ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ  କ୍ଷେତ୍ରରେ ଦିନକୁ ଦିନ ନିବେଶ ବଢ଼ିବା ସହ ଏହାକୁ ନେଇ ଏବେ ଏକ ବଡ଼ ଆର୍ଥିକ ସଙ୍କଟର ଆଶଙ୍କା ଦେଖାଦେଇଛି। ଏଆଇ ପାଇଁ ଆବଶ୍ୟକ ହାର୍ଡୱେର୍ କିଣିବା ଓ ଏଥିରୁ ଆୟ ଆରମ୍ଭ ହେବା ମଧ୍ୟରେ ବଢ଼ୁଥିବା ସମୟର ବ୍ୟବଧାନ ଆସନ୍ତା ବର୍ଷ ଟେକ୍ନୋଲୋଜି କ୍ଷେତ୍ରରେ ଗୁରୁତର ନଗଦ ଅର୍ଥ ସଙ୍କଟ ସୃଷ୍ଟି କରିପାରେ। ଏଭଳି ଚେତାବନୀ ଦେଇଛନ୍ତି ଟେସଲା ଓ xAIର ମୁଖ୍ୟ ଏଲନ୍ ମସ୍କ।

ଏଆଇ ଗବେଷକ ଫ୍ରାନ୍ସୱା ଶୋଲେଙ୍କ ସହ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଆଲୋଚନା ବେଳେ ମସ୍କ ଏହି ଆଶଙ୍କା ପ୍ରକାଶ କରିଥିଲେ। ଶୋଲେ କହିଥିଲେ ଯେ ଏବେ କମ୍ପ୍ୟୁଟିଂ ପାୱାର ବା ଗଣନା କ୍ଷମତାର ଚାହିଦା ଅତ୍ୟଧିକ ରହିଛି। ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ ର ସ୍ପଟ୍ ମାର୍କେଟ୍ ମୂଲ୍ୟ କ୍ରମାଗତ ଭାବେ ବଢ଼ୁଥିବା ବେଳେ ହାଇ ବ୍ୟାଣ୍ଡୱିଡ୍ଥ ମେମୋରି (HBM) ଓ DRAMର ଉତ୍ପାଦନ କ୍ଷମତା ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ବୁକ୍ ହୋଇସାରିଛି।

ତେବେ ଏଆଇର ଚାହିଦା ଯେତେ ଅଧିକ ଥାଉ ନା କାହିଁକି, ଏହାକୁ ବାସ୍ତବରେ କାର୍ଯ୍ୟକ୍ଷମ କରିବା ହିଁ କମ୍ପାନୀଗୁଡ଼ିକ ପାଇଁ ସବୁଠାରୁ ବଡ଼ ଆହ୍ୱାନ ବୋଲି ମସ୍କ କହିଛନ୍ତି। ଏଆଇ ସେବା ଆରମ୍ଭ କରି ଆୟ କରିବା ପୂର୍ବରୁ କମ୍ପାନୀଗୁଡ଼ିକୁ ଦାମୀ ଚିପ୍ସ କିଣିବା, ବିଶାଳ ଡାଟା ସେଣ୍ଟର ନିର୍ମାଣ କରିବା, ବିପୁଳ ପରିମାଣର ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ସହ ଜଟିଳ କୁଲିଂ ବ୍ୟବସ୍ଥା ସ୍ଥାପନ କରିବାକୁ ପଡ଼ୁଛି। ଏହି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଡାଟା ସେଣ୍ଟରଗୁଡ଼ିକ ନିର୍ଭରଯୋଗ୍ୟ ଭାବେ କାମ କରିବା ପାଇଁ ଅନେକ ମାସ ସମୟ ଲାଗୁଛି।

