ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତି ତଥା ସିନେ ଜଗତର ସବୁଠାରୁ ବଡ଼ ଚର୍ଚ୍ଚାରେ ଏବେ ପୂର୍ଣ୍ଣଛେଦ ପଡ଼ିଛି। ସୁପରଷ୍ଟାର ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଓ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦର ଅନ୍ତ ଘଟିଛି। ସଙ୍ଗୀତା କୋର୍ଟରୁ ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କରିଛନ୍ତି। ଯାହା ପରେ ଅଦାଲତ ଏହି ମାମଲାକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି।

ଶୁକ୍ରବାର ଚେଙ୍ଗଲପଟ୍ଟୁ ଫ୍ୟାମିଲି କୋର୍ଟରେ ଏହି ହାଇପ୍ରୋଫାଇଲ ମାମଲାର ଶୁଣାଣି ହୋଇଥିଲା। ସଙ୍ଗୀତା ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟଙ୍କ ସମ୍ମୁଖରେ ହାଜର ହୋଇଥିଲେ। ଶୁଣାଣି ସମୟରେ ସେ କୋର୍ଟଙ୍କୁ ଜଣାଇଥିଲେ ଯେ, ସେ ଏହି ଆବେଦନ ଉପରେ ଆଉ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଚାହୁଁନାହାନ୍ତି ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ଚାହାନ୍ତି। କୋର୍ଟ ତାଙ୍କ ବୟାନକୁ ଆଧାର କରି ମାମଲାର ସମାଧାନ କରିଛନ୍ତି।

ସୂଚନାଥାଉକି, ପୂର୍ବରୁ ଦାୟର କରିଥିବା ଆବେଦନରେ ସଙ୍ଗୀତା ତାଙ୍କ ସ୍ୱାମୀ ବିଜୟଙ୍କ ବିରୋଧରେ ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ସହ ଅବୈଧ ସମ୍ପର୍କ ଥିବା ନେଇ ଗୁରୁତର ଆରୋପ ଆଣିଥିଲେ। କେବଳ ସେତିକି ନୁହେଁ, ବୈବାହିକ ଜୀବନରେ ସେ ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା, ଅବହେଳା ଓ ଏକୁଟିଆପଣର ଶିକାର ହେଉଥିବା ମଧ୍ୟ ଦାବି କରିଥିଲେ। ୨୦୨୧ ଠାରୁ ବିଜୟ ତାଙ୍କଠାରୁ ଦୂରେଇ ଯାଇଥିବା କଥା ସେ ଦର୍ଶାଇଥିଲେ।

Also Read: ଗୌରବ ଖାନ୍ନା-ଆକାଂକ୍ଷା ଚମୋଲାଙ୍କର ହେବନି ଛାଡପତ୍ର ! ଲକ୍ଅପ୍ରୁ ବାହାରି କଲେ ଖୁଲାସା​​​​​​​

ପ୍ରଶଂସକରୁ ସାଥୀ ପାଲଟିଥିଲେ ସଙ୍ଗୀତା

ଉଲ୍ଲେଖଯୋଗ୍ୟ, ସଙ୍ଗୀତା ମୂଳତଃ ଶ୍ରୀଲଙ୍କାର ଏକ ତାମିଲ ପରିବାରର ଝିଅ। ସେ ବିଜୟଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ଏବଂ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ୧୯୯୮ ଜୁଲାଇ ୧୦ରେ ପ୍ରଥମେ ବ୍ରିଟେନରେ ଉଭୟଙ୍କ ବିବାହ ପଞ୍ଜିକରଣ ହୋଇଥିଲା ଏବଂ ପରେ ୧୯୯ ଅଗଷ୍ଟ ୨୫ରେ ଚେନ୍ନାଇରେ ପାରମ୍ପରିକ ରୀତିନୀତିରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୀର୍ଘ ୨୭ ବର୍ଷର ଏହି ବୈବାହିକ ସଂସାର ମଧ୍ୟରେ ସେମାନଙ୍କର ଦୁଇ ସନ୍ତାନ ପୁଅ ଜେସନ ସଞ୍ଜୟ ଓ ଝିଅ ଦିବ୍ୟା ସାଶା ଅଛନ୍ତି।

ଗୋଟିଏ ପଟେ ବିଜୟ ନିଜ ରାଜନୈତିକ କ୍ୟାରିୟରରେ ସଫଳତା ପାଇଥିବା ବେଳେ, ଅନ୍ୟପଟେ ପାରିବାରିକ ମନୋମାଳିନ୍ୟ ଦୂର ହେବା ତାଙ୍କ ପ୍ରଶଂସକ ଓ ପରିବାର ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।