ନୂଆଦିଲ୍ଲୀ: ଆଉ ୧୦୦୦ ଦିନ ପରେ ବ୍ରିଟେନକୁ ମାଡ଼ିଆସିବ ବଡ଼ ବିପଦ । ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ଏବଂ ବିଜୟୀ ହେବାକୁ ହେବ ବୋଲି ଚେତବାନୀ ଦେଇଛନ୍ତି ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ୱେସ୍ ଷ୍ଟ୍ରିଟିଂ । ସେ କହିଛନ୍ତି, ୨୦୩୦ ମସିହା ସୁଦ୍ଧା ଶତ୍ରୁ ଦେଶଗୁଡ଼ିକ ଏଭଳି ସାମରିକ ଶକ୍ତି ହାସଲ କରିପାରନ୍ତି ଯାହା ଦ୍ୱାରା ସେମାନେ ବ୍ରିଟେନ ଉପରେ ଆକ୍ରମଣ କରିବାକୁ ସକ୍ଷମ ହେବେ। 'ଦି ଟେଲିଗ୍ରାଫ୍'ରେ ସେ ଲେଖିଛନ୍ତି, ବ୍ରିଟେନ୍‌ର ଶତ୍ରୁମାନେ ସେମାନଙ୍କର ସାମରିକ କ୍ଷମତା ଏବଂ ଯୁଦ୍ଧ ଆଧାରିତ ଅର୍ଥନୀତିକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଫଳରେ ଦେଶ ପାଖରେ ନିଜ ପ୍ରତିରକ୍ଷାକୁ ମଜଭୁତ୍ କରିବା ପାଇଁସୀମିତ ସମୟ ରହିଛି।  

 ଷ୍ଟ୍ରିଟିଂ ଲେଖିଛନ୍ତି ଯେ, ‘ଆମର ଶତ୍ରୁମାନଙ୍କର ଆମକୁ କ୍ଷତି ପହଞ୍ଚାଇବାର ମନୋଭାବ ନୂଆ ନୁହେଁ । କିନ୍ତୁ ସେମାନଙ୍କ କ୍ଷମତାରେ ବଡ଼ ପରିବର୍ତ୍ତନ ଆସିଛି। ୨୦୩୦ ସୁଦ୍ଧା ସେମାନଙ୍କର ସାମରିକ ଶକ୍ତି ଓ ଯୁଦ୍ଧ ଅର୍ଥନୀତି ଏପରି ସ୍ଥିତିରେ ପହଞ୍ଚିବ ଯେ, ସେମାନେ ଆକ୍ରମଣ କରିପାରନ୍ତି। ଏଭଳି ସ୍ଥିତିରେ ନିଜର ସହଯୋଗୀ ଦେଶମାନଙ୍କ ସହ ମିଶି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ସହ ଜିତିବା ପାଇଁ ମାତ୍ର ୧,୦୦୦ ଦିନ ଦେଉଛି।’ ଏହି ସମ୍ଭାବ୍ୟ ଆକ୍ରମଣକୁ ଏଡ଼ାଇବା ପାଇଁ ଆଗୁଆ ସଜାଗ ରହିବା ଜରୁରୀ ବୋଲି ସେ ଦାବି କରିଛନ୍ତି।   

ବ୍ରିଟେନ୍ ସରକାର ନିଜର ନାଗରିକ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସାଇବର ଆକ୍ରମଣ, ଖରାପ ପାଣିପାଗ କିମ୍ବା ଶତ୍ରୁପକ୍ଷର ଆକ୍ରମଣ ଯୋଗୁଁ ହେବାକୁ ଥିବା କ୍ଷତିକୁ ଭରଣା ଲାଗି ପ୍ରସ୍ତୁତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ସରକାରଙ୍କ 'ବି ରେଡି' ଅଭିଯାନ ଅଧୀନରେ ଲୋକଙ୍କୁ ଘରେ ପ୍ରାୟ ୩ ଦିନ ପାଇଁ ପିଇବା ପାଣି, ଶୁଖିଲା ଖାଦ୍ୟ, ଟର୍ଚ୍ଚ, ବ୍ୟାଟେରୀ, ପ୍ରଥମିକ ଚିକିତ୍ସା କିଟ୍ ,  ଟଙ୍କା ଏବଂ ରେଡିଓ ଆଦି ଗଚ୍ଛିତ ରଖିବାକୁ ପରାମର୍ଶ ଦେଇଛନ୍ତି ୱେସ୍ ଷ୍ଟ୍ରିଟିଂ। 

ଅନ୍ୟପଟେ, ବ୍ରିଟେନ୍‌ର ଗୁଇନ୍ଦା ସଂସ୍ଥା MI5 ର ମହାନିର୍ଦ୍ଦେଶକ ସାର କେନ୍ ମ୍ୟାକଲମ୍ ଚେତାବନୀ ଦେଇଛନ୍ତି ଯେ, ସାଇବର ଆକ୍ରମଣ ମାଧ୍ୟମରେ ଦେଶର ବ୍ୟାଙ୍କିଙ୍ଗ୍ ସେବା, ହସ୍ପିଟାଲ୍ ଏବଂ ପରିବହନ ବ୍ୟବସ୍ଥାକୁ ଠପ୍ କରାଯାଇପାରେ। ସେହିପରି ଶତ୍ରୁପକ୍ଷ ଡ୍ରୋନ୍‌ ମାଧ୍ୟମରେ ବିମାନ ସେବାରେ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଛି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ଏଭଳି ଦାବି, ଆଉ ଏକ ବଡ଼ ଯୁଦ୍ଧ ଆଡ଼କୁ ଇସାରା କରୁଛି । ତେବେ ୨୦୩୦ ବେଳକୁ ବ୍ରିଟେନ ବଡ଼ ଯୁଦ୍ଧର ସାମ୍ନା କରିପାରେ ।