ଏହି ସମସ୍ୟାକୁ ନେଇ ମସ୍କ Xରେ ଲେଖିଛନ୍ତି, “ଏତେ ପରିମାଣର କମ୍ପ୍ୟୁଟିଂ କ୍ଷମତାକୁ କାର୍ଯ୍ୟକ୍ଷମ କରିବା, ଥଣ୍ଡା ରଖିବା ଏବଂ ନିର୍ଭରଯୋଗ୍ୟ ଭାବେ ଚଳାଇବା ଅତ୍ୟନ୍ତ କଷ୍ଟକର। ଆସନ୍ତା ବର୍ଷ ନଗଦ ଅର୍ଥର ଅଭାବ ମଧ୍ୟ ଭୟଙ୍କର ରୂପ ନେଇପାରେ। କମ୍ପ୍ୟୁଟିଂ ଭିତ୍ତିଭୂମି ପାଇଁ ଅର୍ଥ ଖର୍ଚ୍ଚ କରିବାଠାରୁ ଆରମ୍ଭ କରି ଏହାକୁ ଆୟ ଉପାର୍ଜନ କରିବା ଯୋଗ୍ୟ କରିବା ପର୍ଯ୍ୟନ୍ତ ଯଦି ମାତ୍ର କିଛି ମାସର ବିଳମ୍ବ ହୁଏ, ତେବେ ସମଗ୍ର ଶିଳ୍ପକୁ କାର୍ଯ୍ୟକାରୀ ପୁଞ୍ଜି ବାବଦରେ ଅତିରିକ୍ତ ଶହ ଶହ ବିଲିୟନ୍ ଡଲାର ଆବଶ୍ୟକ ହେବ। ଏତେ ପରିମାଣର ଅର୍ଥ କେଉଁଠାରୁ ଆସିବ?”

ମସ୍କଙ୍କ ଏହି ମନ୍ତବ୍ୟ ଏଆଇ ଭିତ୍ତିଭୂମି ନିର୍ମାଣ ପଛରେ ଲୁଚି ରହିଥିବା ଆର୍ଥିକ ଚାପକୁ ସାମ୍ନାକୁ ଆଣିଛି। ଗୋଲ୍ଡମ୍ୟାନ୍ ସାକ୍ସର ତଥ୍ୟକୁ ଉଦ୍ଧୃତ କରି କ୍ରିପ୍ଟୋ ବ୍ରିଫିଂ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୬ରେ ଏଆଇ କ୍ଷେତ୍ରରେ ମୋଟ ପୁଞ୍ଜି ବ୍ୟୟ ପ୍ରାୟ ୧ ଟ୍ରିଲିୟନ୍ ଡଲାର ନିକଟତର ହୋଇଛି। ଏଥିସହ ଏଆଇ ସମ୍ବନ୍ଧୀୟ ଋଣ ପ୍ରଦାନର ପରିମାଣ ମଧ୍ୟ ବିଶ୍ୱସ୍ତରରେ ପ୍ରାୟ ୬୦୦ ବିଲିୟନ୍ ଡଲାରରେ ପହଞ୍ଚିଛି।

ଅନ୍ୟପକ୍ଷରେ, ଏଆଇ ମଡେଲ୍ ଥରେ କାର୍ଯ୍ୟକ୍ଷମ ହୋଇଗଲେ ଏଥିରୁ ଭଲ ଲାଭ ମିଳିପାରିବ। ମସ୍କଙ୍କ ମତରେ, ଏଆଇ ଇନ୍ଫରେନ୍ସ ସେବାରେ ୭୦ରୁ ୮୫ ପ୍ରତିଶତ ପର୍ଯ୍ୟନ୍ତ ଲାଭ ହାର ରହିପାରେ। କିନ୍ତୁ ଡାଟା ସେଣ୍ଟର ନିର୍ମାଣ, ବିଦ୍ୟୁତ୍ ସଂଯୋଗ ଓ କୁଲିଂ ବ୍ୟବସ୍ଥା ପ୍ରସ୍ତୁତ କରିବାରେ ହେଉଥିବା ବିଳମ୍ବ ଯୋଗୁଁ କମ୍ପାନୀଗୁଡ଼ିକୁ ଦୀର୍ଘ ସମୟ ଧରି ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଫଳରେ ଆୟ ଆରମ୍ଭ ହେବା ପୂର୍ବରୁ ଆର୍ଥିକ ଚାପ ବଢ଼ିଚାଲିଛି।

