ନୂଆଦିଲ୍ଲୀ: ପ୍ରାୟତଃ ଏହା ଶୁଣିବାକୁ ମିଳେ ବିମାନ ଭଡ଼ା ଅହେତୁକ ବୃଦ୍ଧି ହେଉଛି। କେବେ କେବେ ଭଡ଼ା ଡବଲ ହୋଇଯାଉଛି ତ କେବେ ଭଡ଼ା ଲୋକଙ୍କ ପକେଟ ଉପରେ ଭାରି ହେଉଛି। ଏହି କାରଣରୁ ଲୋକେ ହଇରାଣ ହେଉଛନ୍ତି। ବିମାନ ଭଡ଼ା ବୃଦ୍ଧି ଯୋଗୁ ଲୋକେ ପର୍ବପର୍ବାଣୀ ସହିତ ସୁଖଦୁଃଖରେ ଘରକୁ ଯିବା ଆସିବାକୁ ଆଗପଛ ହେଉଛନ୍ତି। ନିକଟରେ ଛଟ ପର୍ବ ସରିଛି, ଦିଲ୍ଲୀରୁ ବିହାରକୁ ଭଡ଼ା ଯାହା ସାଧାରଣ ଦିନରେ ୬ରୁ ୭ ହଜାର ଟଙ୍କା ମଧ୍ୟରେ ଥାଏ ତାହା ବଢି ୧୫ରୁ ୨୫ ହଜାର ପର୍ଯ୍ୟନ୍ତ ହୋଇଯାଇଥିଲା।

ଉଚ୍ଚା ବିମାନ ଭଡ଼ା ଯୋଗୁ କେଉଁ ଆଡେ ଯାତାୟାତ କରିବାକୁ ଲୋକେ ଆଗପଛ ହେଉଛନ୍ତି। ଚଳିତବର୍ଷ ବିମାନ ଭଡ଼ାରେ ଅସାଧାରଣ ବୃଦ୍ଧି ହୋଇଛି। ଖାସ କରି ଦୀପାବଳି ଓ ଛଟ ବେଳେ ଲୋକେ ଘରକୁ ଫେରିବା ପାଇଁ ହଇରାଣ ହୋଇଛନ୍ତି। ଚଳିତବର୍ଷ ବିମାନ ଭଡ଼ା ବୃଦ୍ଧିର କାରଣ ଇରାନ ଯୁଦ୍ଧ ବୋଲି କୁହାଯାଉଛି। ଯୁଦ୍ଧ ଯୋଗୁ ଇନ୍ଧନ ଦର ବେଶ ବଢି ଯାଇଛି। ଏଣୁ ବିଭିନ୍ନ ଏୟାରଲାଇନ୍ସ ପ୍ରଥମେ ପ୍ରଚଳିଚ ଭଡ଼ା ସହ ଶୁଳ୍କ ଲାଗୁ କରୁଥିଲେ, ପରେ ଭଡ଼ା ବୃଦ୍ଧି କରିଛନ୍ତି। ତେବେ କେବଳ ଭଡ଼ା ବୃଦ୍ଧି ଭାରତରେ ହୋଇନି ଏହି ସମସ୍ୟା ସାରା ବିଶ୍ୱରେ ଉପୁଜିଥିବା ଜଣାପଡିଛି।