ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସରକାରୀ ଡାକ୍ତରଖାନାଗୁଡ଼ିକର ବିପର୍ଯ୍ୟସ୍ତ ବ୍ୟବସ୍ଥାର ନଗ୍ନ ଚିତ୍ର ସାମନାକୁ ଆସିଛି । ଦିଲ୍ଲୀର ଗୁରୁ ତେଗ୍ ବାହାଦୂର ଡାକ୍ତରଖାନାରେ ଘଟିଯାଇଛି ଏକ ଭୟଙ୍କର ଅଘଟଣ । ଏକ ଭାରି ସିଲିଂ ଫ୍ୟାନ ହଠାତ୍ ତା’ ଛାତରୁ ଖସିପଡ଼ି ଏମର୍ଜେନ୍ସି ବେଡରେ ଶୋଇଥିବା ଜଣେ ରୋଗୀଙ୍କ ଉପରେ ପଡ଼ିଯାଇଥିଲା ।

ଏମରଜେନ୍ସି ୱାର୍ଡରେ ଘଟିଥିବା ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ସେଠାରେ ଆତଙ୍କର ମାହୋଲ ସୃଷ୍ଟି ହୋଇଥିଲା । ଅନ୍ୟପଟେ ଏହି ଘଟଣାର କିଛି ଘଣ୍ଟା ପରେ ରୋଗୀଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାଟି ଶନିବାର ରାତିରେ ଘଟିଥିବା କୁହାଯାଉଛି ଏବଂ ମୃତ ରୋଗୀଙ୍କ ଚିହ୍ନଟ ମହମ୍ମଦ ଆକବର (୪୨) ବୋଲି ହୋଇଛି । ଏହି ଗମ୍ଭୀର ଅବହେଳା ଯୋଗୁଁ ଏବେ ହସ୍ପିଟାଲ ପ୍ରଶାସନ ଏବଂ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ହିନ୍ଦୁସ୍ତାନ ଟାଇମ୍ସରେ ଖବର ଅନୁଯାୟୀ, ମହମ୍ମଦ ଆକବରଙ୍କୁ ଜୁଲାଇ ୧୮ରେ ଜିଟିବି ହସ୍ପିଟାଲର ଏମର୍ଜେନ୍ସି ୱାର୍ଡକୁ ଅଣାଯାଇଥିଲା । ସେ ହାଇପରଟେନସନ୍ ଏବଂ ଆସ୍ପିରେସନ ନିମୋନିଆ ରୋଗରେ ପୀଡ଼ିତ ଥିଲେ । ଘଟଣାଟି ଶନିବାର ରାତି ପ୍ରାୟ ୯.୩୦ ସମୟରେ ଘଟିଥିଲା । ଜଣେ ନର୍ସିଂ କର୍ମଚାରୀ ଆକବରଙ୍କ ଚିକିତ୍ସା କରୁଥିବା ସମୟରେ ୱାର୍ଡ ନମ୍ବର ୨୭ରେ ଥିବା ପଙ୍ଖାଟି ହଠାତ୍ ଖସି ରୋଗୀଙ୍କ ଉପରେ ପଡ଼ିଯାଇଥିଲା ।

ଡାକ୍ତରଖାନାର କର୍ମଚାରୀଙ୍କ କହିଛନ୍ତି ଯେ, ଚିକିତ୍ସା ଚାଲିଥିବା ସମୟରେ ଫ୍ୟାନଟି ସିଧାସଳଖ ରୋଗୀଙ୍କ ବେଡ୍ ଉପରେ ପଡ଼ିଥିଲା । ଏହି ସମୟରେ ରୋଗୀଙ୍କ ଚିକିତ୍ସା କରୁଥିବା ନର୍ସିଂ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଡେଥ୍ ସାର୍ଟିଫିକେଟ୍ରେ ଲେଖାଯାଇଛି ଯେ ରୋଗୀଙ୍କ ମୃତ୍ୟୁ ରାତି ୧୨ଟା ୧୬ ମିନିଟ୍ରେ ହୋଇଛି, ଅର୍ଥାତ୍ ଦୁର୍ଘଟଣାର ତିନି ଘଣ୍ଟାରୁ ମଧ୍ୟ କମ୍ ସମୟ ମଧ୍ୟରେ ରୋଗୀଙ୍କ ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ହସ୍ପିଟାଲ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ସାମ୍ନାକୁ ଆସିନାହିଁ । କିନ୍ତୁ ଏହି ଦୁର୍ଘଟଣା ପୁଣିଥରେ ସରକାରୀ ଡାକ୍ତରଖାନାଗୁଡ଼ିକର ବିପର୍ଯ୍ୟସ୍ତ ବ୍ୟବସ୍ଥାର ପୋଲ୍ ଖୋଲି ଦେଇଛି ।