ବିଶେଷଜ୍ଞଙ୍କ ମତରେ, ଏହି ପରିସ୍ଥିତିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇପାରନ୍ତି ଛୋଟ ଛୋଟ ଏଆଇ କ୍ଲାଉଡ୍ ସେବା ପ୍ରଦାନକାରୀ ବା ‘ନିଓକ୍ଲାଉଡ୍’  କମ୍ପାନୀଗୁଡ଼ିକ। ବଡ଼ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ପାଖରେ ନିଜସ୍ୱ ପୁଞ୍ଜି ଓ ଆର୍ଥିକ ସମ୍ବଳ ଅଧିକ ଥିବାରୁ ସେମାନେ କିଛି ମାସର ବିଳମ୍ବକୁ ସହ୍ୟ କରିପାରିବେ। କିନ୍ତୁ ଋଣ ଉପରେ ନିର୍ଭର କରି GPU କ୍ଲଷ୍ଟର ନିର୍ମାଣ କରୁଥିବା ଛୋଟ କମ୍ପାନୀଗୁଡ଼ିକ ପାଇଁ ସ୍ଥିତି ଜଟିଳ ହୋଇପାରେ। ବିଦ୍ୟୁତ୍ ଯୋଗାଣ କିମ୍ବା କୁଲିଂ ବ୍ୟବସ୍ଥାରେ ବିଳମ୍ବ ହେଲେ ସେମାନଙ୍କ ଆୟ ପ୍ରଭାବିତ ହେବା ସହ ନେଇଥିବା ଋଣ ପରିଶୋଧ ଓ ପୁନଃ ଋଣ ହାସଲ କରିବାରେ ମଧ୍ୟ ସମସ୍ୟା ଦେଖାଦେଇପାରେ।

ALSO READ-ଏବେ କମ ଦାମ ଓ ଅଧିକ ମାଇଲେଜରେ ଆସିବ ରୟାଲଏନଫିଲ୍ଡ ବାଇକ୍: ୨୫୦ ସିସି ସେଗମେଣ୍ଟରେ ଲଞ୍ଚ ହେବ ହାଇବ୍ରିଡ ମୋଟରସାଇକେଲ୍ !

ଉଲ୍ଲେଖଯୋଗ୍ୟ, ଏଆଇର ବିକାଶ ଓ ବିସ୍ତାର କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତି ଓ ତାପ ନିୟନ୍ତ୍ରଣକୁ ମସ୍କ ବାରମ୍ବାର ସବୁଠାରୁ ବଡ଼ ବାଧା ବୋଲି କହିଆସୁଛନ୍ତି। ଏପରିକି ୨୦୨୭ ସୁଦ୍ଧା ବିଶ୍ୱସ୍ତରରେ ଏଆଇ ଚିପ୍ସର ବ୍ୟବହାର ବଢ଼ିବା ସହ ଅତି କମ୍ରେ ୧୫ ଗିଗାୱାଟ୍ ବିଦ୍ୟୁତ୍ ଶକ୍ତିର ଅଭାବ ଦେଖାଦେଇପାରେ ବୋଲି ସେ ପୂର୍ବରୁ ଆକଳନ କରିଥିଲେ।

ଏବେ ଏଆଇ କ୍ଷେତ୍ରରେ ବିପୁଳ ନିବେଶ ହେଉଥିବା ବେଳେ ଏହାକୁ ଆୟରେ ପରିଣତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ପୁଞ୍ଜିର ବ୍ୟବସ୍ଥା କରିବା ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ପରୀକ୍ଷା ହେବାକୁ ଯାଉଛି।