ମୁମ୍ବାଇ : ମ୍ୟୁଜିକ୍ ଦୁନିଆରେ ଏବେ ରାଜ କରୁଛି କିଙ୍ଗ ଖାନଙ୍କ ନୂଆ ଗୀତ ‘ତୁ ମିଲ୍ ଯାଏ’ । ନିକଟରେ ରିଲିଜ ହେବାକୁ ଯାଉଛି ଶାହରୁଖ ଖାନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ 'କିଙ୍ଗ' । ଯାହାର ଫାଷ୍ଟ ଲୁକ ଦେଖିସାରିବା ଫ୍ୟାନଙ୍କ ମନରେ ଫିଲ୍ମକୁ ନେଇ କ୍ରେଜ ଆହୁରି ବଢିଯାଇଛି । ଆଉ ସବୁଠୁ ଚର୍ଚ୍ଚାରେ ଏବେ ଫିଲ୍ମର ଫାଷ୍ଟ ଗୀତ ‘ତୁ ମିଲ୍ ଯାଏ’ । ଗୋଟିଏ ଗୀତରେ ଏକାଠି ହୋଇଛନ୍ତି ଭାରତୀୟ ସଙ୍ଗୀତ ଜଗତର ଦୁଇ ଦମ୍ଦାର ଷ୍ଟାର ଅରିଜିତ୍ ସିଂହ ଓ ଅନ୍ତର୍ଜାତୀୟ ପପ୍ ଷ୍ଟାର୍ ଏଡ୍ ଶିରାନ୍ । ହିନ୍ଦୀ ଗୀତରେ ଏଡ୍ ଶିରାନଙ୍କ ଅନ୍ଦାଜକୁ ଲୋକେ ବେଶ ପସନ୍ଦ କରିଛନ୍ତି ।

ଏହା ପୂର୍ବରୁ ଏଡ୍ ଶିରାନ୍ ଅରିଜିତଙ୍କ ସହ ଏକ ଆଲବମ ଗୀତ ଗାଇଥିଲେ ତାହା ମଧ୍ୟ ଖୁବ ଭାଇରଲ ହୋଇଥିଲା । ଏହି ମ୍ୟୁଜିକାଲ୍ କୋଲାବରେସନକୁ ନେଇ ସବୁଠି ଚର୍ଚ୍ଚା । ଗୋଟିଏ ପଟେ ଅରିଜିତଙ୍କ ମନଛୁଆଁ ସ୍ୱର, ଆଉ ଅନ୍ୟପଟେ ଏଡ୍ ଶିରାନଙ୍କ ଇଣ୍ଟରନ୍ୟାସନାଲ୍ ମ୍ୟୁଜିକ୍ ଷ୍ଟାଇଲ୍ । ସୋସିଆଲ୍ ମିଡିଆରେ ଏହି କୋଲାବରେସନକୁ ନେଇ ଆଲୋଚନା ଜୋର୍ । କେବଳ ଫ୍ୟାନ୍ମାନେ ନୁହଁନ୍ତି, ଏହାକୁ ନେଇ ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖଙ୍କ ରିଆକ୍ସନ୍ ମଧ୍ୟ ସାମ୍ନାକୁ ଆସିଛି । ଶାହରୁଖଙ୍କ ପ୍ରତିକ୍ରିୟା ପରେ ଗୀତଟିକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି । ତେବେ ଏହି ଗୀତ ପଛର କାହାଣୀ ବେଶ୍ ରୋଚକ । ଏଡ୍ ଶିରାନ୍ କହିଛନ୍ତି, ଅଭିନେତା ଶାହରୁଖ୍ ଖାନଙ୍କ ସହ ତାଙ୍କର ପରିଚୟ ହେବାରୁ ହିଁ ଏହି କୋଲାବରେସନର ବାଟ ଖୋଲିଥିଲା । ଭାରତ ଗସ୍ତ ସମୟରେ ଶାହରୁଖଙ୍କ ଘର ମନ୍ନତକୁ ଯାଇଥିବା ବେଳେ, ସେଠାରେ ତାଙ୍କର ସଙ୍ଗୀତକାର ଯୋଡ଼ି ସଚିନ୍-ଜିଗରଙ୍କ ସହ ପରିଚୟ ହୋଇଥିଲା । ଆଉ ସେହି ଦିନ ରାତିରେ ହିଁ ‘ତୁ ମିଲ୍ ଯାଏ’ ପାଇଁ ନିଜ ଲାଇନ ଲେଖି ଗୀତ ରେକର୍ଡ କରିଥିଲେ ଏଡ୍ ।

ତାଙ୍କ ଏହି ପୋଷ୍ଟକୁ ରି-ଶେୟାର କରି ଶାହରୁଖ୍ ଖାନ୍ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷକରି ଗୀତଟିକୁ ହିନ୍ଦୀରେ ଗାଇଥିବାରୁ ଏଡଙ୍କୁ ପ୍ରଶଂସା କରିଛନ୍ତି କିଙ୍ଗ୍ ଖାନ୍ । ଏହି ଗୀତରେ ଅରିଜିତ୍ ସିଂହଙ୍କ ସହ ମଧୁବନ୍ତୀ ବାଗଚୀଙ୍କ ସ୍ୱର ମଧ୍ୟ ରହିଛି । ସଚିନ୍-ଜିଗରଙ୍କ ସଙ୍ଗୀତ ଓ କୁମାରଙ୍କ ଲିରିକ୍ସ ଏହି ଗୀତକୁ ଦେଇଛି ଏକ ଭିନ୍ନ ରୂପ । ତେବେ ଏଡ୍ ଶିରାନଙ୍କ ବଲିଉଡ୍ ଡେବ୍ୟୁ, ଅରିଜିତଙ୍କ ଯାଦୁକରୀ ସ୍ୱର ଓ ଶାହରୁଖଙ୍କ ପ୍ରଶଂସା ସବୁ ମିଶି ‘ତୁ ମିଲ୍ ଯାଏ’କୁ କରିଛି ଆହୁରି ଖାସ୍ । ଏବେ ଦେଖିବାକୁ ବାକି ରହିଲା , ଏହି ଗୀତଟି ମ୍ୟୁଜିକ୍ ପ୍ଲାଟଫର୍ମରେ କେତେ ଧମାଲ୍ କରୁଛି ।