ଭୁବନେଶ୍ବର: କୋଟିଆକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଏବଂ ଓଡ଼ିଶା ଭିତରେ ସୀମା ବିବାଦ ନୂଆ ନୁହେଁ । କିନ୍ତୁ କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର ବିଜ୍ଞପ୍ତି ପ୍ରକାଶ କରିବା ପରେ ପୁଣି ଓଡିଶା ସରକାରଙ୍କ ମୁଣ୍ଡ ବିନ୍ଧା ବଢ଼ିଛି । ଏହି ମୌକାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିବା ପରେ ଆରମ୍ଭ ହୋଇଛି ବୟାନବାଜି ।

ନବୀନ ଲେଖିଛନ୍ତି, କୁଆଡ଼େ ଗଲା ନିର୍ବାଚନ ବେଳର ସେଇ ଓଡ଼ିଆ ଅସ୍ମିତାର ନାରା ? କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଆନ୍ଧ୍ରର ଏଭଳି ଦାଦାଗିରି ଉପରେ ଓଡ଼ିଶା ସରକାର କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ନବୀନ । ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା, ରାଜ୍ୟର ଆଞ୍ଚଳିକ ଅଖଣ୍ଡତା ସୁରକ୍ଷିତ ରଖାଯିବ ଏବଂ ଓଡିଆ ସ୍ୱାଭିମାନ ଫେରାଇ ଅଣାଯିବ । ଏବେ ସେ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ଏହା ସହ NDA ସରକାରର ସ୍ଥାୟୀତ୍ୱ ବଜାୟ ରଖିବାରେ ତେଲୁଗୁ ଦେଶମ୍ ଦଳର ବିଶେଷ ଭୂମିକା ଥିବାରୁ ରାଜ୍ୟରେ ବିଜେପି ସରକାର କଣ ନୀରବତା ଅବଲମ୍ବନ କରୁଛନ୍ତି କି ? ବୋଲି ନବୀନ ପ୍ରଶ୍ନ କରିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । କେନ୍ଦ୍ର ସରକାରକୁ ବଞ୍ଚାଇବା ପାଇଁ ବିଜେପି ମାଟିକୁ ବିକ୍ରି କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । କଂଗ୍ରେସ କିନ୍ତୁ କୋଟିଆକୁ ନେଇ ଚୁପ ବସିବ ନାହିଁ । ପ୍ରତିବାଦ କରିବ ବୋଲି କହିଛନ୍ତି ପିସିସି ସଭାପତି ।

Also Read: ବିଜେପି ନେତାମାନେ ଅଧିକ କୁହାଳିଆ, କିନ୍ତୁ ଦିଲ୍ଲୀ ଗଲେ ଆତ୍ମସମର୍ପଣ କରୁଛନ୍ତି: ବିଜେଡି

ସୂଚନାଥାଉକି, କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର ବିବାଦୀୟ କୋଟିଆ ଅଞ୍ଚଳର ୩ଟି ପଞ୍ଚାୟତରେ ଅକ୍ଟୋବର ୨୮ ତାରିଖରେ ନିର୍ବାଚନ କରିବାକୁ ଆନ୍ଧ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଏନେଇ ବିରୋଧୀ ଦଳ ପକ୍ଷରୁ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ତୁରନ୍ତ ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରିଛନ୍ତି ।

ରାଜସ୍ବ ମନ୍ତ୍ରୀ କହିଛନ୍ତି, ଯେତେବେଳେ ସୁଯୋଗ ପାଉଛି କୋଟିଆକୁ ହାତେଇବାକୁ ଆନ୍ଧ୍ର ଚେଷ୍ଟା କରୁଛି। ଆନ୍ଧ୍ର ଯେଉଁ ହଟଚମଟ ସୃଷ୍ଟି ପାଇଁ ଚେଷ୍ଟା କରୁଛି ତାର କାଉଣ୍ଟର ଯୋଜନା ପ୍ରସ୍ତୁତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଆଗରୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ବ ମନ୍ତ୍ରୀ କହିଛନ୍ତି, ଅଦାଲତସ୍ତରରେ ରାଜନୈତିକ ସ୍ତରରେ ଓ ସାମାଜିକ ସ୍ତରରେ ଯାହା କରଣୀୟ ତାହା କରାଯିବ । କୋଟିଆବାସୀ ମାଉସୀ ଆନ୍ଧ୍ରକୁ ଛାଡ଼ି ଓଡ଼ିଶା ମା’କୁ ଭରସା କରିବା ଆରମ୍ଭ କରିଛନ୍ତି । ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତ୍ତର ଦିଆଯିବ ବୋଲି ରାଜସ୍ବମନ୍ତ୍ରୀ କହିଛନ୍ତି ।