ଭୁବନେଶ୍ବର: ଅଭ୍ୟାସଗତ ଅପରାଧୀ ସାବଧାନ । ପୋଲିସର ହିଟ୍ ଲିଷ୍ଟରେ ଚଢ଼ି ସାରିଛି ସେମାନଙ୍କ ନାଁ ଓ ଠିକଣା । କେତେବେଳେ, କେଉଁ ମୁହୂର୍ତ୍ତରେ ବି ହୋଇପାରେ ଏନକାଉଣ୍ଟର । ମେ’ ୧୨ରୁ ଜାରି ରହିଥିବା ଆକ୍ସନ ଆଗକୁ ବି ଜାରି ରହିବ । ପୋଲିସ ପ୍ରସ୍ତୁତ କରିଥିବା ତାଲିକାରେ ଥିବା ଅପରାଧୀଙ୍କ ଭିତରୁ ଯଦି କୌଣସି ଅପରାଧୀ ଅପରାଧ ଘଟାଇବାର ଖବର ଆସେ ତାହେଲେ ସେମାନଙ୍କୁ ଏନକାଉଣ୍ଟର କରିବାକୁ ମଧ୍ୟ ପୋଲିସ ପଛାଇବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପୋଲିସ ଡିଜି । ଡିଜିପି ଆହୁରି ବି କହିଛନ୍ତି ଯେ, ପୋଲିସ କୌଣସି ଉଦେଶ୍ୟ ରଖି ଏନକାଉଣ୍ଟର କରୁନି, ପୋଲିସ ଉପରେ ଯେତେବେଳେ ଅପରାଧୀମାନେ ଆକ୍ରମଣ କରୁଛନ୍ତି, ସେତେବେଳେ ପୋଲିସ ଆତ୍ମରକ୍ଷା ପାଇଁ ଏନକାଉଣ୍ଟର କରୁଛି ।

ରାଜ୍ୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରାୟ ୧ ହଜାର ୭୪ଜଣ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । ଏହି ତାଲିକାରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୪୧୭ଜଣ ଅପରାଧୀଙ୍କ ନାଁ ରହିଛି । ସେହିଭଳି କଟକ ଭୁବନେଶ୍ବର କମିଶନରେଟ ପୋଲିସ ୬୦ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତାଲିକାଭୁକ୍ତ କରିଛି । NDPS ଆକ୍ଟରେ ୯୭ ମାମଲା ରୁଜୁ ସହ ୧୦୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଯାଇଛି । ଚୋରା ବନ୍ଧୁକ କାରବାରରେ ୩୧ ମାମଲା ରୁଜୁ କରାଯିବା ସହ ୩୭ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୩୯ ବନ୍ଧୁକ ଜବତ ହୋଇଛି ।  ଅପରାଧୀଙ୍କୁ ଦମନ ପାଇଁ ଓଡ଼ିଶା ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି ବୋଲି କହିଛନ୍ତି ପୋଲିସ ଡିଜି ।

Also Read: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡରେ ପୁଣି ଥରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ, ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଓଗାଳୁଛି ଅଧିକ ତଥ୍ୟ

ସେପଟେ ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ କହିଛନ୍ତି, କିଛିଟା ହାଇ ପ୍ରୋଫାଇଲ୍ କେସ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ବ୍ରହ୍ମପୁର, ଝାରସୁଗୁଡ଼ା, ସମ୍ବଲପୁର ଏବଂ ଭୁବନେଶ୍ବରରେ ଏନକାଉଣ୍ଟର ହୋଇଛି ସତ କିନ୍ତୁ ଘଟଣା ଘଟିବା ପୂର୍ବରୁ ପୋଲିସର ଇମିଡିଏଟ୍ ରେସପନ୍ସ ନିହାତି ଦରକାର । ଯଦି ବିଭିନ୍ନ ଘଟଣାରେ ପୋଲିସ ଇମିଡିଏଟ୍ ରେସପନ୍ସ ଦେବେ ତାହେଲେ ଘଟଣା ସ୍ଥଳରେ ୯୦ ପ୍ରତିଶତ ସମସ୍ୟାର ସମାଧାନ ହୋଇଯିବ । ବିଭିନ୍ନ ଘଟଣାରେ ପୋଲିସ ପ୍ରଥମେ ଭଲ ଭାବେ ଯାଞ୍ଚ କରିବା ସହ ନିରପେକ୍ଷ ତଦନ୍ତ କରିବା ଆବଶ୍ୟକ । ସେହିଭଳି  ଓଡ଼ିଶାରେ ବାଂଲାଦେଶୀଙ୍କ ଉପରେ କଡ଼ା ନଜର ରହିଛି ଏବଂ ବିଭିନ୍ନ ଥାନା ଓ ମେରାଇନ୍ ଥାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ।