ନୂଆଦିଲ୍ଲୀ: ତାମିଲନାଡ଼ୁ ସରକାର ୧୯୯୮ ମସିହାରେ କୋଏମ୍ୱଟୁର ବୋମା ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପାଞ୍ଚ ଦୋଷୀଙ୍କୁ ୬୦ ଦିନ ପାରୋଲ୍ ଦେଇଛନ୍ତି । ଦାବି କରାଯାଉଥିଲା ଯେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇଥିଲ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ତାମିଲନାଡ଼ୁରେ ରାଜନୈତିକ ବିବାଦ ଆରମ୍ଭ ହୋଇଛି । ବିଜେପି ବିଜୟଙ୍କ ଟିଭିକେ ସରକାରଙ୍କ ଦୋଷୀ ଆତଙ୍କୀ ପାଇଁ କୋହଳ ହେଉଛନ୍ତି । ରାଜନୈତିକ ଲାଭ ହାସଲ ପାଇଁ ରାଜ୍ୟ ସରକାର ଏପରି କରୁଥିବା ଅଭିଯୋଗ କରିଛି ।

ବିଜେପି ଅଭିଯୋଗ କରିଛି ଯେ ରାଜ୍ୟ ସରକାର ମୁସଲିମ୍ ଲିଗର ସମର୍ଥନ ପାଇଁ ସଂଖ୍ୟାଲଘୁଙ୍କୁ ଖୁସି କରାଇବାକୁ ପ୍ରୟାସ କରୁଛି । ୨୦୨୬ ଜୁନରେ ଆଇୟୁଏମଏଲ୍ ତାମିଲନାଡ଼ୁରେ ଡିଏମକେ ସହ ପ୍ରାୟ ୬୦ ବର୍ଷ ପୁରୁଣା ମେଣ୍ଟ ଭାଙ୍ଗିଥିଲା । ପରେ ବିଜୟଙ୍କ ଟିଭିକେ ସରକାରଙ୍କୁ ବିନା କୌଣସି ସର୍ତ୍ତରେ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଥିଲା ।

 

ଟିଭିକେ ବିଧାୟକ ଭିଏମଏସ ମୁସ୍ତାଫା ଏକ ବିବୃତ୍ତିରେ ପାରୋଲ ପ୍ରଦାନ କରିବା ପାଇଁ ବିଜୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସରକାର କହିଛନ୍ତି ଯେ ଏହି ପାଞ୍ଚ ଜଣଙ୍କୁ ପାରୋଲ ପ୍ରଦାନ କରିବା ସାଧାରଣ ପ୍ରକ୍ରିୟାର ଏକ ଅଂଶ । ସରକାରଙ୍କ ଅନୁଯାୟୀ, ଏହି ବ୍ୟକ୍ତିମାନେ ଦୀର୍ଘ ସମୟ ଧରି ଜେଲରେ ଅଛନ୍ତି ଏବଂ ଅନ୍ୟାନ୍ୟ ମାମଲାରେ ଅଭିଯୁକ୍ତମାନଙ୍କୁ ସମାନ ଆଶ୍ୱସ୍ତି ଦିଆଯାଇଛି ।

ଜେଲ ଅଧିକାରୀଙ୍କ ଅନୁଯାୟୀ, କୋଏମ୍ବଟୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିବା ପାଞ୍ଚ ଜଣ କଏଦୀ ପାରୋଲ ପାଇଁ ଆବେଦନ କରିଥିଲେ । ସେମାନଙ୍କ ନାଁ ହେଉଛି ମହମ୍ମଦ ଅନସାରି, ମହମ୍ମଦ ଅଲି, ମୋନାପ୍ପା ଓରଫ ମହମ୍ମଦ ହାସନ, ମହମ୍ମଦ ଆଜମ ଏବଂ ନବାବ ଖାନ । ଏମାନଙ୍କ ବୟସ ୪୬ରୁ ୫୫ ବର୍ଷ ମଧ୍ୟରେ । ବ୍ୟକ୍ତିଗତ ପରିସ୍ଥିତି ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ସେମାନେ ପାରୋଲ ପାଇଁ ଆବେଦନ କରିଥିଲେ । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ପାଞ୍ଚ ଜଣଙ୍କ ପାରୋଲ ଆବେଦନ ଚଳିତ ବର୍ଷ ଆରମ୍ଭରେ ମଞ୍ଜୁର ହୋଇଥିଲା । ତେବେ ବିଧାନସଭା ନିର୍ବାଚନ ସମୟରେ ସେମାନଙ୍କୁ ପାରୋଲରେ ମୁକ୍ତ କରାଯାଇ ନଥିଲା । ଏବେ ସେମାନଙ୍କର ନୂତନ ଆବେଦନଗୁଡ଼ିକୁ ମଞ୍ଜୁର କରାଯାଇଛି ।

