ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ ବିବାଦ ଏବେ ଆହୁରି ତୀବ୍ର ହେବାରେ ଲାଗିଛି। ଦଳର ପ୍ରାୟ ୨୦ ଜଣ ଲୋକସଭା ସାଂସଦ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ମେଣ୍ଟକୁ ସମର୍ଥନ କରିବା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ଚିଠି ଲେଖିଥିବା ଜଣାପଡ଼ିଛି। ସମ୍ବାଦ ସରବରାହ ସଂସ୍ଥା 'ପିଟିଆଇ' (PTI) ଅନୁଯାୟୀ, ଦଳର ବରିଷ୍ଠ ସାଂସଦ କାକୋଲି ଘୋଷ ଦସ୍ତିଦାର ସୋମବାର ଏହି ସୂଚନା ଦେଇଛନ୍ତି।

ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ଦଳ ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ପରେ ଏହି ବଡ଼ ଧରଣର ବିଦ୍ରୋହ ସାମ୍ନାକୁ ଆସିଛି । ବାଚସ୍ପତିଙ୍କୁ ଚିଠି ଲେଖିବା ସମ୍ପର୍କରେ ସୂଚନା ଦେଇ ସାଂସଦ କାକୋଲି ଘୋଷ ଦସ୍ତିଦାର କହିଛନ୍ତି, ମୋ ସହିତ ପ୍ରାୟ ୨୦ ଜଣ ଟିଏମସି ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଏନଡିଏକୁ ସମର୍ଥନ କରିବା ନେଇ ଆମର ନିଷ୍ପତ୍ତି ବିଷୟରେ ଜଣାଇଛୁ। ଆମେ ବଙ୍ଗଳା ନିର୍ବାଚନର ଫଳାଫଳକୁ ଗ୍ରହଣ କରିଛୁ ଏବଂ ବିଶ୍ୱାସ କରୁଛୁ ଯେ, ଆମର ଭବିଷ୍ୟତର ରାଜନୈତିକ ପନ୍ଥା ଏନଡିଏ ସହିତ ସମାନ ହେବା ଉଚିତ।

ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିରୋଧୀ 'ଇଣ୍ଡି' (INDIA) ମେଣ୍ଟର ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀରେ ଅଛନ୍ତି, ଏହି ସମୟରେ ଦଳ ମଧ୍ୟରେ ଏଭଳି ଏକ ବଡ଼ ସଙ୍କଟ ଦେଖାଦେଇଛି। ବିଧାନସଭା ନିର୍ବାଚନ ପରେ ଦଳରେ ଯେଉଁ ଅସନ୍ତୋଷ ଆରମ୍ଭ ହୋଇଥିଲା, ତାହା ଏବେ ସଂସଦୀୟ ଦଳ ପର୍ଯ୍ୟନ୍ତ ପହଞ୍ଚିଯାଇଛି।

ଦଳର ନେତୃତ୍ୱ ଉପରେ ସାଂସଦମାନେ କ୍ଷୁବ୍ଧ
ବିଦ୍ରୋହୀ ନେତା ରୁତବ୍ରତ ବାନାର୍ଜୀ କହିଛନ୍ତି ଯେ, ସୁଖେନ୍ଦୁ ଶେଖର ରାୟଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ଇସ୍ତଫା ଦଳର ନେତୃତ୍ୱ ବିରୋଧରେ ବଢ଼ୁଥିବା ଅସନ୍ତୋଷର ସ୍ପଷ୍ଟ ସଙ୍କେତ । କୋଲକାତାରୁ ଦିଲ୍ଲୀର ଦୂରତା ମାତ୍ର ୧,୪୩୫ କିଲୋମିଟର ଏବଂ ଦଳ ପ୍ରତି ଅସନ୍ତୁଷ୍ଟ ଥିବା ସାଂସଦମାନଙ୍କ ସଂଖ୍ୟା ଆଗାମୀ ସମୟରେ ଆହୁରି ବଢ଼ିବାର ସମ୍ଭାବନା ରହିଛି। ସେ କହିଛନ୍ତି, ‘ମୁଁ ଗତ ୧୫ ମାସ ଧରି ସଂସଦର ଶେଷ ବେଞ୍ଚରେ ବସୁଥିଲି ଏବଂ ଦେଖୁଥିଲି ଯେ, କିଛି ଜୁନିୟର ନେତା ଓ ଆରଟିଆଇ (RTI) କର୍ମୀଙ୍କୁ ଆଗ ଧାଡ଼ିର ସିଟ୍ ଦିଆଯାଉଛି। ସଂସଦରେ କିଏ କେମିତି କାମ କରୁଛି, ତାହାକୁ କେବେବି ଗୁରୁତ୍ୱ ଦିଆଗଲା ନାହିଁ। ବରିଷ୍ଠ ନେତା ସୁଖେନ୍ଦୁ ଦା’ଙ୍କୁ ମଧ୍ୟ ଶେଷ ବେଞ୍ଚ ଦିଆଯାଇଥିବାରୁ ମୋତେ ବହୁତ ଖରାପ ଲାଗୁଥିଲା।’

ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ପାଇଁ ଏହା ଶକ୍ତ ଝଟକା ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଉଭୟ ଦଳୀୟ ସଙ୍ଗଠନ ଏବଂ ସଂସଦୀୟ ସ୍ତରରେ ବିଦ୍ରୋହ ଓ ଇସ୍ତଫା ଦଳକୁ ଏକ ଗମ୍ଭୀର ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଆଗାମୀ ଦିନରେ ବିଦ୍ରୋହୀ ସାଂସଦଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ଏବେ ୨୦ ବିଦ୍ରୋହୀ ସାଂସଦଙ୍କ ନେତା  କାକୋଲି ଘୋଷ ହେବାକୁ ଥିବା ବେଳେ ଶତାବ୍ଦୀ ଘୋଷ ଦଳର ଉପନେତା ହୋଇଛନ୍ତି । କେବଳ ସେତିକି ନୁହେଁ, ବିଦ୍ରୋହୀ ସାଂସଦମାନେ ଏବେ ନିଜକୁ "ପ୍ରକୃତ ଟିଏମସି" ବୋଲି ଦାବି କରୁଛନ୍ତି । ଏହା ପୂର୍ବରୁ, ବିଦ୍ରୋହୀ ଟିଏମସି ସାଂସଦମାନେ ବିଜେପି ନେତା ଭୂପେନ୍ଦ୍ର ଯାଦବଙ୍କ ଘରେ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।