ନୂଆଦିଲ୍ଲୀ: ତିରୁପତି ବାଲାଜୀ ମନ୍ଦିରରେ ନୂଆ ଦାତା ନୀତି (Donor Policy) ଲାଗୁ ହେବା ପୂର୍ବରୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୯୬.୯୮ କୋଟି ଟଙ୍କାର ଦାନ ମିଳିଛି। ଜୁଲାଇ ୧୫ ମଧ୍ୟରାତ୍ରିରୁ ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡ ପକ୍ଷରୁ ଏକ ନୂଆ ଦାତା ନୀତି କାର୍ଯ୍ୟକାରୀ କରାଯାଇଛି। ଏହି ନୂଆ ନିୟମ ଅନୁଯାୟୀ, ଦାତାମାନଙ୍କୁ ମିଳୁଥିବା ଆଜୀବନ ସୁବିଧା ସୁଯୋଗକୁ ସମାପ୍ତ କରିଦିଆଯାଇଛି।

ଜୁଲାଇ ୧୫ ପୂର୍ବରୁ ଦାନ କରିଥିବା ବ୍ୟକ୍ତିମାନେ ପୂର୍ବଭଳି ଆଜୀବନ ସୁବିଧା ପାଇପାରିବେ। ଏହି ଆଜୀବନ ସୁବିଧାର ସୁଯୋଗ ନେବା ପାଇଁ ଜୁଲାଇ ୧୪ (ମଙ୍ଗଳବାର) ଦିନ ଦାତାମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଦେଖାଦେଇଥିଲା ଏବଂ ମାତ୍ର ଗୋଟିଏ ଦିନରେ ଏହି ବିପୁଳ ପରିମାଣର ଅର୍ଥ ଦାନ ଆକାରରେ ମିଳିଛି। ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ମୋଟ ୨,୪୬୦ ଜଣ ଦାତା ମନ୍ଦିରକୁ ଦାନ କରିଛନ୍ତି । ୧,୨୧୨ ଜଣ ଦାତା ୧ ରୁ ୧୦ ଲକ୍ଷ ଟଙ୍କା  ଅର୍ଥ ଦାନ କରିଛନ୍ତି। ୧,୨୪୬ ଜଣ ଦାତା ୧୦ ରୁ ୨୫ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି।  ୨ ଜଣ ଶ୍ରଦ୍ଧାଳୁ ୧ କୋଟିରୁ ଅଧିକ ଟଙ୍କା ଦାନ କରିଥିବା ଜଣାପଡ଼ିଛି ।

ତିରୁପତି ମନ୍ଦିରର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩.୩୮ ଲକ୍ଷ କୋଟି ଟଙ୍କା ।ବିଶ୍ୱର ଅନେକ ଛୋଟ ଦେଶର ମୋଟ ଜିଡିପି (GDP) ଠାରୁ ମଧ୍ୟ ଅଧିକ।
ସୂଚନାଯୋଗ୍ୟ ଯେ, ବର୍ଷ ୨୦୨୫-୨୬ ଆର୍ଥିକ ବର୍ଷରେ ମନ୍ଦିରର ହୁଣ୍ଡି ଦାନରୁ ମୋଟ ଆଦାୟ ୧,୭୩୮ କୋଟି ଟଙ୍କା ଅତିକ୍ରମ କରିଥିଲା । ତେବେ ଦୈନିକ ହାରାହାରି ଆୟ ପ୍ରାୟ ୪.୭୫ କୋଟି ଟଙ୍କା ଥିଲା। ତିରୁମାଲା ତିରୁପତି ଦେବସ୍ଥାନମ୍ ପକ୍ଷରୁ ଲାଗୁ ହୋଇଥିବା ନୂଆ ଦାତା ନୀତିରେ ଅନେକ ପରିବର୍ତ୍ତନ କରାଯାଇଛି । 

