ଅନୁମତି ବିନା ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଗୁଡ଼ିକ ଉପରେ ଆକ୍ରମଣ କରିଥିଲା ଆଇଆରଜିସି ।