ନୂଆଦିଲ୍ଲୀ: ଆମେରିକାର ସୈନ୍ୟ ବଳ ସ୍ଥାନୀୟ ସମୟ ସକାଳ ୧୦ଟା(ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦)ରେ ଇରାନର ସମସ୍ତ ବନ୍ଦର ଓ ତଟବର୍ତ୍ତୀ କ୍ଷେତ୍ରରେ ନାକାବନ୍ଦୀ ଲାଗୁ କରି ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ସେନା ଏହି ପଦକ୍ଷେପ ନେଇଛି। ଏହା ସହିତ ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରେ କଡ଼ା ନଜର ରଖିବା ଆରମ୍ଭ କରିଛି ଆମେରିକା। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ନାକାବନ୍ଦୀ ଇରାନ ବନ୍ଦରଗୁଡିକରୁ ଆସୁଥିବା ସବୁ ଦେଶର ଜାହାଜ ଉପରେ ସମାନ ଭାବେ ଲାଗୁ ହେବ। ହେଲେ ଅଣ ଇରାନ ବନ୍ଦରରୁ ଆସୁ୍ଥିବା ଜାହାଜଗୁଡ଼ିକୁ ହର୍ମୁଲରେ ଯାତ୍ରା କରିବାକୁ ଅନୁମତି ଦିଆଯିବ।

ଆଲୋଚନା ବିଫଳ ପରେ ଏହି ପଦକ୍ଷେପ

ଉଲ୍ଲେଖନୀୟ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏହି ନାକାବନ୍ଦୀ ଆରମ୍ଭ ହୋଇଛି। ଶନିବାର-ରବିବାର ପାକିସ୍ତାନରେ ହୋଇଥିବା ଶାନ୍ତି ଆଲୋଚନା ବିଫଳ ହୋଇଥିଲା। ଏହା ପରେ ଟ୍ରମ୍ପ ପ୍ରଶାସନ ଇରାନ ଉପରେ ଚାପ ପକାଇବା ପାଇଁ ଏହି କଠୋର ପଦକ୍ଷେପ ଉଠାଇଛି। ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଆମେରିକା ନୌସେନା ଇରାନ ବନ୍ଦରଗୁଡ଼ିକରେ ପ୍ରବେଶ କିମ୍ବା ପ୍ରସ୍ଥାନ କରୁଥିବା ସମସ୍ତ ଜାହାଜକୁ ଅଟକାଇବ।

ଜାହାଜ ଉଡ଼ାଇ ଦେବୁ

ଏହା ମଧ୍ୟରେ ଆମେରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନୀ ଲଢୁଆ ଜାହାଜ ନାକାବନ୍ଦୀର ପାଖାପାଖି ଆସେ ତେବେ ଏହାକୁ ଧ୍ଵଂସ କରି ଦେବୁ। ଟ୍ରମ୍ପ ସୋମବାର ନିଜର ବୟାନରେ କହିଛନ୍ତି ଯେ, କୌଣସି ପ୍ରକାରର ବିପଦକୁ ବରଦାସ୍ତ କରିବୁ ନାହିଁ। ଅନ୍ୟପଟେ ଇରାନର ସେନା ଓ ଇସଲାମିକ ରେଭ୍ୟୁଲୁସନାରୀ ଗାର୍ଡ କପର୍ସ(ଆଇଆରଜିସି) ଏହି ନାକାବନ୍ଦୀକୁ ଅବୈଧ ଓ ସମୁଦ୍ର ଡକାୟତି ବୋଲି କହିଛନ୍ତି।ତେହରାନ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଏହାର ସୁରକ୍ଷାକୁ ବିପଦ ହୁଏ ତେବେ ପାରସ୍ୟ ଉପସାଗର ଓ ଓମାନ ତଟରେ ସମସ୍ତ ବନ୍ଦର ଅସୁରକ୍ଷିତ ହୋଇଯିବ। ସୁରକ୍ଷା ସଭିଙ୍କ ପାଇଁ ଏବଂ ଅନ୍ୟ କୌଣସି ଜଣଙ୍କ ପାଇଁ ନୁହେଁ ବୋଲି ଇରନ କହିଛି।