ବାଲିଗୁଡ଼ା ୨୨।୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତିନି ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ l ଗିରଫ ତିନି ଜଣ ଶିକାରୀ ମୁଣ୍ଡୁଟି ଜଙ୍ଗଲରେ ଜାନୁଆରୀ ୪ ତାରିଖ ଦିନ ବାରହା ଶୀକାର କରିବା ପାଇଁ ବିଦ୍ୟୁତ ତାର ବିଛାଇଥିଲେ l କିନ୍ତୁ ବିଦ୍ୟୁତ ଫାସରେ ବାରହା ବଦଳରେ ଏକ ହାତୀ ପଡ଼ିଯାଇଥିଲା । ଜାନୁଆରୀ ୫ ତାରିଖ ଦିନ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିଲା l ତେବେ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ତଦନ୍ତ କରିବା ସମୟରେ ଏହି ୩ ଜଣ ଶିକାରୀକୁ ଜେରା କରିବା ବେଳେ ବିଦ୍ୟୁତ ତାର ବିଛାଇବା ସହ ହାତୀର ମୃତ୍ୟୁ ପରେ ବି ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ସତ ଉଗାଳିଥିଲେ l ଗିରଫ ତିନି ମୁଖ୍ୟ ଅଭିଯୁକ୍ତ ହେଲେ ବେଲଘର ରେଞ୍ଜ ଝିରିପାଣି ଗାଁର କ୍ଷମା ପାତ୍ର, ବୃଷଭ ପାତ୍ର ଓ ଗୋକୁଳ ପାତ୍ର l

ପୂର୍ବରୁ ଫେବୃଆରୀ ୪ ତାରିଖରେ ଝିରିପାଣି ଅଞ୍ଚଳର ଅନ୍ୟ ୩ ଶିକାରୀକୁ ଗିରଫ କରିବା ସହ ୩ ଦେଶୀ ବନ୍ଧୁକ, ବିଦ୍ୟୁତ ତାର, ଛାଲ, ସିଙ୍ଘ ସମେତ ବନ୍ୟ ଜୀବଜନ୍ତୁଙ୍କ କଙ୍କାଳ ଆଦି ଜବତ କରିଥିଲା ବନ ବିଭାଗ l ତେବେ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ଏଯାବତ ୬ ଜଣ ଶିକାରୀ, ଫେରାର ଡେପୁଟି ରେଞ୍ଜରଙ୍କ ଡ୍ରାଇଭର, ଜେସିବି ଅପରେଟର ସମେତ ମୋଟ୍ ୧୧ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।