କ’ଣ ଘଟିଥିଲା ?

୧୯୯୮ ମସିହା ଫେବ୍ରୁଆରୀ ୧୪ରେ ଲାଲକୃଷ୍ଣ ଆଡଭାଣୀଙ୍କ କୋଏମ୍ବାଟୁରରେ ଏକ ନିର୍ବାଚନୀ ରାଲି କରିବାର କାର୍ଯ୍ୟକ୍ରମ ଥିଲା । ରାଲି ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ସିରିଜ୍ ବୋମା ବିସ୍ଫୋରଣ ଘଟିଥିଲା । ଏଥିରେ ୫୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦୦ରୁ ଅଧିକ ଆହତ ହୋଇଥିଲେ । ସେହି ସମୟରେ ଆଡଭାଣୀ ସଭାସ୍ଥଳରେ ପହଞ୍ଚି ନଥିବାରୁ ଆକ୍ରମଣରୁ ବଞ୍ଚି ଯାଇଥିଲେ । ସେତେବେଳେ ଡିଏମକେ ସରକାର ବୋମା ବିସ୍ଫୋରଣର ତଦନ୍ତ ପାଇଁ ଜଷ୍ଟିସ ପି.ଆର.ଗୋପୁଲାକୃଷ୍ଣନଙ୍କ ନେତୃତ୍ୱରେ ଏକ କମିଶନ ନିଯୁକ୍ତ କରିଥିଲେ । କମିଶନ ରିପୋର୍ଟ ଦେଇଥିଲେ ଯେ ବିସ୍ଫୋରଣ ୧୯୯୭ ଶେଷ ଭାଗରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଏବଂ ପୋଲିସ ଗୁଳିରେ ୧୮ ଜଣ ମୁସଲମାନଙ୍କ ମୃତ୍ୟୁ ସହିତ ଜଡିତ ଥିଲା । କମିଶନ ଏହା ମଧ୍ୟ କହିଥିଲେ ଯେ ପୋଲିସ ବିସ୍ଫୋରଣ ରୋକିବାରେ ବିଫଳ ହୋଇଥିଲା ।

ବୋମା ବିସ୍ଫୋରଣ ପରେ ପୋଲିସ ୧୬୮ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ସାକ୍ଷୀ ପାଲଟି ଯାଇଥିଲା । ପରବର୍ତ୍ତୀ ସମୟରେ ୧୬୬ ଜଣଙ୍କର ବିଚାର କରାଯାଇଥିଲା । ୨୦୦୭ ମସିହାରେ ୧୫୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୪୩ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା । ମୌଳବାଦୀ ସଂଗଠନ ଅଲ-ଉମ୍ମା ଉପରେ ବୋମା ବିସ୍ଫୋରଣର ଷଡଯନ୍ତ୍ର ରଚନା କରିବାର ଅଭିଯୋଗ ଥିଲା । ଏହାର ପ୍ରତିଷ୍ଠାତା, ଏସ.ଏ.ବାଶା ଏବଂ ସାଧାରଣ ସମ୍ପାଦକ, ମହମ୍ମଦ ଅନସାରୀଙ୍କୁ ଷଡଯନ୍ତ୍ର ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।