ବାରଙ୍ଗ: ବାରଙ୍ଗ ଥାନା ଚଣ୍ଡୀ ପ୍ରସାଦ ଗାଁର ରାକେଶ ବେହେରାଙ୍କୁ ପୋଲିସରେ ଥାର୍ଡ ଡିଗ୍ରୀ ମାମଲାକୁ ନେଇ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ପରିବାରକୁ ନଜଣାଇ କଟକରେ ଚିକିତ୍ସାଧୀନ ରାକେଶଙ୍କୁ ଅନ୍ୟତ୍ର ନେବାକୁ ବିରୋଧ କରି ଗ୍ରାମବାସୀମାନେ ଥାନା ସମ୍ମୁଖରେ ଭୁବନେଶ୍ୱର- କଟକ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଏହା ପୂର୍ବରୁ ଗ୍ରାମବାସୀ ପ୍ରଥମେ ଥାନା ଭିତରକୁ ଧସେଇ ପଶିଥିଲେ। ତେବେ ରାସ୍ତା ଅବରୋଧ ଯୋଗୁ ଭୁବନେଶ୍ୱରରୁ କଟକ ମଧ୍ୟରେ ଯାନବାହନ ଚଳାଚଳ ଠପ୍ ହୋଇଛି।

ସେପଟେ ଏହି ଘଟଣାରେ ଡିଜିପି ଓ୍ବାଇ.ବି ଖୁରାନିଆ, ପୋଲିସ କମିଶନରଙ୍କୁ ତଦନ୍ତ ରିପୋର୍ଟ ମାଗିଥିବା ବେଳେ ବାରଙ୍ଗ ଥାନାରେ ରାକେଶଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି କଟକ ଡିସିପି। କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି, ବାରଙ୍ଗ ଥାନାରେ ଯୁବକଙ୍କୁ ନିର୍ଯାତନା ଦିଆଯାଇନାହିଁ। ଥାନାକୁ ଡାକିବାର ୨୪ ଘଣ୍ଟା ପରେ ଛାଡ଼ି ଦିଆଯାଇଥିଲା । ଯୁବକଙ୍କୁ ନିର୍ଯାତନା ଦେବାର କୌଣସି ପ୍ରମାଣ ନାହିଁ। ସଂପୃକ୍ତ ଯୁବକ କିଡନୀ ରୋଗରେ ପୀଡ଼ିତ ଥିଲେ।

Also Read: ରାଜ୍ୟର ସମସ୍ତ ଜିଲ୍ଲାରେ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ସରିଛି, ଡିଜିପିଙ୍କ ଚେତାବନୀ- ଅଭ୍ୟାସଗତ ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ

ସୂଚନାଥାଉକି, ଗତ ୨୧ ତାରିଖରେ କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ଚଣ୍ଡୀ ପ୍ରସାଦ ଗ୍ରାମର ରାକେଶଙ୍କୁ ଥାନାକୁ ଆଣିଥିଲା ପୋଲିସ । ପୂର୍ବରୁ ରାକେଶଙ୍କ ପତ୍ନୀ ନିଖୋଜ ନେଇ ଥାନାରେ ଏତଲା ହୋଇଥିବାରୁ ମୃତ ଦେହଟି ରାକେଶଙ୍କ ପତ୍ନୀଙ୍କର ହୋଇଥିବା ପୋଲିସ ସନ୍ଦେହ କରୁଥିଲା। ହେଲେ ରାକେଶଙ୍କ ନିଖୋଜ ପତ୍ନୀଙ୍କ ସନ୍ଧାନ ମିଳିବା ପରେ ମଧ୍ୟ ରାକେଶଙ୍କୁ ଛାଡ଼ିନଥିଲା ପୋଲିସ । ଏମିତିକି ରାକେଶକୁ ରଖି ତଦନ୍ତ ବେଳେ ମାଡ଼ମାରି ମେଡିକାଲରେ ପୋଲିସ ଭର୍ତ୍ତି କରାଇଥିବା ଅଭିଯୋଗ ହୋଇଥଲା।

ତେବେ ରାକେଶ କଟକ ବଡ଼ମେଡିକାଲରେ ଗତ ୨୫ ତାରିଖରୁ ଚିକିତ୍ସିତ ହେଉଥିଲେ। ମାତ୍ର ଶୁକ୍ରବାର ତାଙ୍କ ପରିବାରକୁ ନଜଣାଇ ପୋଲିସ ରାକେଶକୁ ଅନ୍ୟତ୍ର ନେବାକୁ ବିରୋଧ କରିଛନ୍ତି ପରିବାର ଲୋକେ ଏବଂ ଗ୍ରାମବାସୀ। ଏପରିକି ରାକେଶ ଗୁରୁତର ଥିବା ପରିବାର ଲୋକ କହିଛନ୍ତି। ଯାହାକୁ ନେଇ ଉତ୍ତେଜନା ବଢ଼ିଛି।