ନୂଆଦିଲ୍ଲୀ: ଆମେରିକା- ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ଯୁଦ୍ଧର ଗୁରୁତର ପ୍ରଭାବ ପଡ଼ିଛି ସାରା ବିଶ୍ବର ତେଲ ଯୋଗାଣ ଉପରେ। ବିଶ୍ବର ଅନେକ ଦେଶରେ ସୃଷ୍ଟି ହୋଇଛି ଶକ୍ତି ସଙ୍କଟ। ଏହାରି ମଧ୍ୟରେ ଯୁଦ୍ଧର ପ୍ରଥମ ପ୍ରଭାବ ପଡ଼ିଛି ଭାରତୀୟ ତେଲ ମାର୍କେଟ ଉପରେ। ଦେଶରେ ବଢ଼ିଛି ପ୍ରିମିୟମ ଅର୍ଥାତ ପାଓ୍ବାର ପେଟ୍ରୋଲର ଦାମ୍ ।

ସୂଚନା ଅନୁସାରେ, ବିଭିନ୍ନ କମ୍ପାନି ସେମାନଙ୍କର ପ୍ରିମିୟମ ପେଟ୍ରୋଲର ଦାମରେ ଲିଟର ପିଛା ୨ ଟଙ୍କା ୩୦ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି। CNBC ଆଓ୍ବାଜର ଏକ ରିପୋର୍ଟ ଅନୁସାରେ, ପେଟ୍ରୋଲ ଡିଲରମାନେ ମୂଲ୍ୟ ବୃଦ୍ଧି ନେଇ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ କେବଳ ପାଓ୍ବାର ପେଟ୍ରୋଲ ଦାମ ବଢ଼ିଛି ଏବଂ ରେଗୁଲାର ପେଟ୍ରୋଲ ଦାମ୍ ବଢ଼ାଯାଇନାହିଁ ବୋଲି ଡିଲର ସଂଘ ପକ୍ଷରୁ କୁହାଯାଇଛି।

କେଉଁମାନଙ୍କ ଉପରେ ପଡ଼ିବ ପ୍ରଭାବ ?

ଏହି ବୃଦ୍ଧିର ପ୍ରଭାବ ମୁଖ୍ୟତଃ ସେହି ଗ୍ରାହଙ୍କ ଉପରେ ପଡ଼ିବ ଯେଉଁମାନେ ହାଇ- ଅକ୍ଟେନ ବା ପ୍ରିମିୟମ ପେଟ୍ରୋଲ ବ୍ୟବହାର କରୁଥିଲେ। ପ୍ରିମିୟମ ପେଟ୍ରୋଲର ବ୍ୟବହାର ସାଧାରଣତଃ ଉତ୍ତମ ଇଞ୍ଜିନ ପରଫରମାନ୍ସ ଏବଂ ଅଧିକ ମାଇଲେଜ ପାଇଁ ବ୍ୟବହାର ହୋଇଥାଏ।

ତେବେ କମ୍ପାନିଙ୍କ ପକ୍ଷରୁ ଦାମ୍ ବୃଦ୍ଧି ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ଅବଶ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଇରାନ ଯୁଦ୍ଧ ଯୋଗୁ ବିଶ୍ବ କଞ୍ଚାତେଲ ଦାମ ଅସ୍ଥିର ଏବଂ ପରିବହନ ଖର୍ଚ୍ଚରେ ପରିବର୍ତ୍ତନ ଦାମରେ ବୃଦ୍ଧିର ମୁଖ୍ୟ କାରଣ ହୋଇପାରେ।

Also Read: Iran Attacks Qatar Gas Plant: କତାରର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ଭୟଙ୍କର ଆକ୍ରମଣ, ୨୦ ବିଲିୟନ ଡଲାର ଛାରଖାର

ଯୁଦ୍ଧ ଯୋଗୁ ତେଲ ଯୋଗାଣରେ ବାଧା

ସୂଚନାଥାଉକି, ଆମେରିକା ଓ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ଏବଂ ତେହେରାନର ପାଲଟା ଆକ୍ରମଣ ପରେ ଅଶୋଧିତ ତେଲ ଦାମ୍ ପ୍ରତି ବ୍ୟାରେଲ ପିଛା ୧୦୦ ଡଲାର ଟପିଛି। ଏହାଯୋଗୁ ସମଗ୍ର ଦୁନିଆରେ ହାହାକାର ସୃଷ୍ଟି ହୋଇଛି। ଏମିତିରେ ନିଜ ଆବଶ୍ୟକତାର ୮୮ ପ୍ରତିଶତ ତେଲ ଆମଦାନୀ କରୁଥିବା ଭାରତକୁ ଆର୍ଥିକ ସଙ୍କଟର ସୃଷ୍ଟି କରିପାରେ।

ହୋର୍ମୁଜ ପ୍ରଣାଳୀରେ ରପ୍ତାନୀ ବନ୍ଦ

ତୈଳ ଯୋଗାଣରେ ବାଧା ଉପୁଜିବାର ଆଉ ଏକ ବଡ଼ କାରଣ ହେଉଛି, ଯୁଦ୍ଧ ଆରମ୍ଭ ହେବା ପରଠାରୁ ହୋର୍ମୁଜ ପ୍ରଣାଳୀ ଦେଇ ଜାହାଜ ଗମନାଗମନ ଠପ୍ ହୋଇଛି। ଯୁଦ୍ଧ ପୂର୍ବରୁ ସାଧାରଣତଃ ପ୍ରତିଦିନ ପ୍ରାୟ ଏହି ମାର୍ଗରେ ୧.୫ କୋଟି ବ୍ୟାରେଲ ଅଶୋଧିତ ତେଲ ଏବଂ ୫୦ ଲକ୍ଷ ବ୍ୟାରେଲ ତେଲ ଉତ୍ପାଦ ଆମଦାନୀ- ରପ୍ତାନୀ ହୋଇଥାଏ। ଏହା ବିଶ୍ବ ତେଲ ବ୍ୟବହାରର ୨୦ ପ୍ରତିଶତ। ଭାରତକୁ ଅଶୋଧିତ ତେଲ ଏବଂ ୪୦ ପ୍ରତିଶତ ଗ୍ୟାସ ଏବଂ ୮୫-୯୦ ପ୍ରତିଶତ ଏଲପିଜି ଏହି ମାର୍ଗ ଦେଇ ଆସିଥାଏ। ଏମିତିରେ ଭାରତ ପାଇଁ ବଡ଼ ଚିନ୍ତା ଉତ୍ପନ୍ନ ହୋଇଛି।