ନୂଆଦିଲ୍ଲୀ, ୨୮। ୦୭ : ପ୍ରସିଦ୍ଧ ଶିକ୍ଷାବିତ୍, ଇଞ୍ଜିନିୟର୍ ସୋନମ ୱାଙ୍ଗଚୁକ୍ ୨୬ ଦିନିଆ ଅନଶନ ପରେ ମେଦାନ୍ତ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ବାହାରିବା ପରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ରାଜଘାଟ ଯିବା ସହ ଲଦାଖସ୍ଥିତ ନିଜ ଘରକୁ ଫେରିବାର ଯୋଜନା କରିଛନ୍ତି। ପରୀକ୍ଷା ଦୁର୍ନୀତି ଏବଂ ପେପର୍ ଲିକ୍ ବିବାଦକୁ ନେଇ ସେ ଦୀର୍ଘ ୨୬ ଦିନ ଧରି ଅନଶନ କରିଥିଲେ। ଏହି ଆନ୍ଦୋଳନ ପରେ ସରକାର ପେପର୍ ଲିକ୍ ମାମଲାର ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରିଛନ୍ତି।

ସୋନାମଙ୍କ ବ୍ୟକ୍ତିତ୍ୱକୁ ନେଇ ଯେଉଁଭଳି ସବୁଠି ଚର୍ଚ୍ଚା ସୃଷ୍ଟି ହୁଏ ଠିକ ସେହିଭଳି ସୋନମ ୱାଙ୍ଗଚୁକ୍ଙ୍କ 'ଟ୍ରାଇବାଲ୍ ହାଉସ୍' ଆନ୍ଦୋଳନ ଏବଂ ରାଜନୈତିକ ହଟଚମଟଠାରୁ ଦୂରେଇ, ବର୍ତ୍ତମାନ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଘର ତିଆରିରେ କୌଣସି ପ୍ରକାରର ଙ୍କକ୍ରିଟ ବ୍ୟବହାର କରାଯାଇ ନାହିଁ। ଶତାବ୍ଦୀ ପୁରୁଣା ପାରମ୍ପରିକ ପଦ୍ଧତି ଏବଂ ଆଧୁନିକ ଇକୋ-କନସିଅସ୍ ଡିଜାଇନର ମିଶ୍ରଣରେ ଏହା ତିଆରି ହୋଇଛି।

ଶୀତଦିନର ପ୍ରବଳ ଥଣ୍ଡାରେ ବିନା ଜାଳେଣି କାଠ କିମ୍ବା ହିଟରରେ ଏହି ଘର କିପରି ଗରମ ରହେ, ତାହା ଏହାର ସବୁଠୁ ବଡ଼ ବିଶେଷତ୍ତ୍ୱ। ଘରର ଗୋଟିଏ ସ୍ୱତନ୍ତ୍ର କାନ୍ଥ— ଯାହାକୁ 'ବ୍ଲାକ୍ ୱାଲ୍' କୁହାଯାଏ— ସେଥିରେ ପାଣି ବୋତଲଗୁଡ଼ିକ ସେଟ୍ କରାଯାଇଥାଏ। ଏହା ଦିନସାରା ସୂର୍ଯ୍ୟକିରଣରୁ ତାତି ଶୋଷଣ କରେ ଏବଂ ସୂର୍ଯ୍ୟ ଅସ୍ତ ହେବା ପରେ ଧୀରେ ଧୀରେ ଘରକୁ ଗରମ ରଖିଥାଏ। ସେହିପରି ମାଟି କାନ୍ଥଗୁଡ଼ିକ ଗ୍ରୀଷ୍ମଋତୁରେ ଘରକୁ ପ୍ରାକୃତିକ ଭାବେ ଥଣ୍ଡା ରଖିଥାଏ। ଏହି ଘରେ ପାଣିର ବ୍ୟବହାର ବିନା ପାରମ୍ପରିକ ଶୌଚାଳୟ ରହିଛି। ଠିକ ସେହିପରି ରୋଷେଇଘର ଡିଜାଇନ୍ ଆପଣଙ୍କୁ ଆକୃଷ୍ଠ କରିବ I ରୋଷେଇ କରୁଥିବା ବ୍ୟକ୍ତି ଯେପରି ଏକୁଟିଆ ଅନୁଭବ ନ କରନ୍ତି, ସେଥିପାଇଁ ଏକ ଖୋଲା ଡାଇନିଂ ଟେବୁଲ୍ ସଂଲଗ୍ନ ଓପନ୍ କିଚେନ୍ ତିଆରି କରାଯାଇଛି।

ବଲିଉଡ୍ ସୁପରହିଟ୍ ଫିଲ୍ମ '୩ ଇଡିଅଟ୍ସ'ର ଚରିତ୍ର ରାଞ୍ଚୋ, ପଛରେ ପ୍ରକୃତ ପ୍ରେରଣା ସାଜିଥିବା ସୋନମ ୱାଙ୍ଗଚୁକ୍ ପୂର୍ବରୁ ମଧ୍ୟ ଅନେକ ନୂତନ ଓ ସୃଜନଶୀଳ କାର୍ଯ୍ୟ ପାଇଁ ପରିଚିତ । ଯଦିଓ ଫିଲ୍ମ ନିର୍ମାତାମାନେ ପ୍ରାରମ୍ଭରେ ତାଙ୍କ ସହ କୌଣସି ସମ୍ପର୍କ ନଥିବା ଦାବି କରିଥିଲେ, କିନ୍ତୁ ଆମୀର ଖାନ୍ ଫିଲ୍ମଟିର ଶୁଟିଂ ପୂର୍ବରୁ ତାଙ୍କୁ ଭେଟିଥିଲେ। ପରେ ୱାଙ୍ଗଚୁକ୍ ନିଜ ଜୀବନ ଓ ଫିଲ୍ମର ଚରିତ୍ର ମଧ୍ୟରେ ସାମଞ୍ଜସ୍ୟ ଥିବା ନେଇ ନିର୍ମାତାଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ପାଇ ନଥିଲେ। ସାମାଜିକ ପ୍ରସଙ୍ଗକୁ ନେଇ ସରକାରଙ୍କ ନିକଟରେ ଶାନ୍ତିପୂର୍ଣ ଆନ୍ଦୋଳନ କରି ନିଜର ଦାବି ଉପସ୍ଥାପନା କରିବା କ୍ଷେତ୍ରରେ ସୋନାମ ୱାଙ୍ଗଚୁକ ଯେତିକି ପରିଚିତ ନିଜର ନୂତନ ପ୍ରାକୃତିକ ଆବିଷ୍କାର ପାଇଁ ସେତିକି ପ୍ରତିଷ୍ଠିତ I