ପୂର୍ବରୁ ଥିବା ପରିସର-ଭିତ୍ତିକ ଦାନ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଏବେ ଦାତାମାନଙ୍କୁ ସେମାନଙ୍କର ଦାନ ଅର୍ଥ ରାଶି ଅନୁଯାୟୀ ୪ଟି ମୁଖ୍ୟ ସ୍ଲାବରେ ବିଭକ୍ତ କରାଯାଇଛି ।  ସ୍ଲାବ୍ ୧: ୧ ଲକ୍ଷରୁ ୫ ଲକ୍ଷ ଟଙ୍କା, ସ୍ଲାବ୍ ୨: ୧୦ ଲକ୍ଷରୁ ଅଧିକ, ସ୍ଲାବ୍ ୩: ୫୦ ଲକ୍ଷରୁ ୭୫ ଲକ୍ଷ ଟଙ୍କା, ସ୍ଲାବ୍ ୪: ୧ କୋଟିରୁ ୧.୫ କୋଟି ଏବଂ ତା'ଠାରୁ ଅଧିକ । ଏଥିରେ ବ୍ୟକ୍ତିଗତ ଦାତା ଏବଂ ସଂସ୍ଥା/ଟ୍ରଷ୍ଟଗୁଡ଼ିକ ପାଇଁ ପୃଥକ ନିୟମ ରହିଛି। ୧.୫ କୋଟି ଟଙ୍କାର ଏକ ନୂଆ ସ୍ଲାବ୍ ଏଥିରେ ଯୋଡ଼ାଯାଇଛି।  ପୂର୍ବରୁ ଦାତାମାନଙ୍କୁ ମିଳୁଥିବା ଆଜୀବନ ସୁବିଧାକୁ ଏବେ ସୀମିତ କରାଯାଇଛି । ସୁବିଧାଗୁଡ଼ିକ କେବଳ ୨୦ ବର୍ଷ ପାଇଁ ବୈଧ ରହିବ।  ସୁବିଧାଗୁଡ଼ିକ କେବଳ ୧୫ ବର୍ଷ ପାଇଁ ଲାଗୁ ହେବ।  ପୂର୍ବରୁ ୫୦ ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ଦାନ କରୁଥିବା ଦାତାମାନେ ପ୍ରତିବର୍ଷ ୧ ରୁ ୩ ଥର ସୁପ୍ରଭାତ ସେବାର ସୁଯୋଗ ପାଉଥିଲେ। କିନ୍ତୁ ନୂଆ ନିୟମ ଅନୁସାରେ, ଏହା କେବଳ ଗୋଟିଏ ଥର ପାଇଁ ଉପଲବ୍ଧ ହେବ।

ଦାତାମାନଙ୍କୁ ମିଳୁଥିବା ସ୍ମାରକୀ ସୁନା ଓ ରୁପା ମୁଦ୍ରାର ଓଜନକୁ ମଧ୍ୟ ହ୍ରାସ କରାଯାଇଛି । ପୂର୍ବ ନିୟମ ଅନୁଯାୟୀ ୧ କୋଟି ଟଙ୍କାର ଦାତାଙ୍କୁ ୫ ଗ୍ରାମ ସୁନା ଏବଂ ୫୦ ଗ୍ରାମ ରୁପା ମୁଦ୍ରା ମିଳୁଥିଲା।ନୂଆ ନିୟମରେ (୫୦ ଲକ୍ଷରୁ ୧.୫ କୋଟି ଦାନ ପାଇଁ) କେବଳ ୨ ଗ୍ରାମ ସୁନା ଏବଂ ୧୦ ଗ୍ରାମ ରୁପା ମୁଦ୍ରା ପ୍ରଦାନ କରାଯିବ। ସମସ୍ତ ଦାତାଙ୍କ ଦର୍ଶନ ପ୍ରକ୍ରିୟାକୁ ଏବେ ସମ୍ପୂର୍ଣ୍ଣ ରୂପେ ଅନଲାଇନ୍ ଡୋନର୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ମାଧ୍ୟମରେ କରାଯିବ। ଏହା ଦ୍ୱାରା ମାନୁଆଲ୍ ହସ୍ତକ୍ଷେପ ଏବଂ ସୁପାରିଶ ବନ୍ଦ ହେବ।  ଏହି ନୂଆ ନିୟମ ପୁରୁଣା ଦାତାମାନଙ୍କ ଉପରେ ଲାଗୁ ହେବନାହିଁ। ପୂର୍ବରୁ ଦାନ କରିସାରିଥିବା ଶ୍ରଦ୍ଧାଳୁମାନେ ସେମାନଙ୍କର ଆଜୀବନ ସୁବିଧା ପୂର୍ବଭଳି ପାଇବେ।