ନୂଆଦିଲ୍ଲୀ: ଖୁବଶୀଘ୍ର ଦେଖିବାକୁ ମିଳିପାରେ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କାରଣ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ପ୍ଲାଷ୍ଟିକ୍ ନୋଟ୍ ଛାପିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ମଞ୍ଜୁରୀ ମିଳିବା ପରେ ଏବେ ପ୍ରଥମେ ଏହି ନୋଟର ଫିଲ୍ଡ ଟ୍ରାଏଲ କରାଯିବ ଏବଂ ସଫଳ ହେଲେ ତାହାକୁ ନିୟମିତ ଭାବରେ ଜାରି କରାଯିବ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୋମବାର ସଂସଦରେ କହିଛନ୍ତି ଯେ, ଯଦି ଫିଲ୍ଡ ଟ୍ରାଏଲ ସଫଳ ହେଉଛି, ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ ନିୟମିତ ଭାବରେ ଜାରି କରିବ। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପଙ୍କଜ ଚୌଧୁରୀ କହିଛନ୍ତି RBI କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳୀର ସୁପାରିଶ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଆକ୍ଟ ୧୯୩୪ର ଧାରା ୨୫ ଅନୁସାରେ ସରକାରଙ୍କୁ ଏକ ପ୍ରସ୍ତାବ ପଠାଯାଇଥିଲା।

ଏହି ପ୍ରସ୍ତାବରେ ୧୦ ଏବଂ ୨୦ ଟଙ୍କିଆ ୧୦୦- ୧୦୦ କୋଟି ପଲିମର ନୋଟ୍ ଫିଲ୍ଡ ଟ୍ରାଏଲ (ପରୀକ୍ଷଣ) ପାଇଁ ଜାରି କରିବାକୁ ଅନୁମତି ମଗାଯାଇଥିଲା। ତା’ ସହ ଏହା ମଧ୍ୟ ପ୍ରସ୍ତାବ ରଖାଯାଇଥିଲା ଯେ, ଯଦି ଫିଲ୍ଡ ଟ୍ରାଏଲ ସଫଳ ହେବ। ତେବେ ଏହି ସମାନ ମାତ୍ରାର ପ୍ଲାଷ୍ଟିକ ନୋଟି ପ୍ରଚଳନକୁ ଅଣାଯିବ। ପଙ୍କଜ ଚୌଧୁରୀ କହିଛନ୍ତି ସରକାର ଆରବିଆଇର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।

Also Read: ହଠାତ୍ କମିଗଲା ସୁନା ରେଟ୍, ଶୀଘ୍ର ଘରକୁ ନେଇ ଆସନ୍ତୁ...ଏତେ ଅଛି ଦାମ୍

ବନ୍ଦ ହେବନାହିଁ ପୁରୁଣା ନୋଟ

ଆରବିଆଇ ଅନୁସାରେ, ଏହି ପରୀକ୍ଷଣରେ ପ୍ଲାଷ୍ଟିକ ନୋଟଗୁଡ଼ିକର ସ୍ଥାୟୀତ୍ବ, ଭାରତର ବିବିଧା ଜଳବାୟୁ ଏବଂ ପରିସ୍ଥିତିରେ ଏହାର ଗ୍ରହଣୀୟତା ଇତ୍ୟାଦିର ମୂଲ୍ୟାଙ୍କନ କରାଯିବ। ସେହିଭଳି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ କାଗଜ ନୋଟ ଏବଂ ପଲିମର ନୋଟ ଉଭୟ ଏକାଠି ପ୍ରଚଳନରେ ରହିବ। କାରଣ ପାରମ୍ପରିକ କାଗଜ ନୋଟକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ନେଇ କୌଣସି ପ୍ରସ୍ତାବ ନାହିଁ।

ପ୍ଲାଷ୍ଟିକ ନୋଟର ଫାଇଦା ?

RBI ଅନୁସାରେ, ଏହା ସାମାନ୍ୟ କାଗଜ ନୋଟ ଠାରୁ ଅଧିକ ଦିନ ଯାଏ ବ୍ୟବହାର ଯୋଗ୍ୟ ହୋଇଥାଏ। ବିଶେଷ କରି ସବୁଠୁ ଅଧିକ ବ୍ୟବହାର ହେଉଥିବା ୧୦ ଏବଂ ୨୦ ଟଙ୍କିଆ ନୋଟ୍ ଭଳି ଛୋଟ ମୂଲ୍ୟର ନୋଟ୍ ପାଇଁ ଏହା ଖୁବ୍ ଉପଯୋଗୀ ବୋଲି ଧରାଯାଏ। ଅନେକ ଦେଶର ମଧ୍ୟ ପ୍ଲାଷ୍ଟିକ ନୋଟର ବ୍ୟବହାର କରାଯାଉଛି।

ଏମିତିରେ ଏହା ଦୀର୍ଘସ୍ଥାୟୀ ହୋଇଥିବା କାରଣରୁ ବାରମ୍ବାର ନୂଆ ନୋଟ୍ ଛାପିବା ଏବଂ ପୁରୁଣା ନୋଟ ନଷ୍ଟ କରିବାର ଆବଶ୍ୟକତା କମ୍ ପଡ଼ିବ। ଫଳରେ ସରକାରଙ୍କ ଖର୍ଚ୍ଚ ମଧ୍ୟ କମିବ ଏବଂ ବର୍ଜ୍ୟ ବି ହ୍ରାସ ପାଇବ। ଏହା ବ୍ୟତୀତ ପ୍ଲାଷ୍ଟିକ ନୋଟରେ ଅନେକ ଉନ୍ନତ ସୁରକ୍ଷା ଫିଚର ରହିପାରିବ। ଯାହା ନୋଟର ସୁରକ୍ଷାକୁ ଆହୁରି ମଜଭୁତ ହେବ।