ଭୁବନେଶ୍ୱର: ଭୁବନେଶ୍ୱର ଗଜପତି ନଗର ପ୍ରେସ୍ ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ଭୟଙ୍କର ସିରିଜ୍ ଦୁର୍ଘଟଣା ଘଟିଛି। ଏକ କାର୍ ୪ଟି ବାଇକ୍ ସହ ଅଟୋକୁ ଧକ୍କା ଏକ ଚା’ ଦୋକାନ ଉପରକୁ ମାଡ଼ି ଯାଇଛି I ଫଳରେ ଜଣେ ଆଇଏଏସ୍ଙ୍କ ସ୍ୱାମୀ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୪ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ସ୍ଥାନୀୟ ନିୟୁ ସରକାରୀ କଲୋନୀର ଜେରୋମ୍ ଏକ୍କା ଓ ସନ୍ତୋଷ ବେହେରା । ଶ୍ରୀ ଏକ୍କା ଜଣେ ଅବସରପ୍ରାପ୍ତ କର୍ମଚାରୀ । ତାଙ୍କ ପତ୍ନୀ ଜଣେ ଆଇଏଏସ୍ ଅଛନ୍ତି।

ସନ୍ତୋଷ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ। ସେହିପରି ଗୁରୁତର ଅନ୍ୟ ୫ ଜଣଙ୍କୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ପରିଚୟ ଜଣାପଡ଼ିଛି। ସେମାନେ ହେଲେ ଲକ୍ଷ୍ମୀଧର ଟସ୍ପୋ ଓ ସୁଲଗ୍ନା ଦେ । ମୈତ୍ରୀ ବିହାର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡିକୁ ଜବତ କରିଛି।

ସୂଚନା ଅନୁଯାୟୀ ରାତି ପ୍ରାୟ ୮ଟା ପାଖାପାଖି ପ୍ରେସ ଛକ ପଟୁ ଏକ କାର( ଓଡି୩୫କେ -୩୩୯୯)

ରେଲୱେ ଷ୍ଟାଡିୟମ ଆଡକୁ ଦ୍ରୁତ ଗତିରେ ଯାଉଥିଲା। ଏହି ସମୟରେ ନିୟୁ ସରକାରୀ କଲୋନୀ ଫାଟକ ପାଖ ଚା' ଦୋକାନରେ ୧୦ରୁ ଊର୍ଦ୍ଧ୍ୱ ଲୋକେ ଚା’ ପିଉଥିଲେ। ଦ୍ରୁତଗତିରେ ଆସୁଥିବା କାରଟି ହମ୍ପସ୍କୁ ଡେଇଁ ପଡ଼ିବା ଫଳରେ କାର ଚାଳକ ଜଣକ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥୁଆ ହୋଇଥିବା ୪ଟି ବାଇକ୍ ଓ ଅଟୋକୁ ଧକ୍କା ଦେଇ ନିକଟସ୍ଥ ଚା’ ଦୋକାନ ଆଗରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା। ପରେ ସେଠାରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇ ଅଟକି ଯାଇଥିଲା।

ରାଜଧାନୀରେ ସିରିଜ ଦୁର୍ଘଟଣା ମାମଲାରେ କିଲର୍ କାର୍ ଚାଳକ ଆତ୍ମସମର୍ପଣ କରିଛି। କିଲର୍ କାରର ଚାଳକ ହେଲେ ଗାଙ୍ଗପୁର ଗଞ୍ଜାମ ଜିଲ୍ଲାର ଅନୀଲ ଗୌଡ଼। କିଲର୍ କାର୍ ଚାଳକ ଅନୀଲ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ। ହଠାତ୍ ତାଙ୍କର କାଶ ହେବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । କାଶ ଯୋଗୁ ନିୟନ୍ତ୍ରଣ ହରାଇ କାର୍ ଚାଳକ ଏକାଧିକ ଗାଡ଼ି ସହ ଦୁର୍ଘଟଣା କରିଥିଲେ।

ବ୍ରେଥ୍ ଆନାଲାଇଜର ଟେଷ୍ଟରେ ଚାଳକ ଜଣକ ମଦ୍ୟପାନ କରି ନଥିବା ପୋଲିସ ସୂଚନା ଦେଇଛି। ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ଆମ୍ବୁଲାନ୍ସ ଓ ପିଶିଆର୍ କର୍ମଚାରୀ। ଦୁର୍ଘଟଣାଗ୍ରସ୍ତ କାର୍, ଅଟୋ ଏବଂ ଦୁଇ ଚକିଆ ଗାଡ଼ିକୁ ଜବତ କରିବା ସହ ସିସିଟିଭି ଯାଞ୍ଚ୍ କରୁଛି ମୈତ୍ରୀ ବିହାର ପୋଲିସ।